ହିଞ୍ଜିଳିରେ ଉନ୍ନୟନ ପ୍ରକଳ୍ପ ବିଳମ୍ବରେ ଉଦ୍‌ଘାଟନକୁ ନେଇ ବିଜେପିର କ୍ଷୋଭ 

ହିଞ୍ଜିଳିକାଟୁ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଯୋଗେ ହିଞ୍ଜିଳିକାଟୁର ଉନ୍ନୟନ ପ୍ରକଳ୍ପ ଗୁଡ଼ିକୁ ଉଦ୍‌ଘାଟନ କରିଛନ୍ତି। ତେବେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ଯଦି ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ଆସିବାର ନଥିଲା, ତାହେଲେ  ସାଧାରଣ ଲୋକଙ୍କ ଜୀବନଜୀବିକା ସହ ଜଡ଼ିତ ପ୍ରକଳ୍ପ ଗୁଡ଼ିକୁ ପୂର୍ବରୁ କାହିଁକି ଲୋକାର୍ପଣ କରାଗଲା ନାହିଁ ? ବୋଲି ଦଳ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛି।
ପ୍ରକଳ୍ପ ନିର୍ମାଣ ସଂପୂର୍ଣ୍ଣ ହେବାର ବହୁ ଦିନ ବିତିଯାଇଥିଲେ ବି ଏଗୁଡ଼ିକୁ ଉଦ୍‌ଘାଟନ କରାଯାଇପାରିଲାନି। ଯଦିଓ ମୁଖ୍ୟମନ୍ତ୍ରୀ ପୂର୍ବରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଇନଡୋର୍‌ ଷ୍ଟାଡ଼ିୟମକୁ ଉଦ୍‌ଘାଟନ କରିଥିଲେ, ସେହି ସମୟରେ ହିଁ ବସ୍‌ଷ୍ଟାଣ୍ଡ ଓ ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସକୁ ଉଦ୍‌ଘାଟନ କରାଯାଇପାରନ୍ତା। କିନ୍ତୁ ବିଳମ୍ବରେ ଭିଡ଼ିଓ କନଫରେନ୍ସିଂ ଯୋଗେ ପ୍ରକଳ୍ପ ଉଦ୍‌ଘାଟନ କରାଯିବା ସହ କାର୍ଯ୍ୟକ୍ରମ ପାଇଁ ଏତେ ଆଲୋକମାଳା ଓ ସାଜସଜ୍ଜା ବହୁ ଆଡ଼ମ୍ବରେ ଲଘୁ କ୍ରିୟା ବୋଲି ଦଳ କହିଛି। ସେହିପରି ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ସମୟରେ ବିସ୍ଥାପିତ ହୋଇଥିବା ବ୍ୟବସାୟୀଙ୍କୁ ବ୍ୟବସାୟ କରିବା ପାଇଁ ଅନ୍ୟତ୍ର ସାମୟିକ ବ୍ୟବସ୍ଥା କରାଯାଉ ବୋଲି ସେମାନେ ଦାବି କରିଛନ୍ତି।  ସାମ୍ବାଦିକ ସମ୍ମିଳନୀରେ ନଗର ବିଜେପି ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ଜିଲ୍ଲା ଉପସଭାପତି ମାଧବ ଗୌଡ଼ ଏବଂ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଆକାଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧିତ ଖବର