ନିଶ୍ଚିନ୍ତକୋଇଲି (କଟକ) : ଓଡ଼ିଶା ଏବେ ବହୁତ ଖରାପ ସ୍ଥିତିରେ ଅଛି। ସରକାରଙ୍କ ପକ୍ଷରୁ ହେଉଥିବା କାମର ଟେଣ୍ତର ହେଉନାହିଁ। ପାରଦର୍ଶିତା ନାହିଁ। ସ୍ବଚ୍ଛତା ନାହିଁ। ଅନେକ ଯୋଜନାର ଭୂତ ହିତାଧିକାରୀ ଅଛନ୍ତି। କିନ୍ତୁ ପ୍ରଚାର ସର୍ବସ୍ବ ଓଡ଼ିଶା ସରକାରଙ୍କୁ ଓଡ଼ିଆ ଲୋକଙ୍କ ଦୁଃଖ ଓ ଦୁର୍ଦଶା ଦେଖାଯାଉ ନାହିଁ ବୋଲି ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକ୍ କେନ୍ଦୁପାଟଣା ଛକ ଜି.ବି ମଣ୍ତପରେ ବିଜେପି ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ଆଭାସୀ ମାଧ୍ୟମରେ ଯୋଡି ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଷ୍ଟ୍ରୀୟ ବିଜେପି ସଭାପତି ଯୋଗ୍ୟ ଗରିବ ହିତାଧିକାରୀଙ୍କୁ ଘର ଦେବା କଥା କହିଲେ ଏଠାରେ ଶାସକ ଦଳ ନେତାମାନଙ୍କୁ କଷ୍ଟ ହେଉଛି। ପି.ଏମ ଆବାସ ବଣ୍ଟନ ଯୋଜନାରେ ଓଡ଼ିଶାରେ ପ୍ରାୟ ୧ ହଜାର କୋଟି ଟଙ୍କାର ମହାଦୁର୍ନୀତି ହୋଇଛି। କୁଚକ୍ରୀମାନେ ଓଡ଼ିଶାକୁ ଲୁଣ୍ଠନ କରିବାକୁ ଚାହୁଁଛନ୍ତି। ଜିରୋ ଟଲରାନ୍ସ ନୀତିବାଣୀ କହୁଥିବା ସରକାରର ଦୁର୍ନୀତିଗ୍ରସ୍ତ ତଳିଆ କର୍ମଚାରୀଙ୍କ ଠାରୁ ୬ ମାସରେ ଶହେ କୋଟି ଟଙ୍କା ଜବତ ହୋଇଛି। ତେଣୁ ଦୀର୍ଘ ୨୩ ବର୍ଷ ହେଲା ସରକାର ଠାରୁ ଉପେକ୍ଷିତ ହୋଇ ଚାଲିଥିବା ନାଗରିକଙ୍କ କଥାକୁ ମୁଖର ଭାବରେ ଉଠାଇବାକୁ ଶ୍ରୀ ପ୍ରଧାନ ନେତା ଓ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ଏଥି ସହିତ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ପ୍ରତି ଘରେ ପହଞ୍ଚାଇବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ ମାହାଙ୍ଗା ନିର୍ବାଚନ ମଣ୍ତଳୀରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଅର୍ଥ ହଡପ ଚାଲିଛି ବୋଲି କହିବା ସହ ରାଜ୍ୟ ସରକାର ଓ ସ୍ଥାନୀୟ ବିଧାୟକଙ୍କ ଉପରେ ବର୍ଷିଥିଲେ। ଆସନ୍ତ ୩୦ଦିନ ମଧ୍ୟରେ ଯଦି ପ୍ରକୃତ ଗରିବ ଲୋକକୁ ତାର ପ୍ରାପ୍ୟ ନମିଳେ ତେବେ ବିଜେପି ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କହିଥିଲେ। ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦେବଦତ୍ତକରଙ୍କ ସଭାପତିତ୍ବରେ ଆୟେଜିତ ସଭାରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସେନୀ ଜେନା, କୃଷକ ମୋର୍ଚ୍ଚା ସଭାପତି ଉତ୍କଳ ମଣି ମନ୍ତ୍ରୀ, ଜିଲ୍ଲା ଉପସଭାପତି ସନ୍ତୋଷ କାପ, ଅଭିନ୍ନ ଚନ୍ଦ୍ର ଜେନା, ଦୀପକ କୁମାର ଜେନା, ରଶ୍ମିକାନ୍ତ ସ୍ବାଇଁ, ମନ୍ମଥ ସେଠୀ, ସୁନାକର ମଲିକ୍, ଅଭିରାମ ସ୍ବାଇଁ, ହରିହର ରାଉତ, ପ୍ରିୟବ୍ରତ ସାହୁ ,ପ୍ରିୟଙ୍କା ମଲିକ୍, ମନୋରଂଜନ ନାୟକ, କୈଳାସ ଚନ୍ଦ୍ର ବେହେରା, ରଜଂନ କୁମାର ରାଉତ, ତ୍ରିଲୋଚନ ନାୟକ, ଜିତେନ୍ଦ୍ର ଶତପଥି, ଜିଲ୍ଲା ସଂପାଦକ ବିବେକାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। କୃଷକ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଆଇନଜୀବି ଗୌତମ ରାୟ ଚୌଧୁରୀ ଧନ୍ୟବାଦ ପ୍ରଦାନ କରିଥିଲେ।