‘ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ’ ଏପାଖସେପାଖ: ବୀରତ୍ବର ମାଟି ଓଡ଼ିଶା

ଭୁବନେଶ୍ୱର: ‘ବିଶ୍ବ ବ୍ରହ୍ମାଣ୍ଡର ନିୟନ୍ତା ମହାପ୍ରଭୁ ଜଗନ୍ନାଥ ଏଠାରେ ବିରାଜିଛନ୍ତି। ଏ ମାଟି ହେଉଛି ବିରତ୍ବର ମାଟି। ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ବକ୍ସି ଜଗବନ୍ଧୁଙ୍କ ପରି ମହାପୁରୁଷଙ୍କ ଏହି ମାଟିକୁ ପ୍ରଣାମ କରୁଛି। କ୍ରାନ୍ତିକାରୀଙ୍କ ଏହି ମାଟିରେ ପଦ୍ମ ଫୁଟାଇବା ଦିଗରେ ଆମକୁ ଲଢ଼େଇ କରିବାକୁ ହେବ।’ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଆଜି ଏଭଳି ଢଙ୍ଗରେ ମହାପ୍ରଭୂ ଜଗନ୍ନାଥଙ୍କ ଜୟଗାନ କରିବା ସହ ଓଡ଼ିଶା ମାଟିର ପ୍ରଶଂସା କରିଛନ୍ତି। ଭାଷଣ ଆରମ୍ଭ ସେ ଜୟ ଜଗନ୍ନାଥ କହି ଆରମ୍ଭ କରିଥିବା ବେଳେ ଶେଷ ମଧ୍ୟ ଜୟ ଜଗନ୍ନାଥରେ ଶେଷ କରିଥିଲେ।

ଖଣ୍ଡା ଧରି ଲଢ଼େଇ ପାଇଁ ଆହ୍ବାନ: ବିଜେପିର ୭ଟି ଛାମୁଆ ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କୃଷକ ମୋର୍ଚ୍ଚା ପକ୍ଷରୁ ଲଙ୍ଗଳ ସହ ଟୋପି ପିନ୍ଧାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଓବିସି ମୋର୍ଚ୍ଚାର କର୍ମକର୍ତ୍ତା ରାୟଗଡ଼ାର ମା’ ମାଝିଘରିଆଣୀ ଠାକୁରାଣୀଙ୍କ ଫ‌ଟୋ ଦେଇଥିବା ବେଳେ ମହିଳା ମୋର୍ଚ୍ଚା ପଟ୍ଟଚିତ୍ର ଦେଇଥିଲେ। ଯୁବ ମୋର୍ଚ୍ଚା ଖଣ୍ଡା ଉପହାର ଦେଇଥିଲା। ଶ୍ରୀ ନଡ୍ଡା ଖଣ୍ତା ବାହାର କରି ଲଢ଼େଇ କରିବାକୁ ଆହ୍ବାନ ଦେଇଥିଲେ। ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ କୋଟପାଡ଼ର ହସ୍ତଶିଳ୍ପ ଦ୍ବାରା ପ୍ରସ୍ତୁତ କଳାକୃତି ଓ ଅନୁସୂଚିତ ଜନଜାତି ମୋାର୍ଚ୍ଚା ବି ଜଗନ୍ନାଥଙ୍କ ପଟ୍ଟଚିତ୍ର ଦେଇଥିଲା।

ସଭାରେ ନଥିଲେ, ସନ୍ଧ୍ୟାରେ ଥିଲେ: ଜନତା ମଇଦାନରେ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ସମ୍ମିଳନୀ ହୋଇଥିଲେ ମଧ୍ୟ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନୁପସ୍ଥିତ ରହିଥିଲେ। ମଞ୍ଚରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା। ତା’ସାଙ୍ଗକୁ ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂଙ୍କ ଅନୁପସ୍ଥିତି ‌ଉପସ୍ଥିତ କର୍ମକର୍ତ୍ତାଙ୍କ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି କରିଥିଲା। ଏମିତିକି ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ସମ୍ବର୍ଦ୍ଧନା କରିବାକୁ ମଞ୍ଚ ଉପରେ ଶ୍ରୀ ସିଂଙ୍କ ନାମ ‌ଡକାଯାଉଥିଲେ ମଧ୍ୟ ତାଙ୍କ ଦେଖା ମିଳି ନ ଥିଲା। ମାତ୍ର ସନ୍ଧ୍ୟାରେ ମଧ୍ୟ ଭୁବନେଶ୍ବରରେ ଆୟୋଜିତ ଏକ ବୁଥ୍‌ କାର୍ଯ୍ୟକ୍ରମରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା।

କହିବାକୁ ସୁଯୋଗ ମିଳିଲାନି: ‘ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ’ରେ ସାମିଲ ହୋଇଥିବା ଦଳର ବହୁ ଆଗଧାଡ଼ିର ନେତାଙ୍କୁ ଆଜି କହିବାକୁ ସୁଯୋଗ ମିଳି ନ ଥିଲା। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୂର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓ ପରି ରାଜ୍ୟର ଆଗଧାଡ଼ିର ନେତା ଉଦ୍‌ବୋଧନ ଦେଇ ନ ଥିଲେ। କାର୍ଯ୍ୟକ୍ରମ ବିଳମ୍ବ ହେତୁ ସେମାନଙ୍କୁ ସୁଯୋଗ ମିଳି ନ ଥିବା ଦଳ ପକ୍ଷରୁ କୁହାଯାଇଛି।

ଝୁମିଲେ ନେତା: ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ପହଞ୍ଚିବା କ୍ଷଣି ୱେଲ୍‌କମ୍‌ ଗୀତରେ ସମ୍ପୂର୍ଣ୍ଣ ପରିବେଶ ଉତ୍ସବମୁଖର ହୋଇପଡ଼ିଥିଲା। ସଙ୍ଗୀତର ତାଳେ ତାଳେ ମଞ୍ଚ ଉପରେ ଓ ତଳେ ଥିବା ନେତାମାନେ ହାତ ଉପରକୁ ଟେକି ଝୁମିଥିଲେ। ମଞ୍ଚ ତଳେ ଥିବା କର୍ମକର୍ତ୍ତା ମଧ୍ୟ ନାଚି ଉଠିଥିଲେ। ଶେଷରେ ସମସ୍ତ ନେତା ଫଟୋ ପୋଜ୍‌ ହେବା ସହ ବିଜୟ ସୂଚକ ଚିହ୍ନ ଦେଖାଇଥିଲେ।

ସମ୍ବନ୍ଧିତ ଖବର