ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ: ତୋମାର

କୃଷକଙ୍କ ପାଇଁ ବିଜେପିର ଭର୍ଚୁଆଲ ରାଲି, ମୋଦୀ ସରକାରରେ ଓଡ଼ିଶାର ଚାଷୀ ଲାଭାର୍ଥୀ ହୋଇଛନ୍ତି : ଧର୍ମେନ୍ଦ୍ର

ଭୁବନେଶ୍ୱର : କୃଷି ଭାରତୀୟ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ। ଏହାକୁ ଦୃଷ୍ଟିରେ ରଖି ମୋଦୀ ସରକାର କୃଷକଙ୍କ କଲ୍ୟାଣ ପାଇଁ ସର୍ବଦା ଚେଷ୍ଟା କରୁଛନ୍ତି। ଆଗାମୀ ଦିନରେ ସମଗ୍ର ଭାରତବର୍ଷର ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଯୋଜନା କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ଆଜି ବିଜେପି ପକ୍ଷରୁ ଆୟୋଜିତ କୃଷକ ଭର୍ଚୁଆଲ ରାଲିରେ ଯୋଗ ଦେଇ ଶ୍ରୀ ତୋମାର ମୋଦୀ ସରକାରଙ୍କ ସମୟରେ କୃଷି କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ବିଷୟରେ ସୂଚନା ଦେଇଥିଲେ। ମୋଦୀ ସରକାରରେ କୃଷି କ୍ଷେତ୍ର ମଜବୁତ ହୋଇଛି ଓ ଭାରତ ସରକାରଙ୍କ କୃଷି ନୀତି ଦେଶର କୃଷକଙ୍କୁ ଆତ୍ମନିର୍ଭର ସହ ସଶକ୍ତ କରିଛି ବୋଲି ସେ କହିଥିଲେ।

ଏଥିରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଓଡ଼ିଶାର ୪୦ ଲକ୍ଷ ଚାଷୀ ପରିବାରକୁ କୃଷକ ସମ୍ମାନ ନିଧିରେ ମାସିକ ୨ ହଜାର ଟଙ୍କା ସିଧାସଳଖ ବ୍ୟାଙ୍କ୍ ଆକାଉଣ୍ଟକୁ ଦେଇଛନ୍ତି । କୃଷି ପ୍ରଧାନ ଅଞ୍ଚଳ ଓଡ଼ିଶା ରାଜ୍ୟର କୃଷକମାନେ ମଧ୍ୟ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବ୍ୟବସ୍ଥା କାରଣରୁ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର କୃଷିଜାତ ସାମଗ୍ରୀ ଯଥା କନ୍ଧମାଳର ହଳଦୀ, କୁଚିଣ୍ଡାର ଲଙ୍କା, ନିମାପଡ଼ାର ଦୁଗ୍ଧଜାତ ସାମଗ୍ରୀ ଆନ୍ତର୍ଜାତିକ ବଜାରରେ ବିକ୍ରି ହେବ ବୋଲି ସେ କହିଥିଲେ।

ସେହିପରି ପ୍ରବାସୀ ଶ୍ରମିକଙ୍କୁ କାମ ଦେବା ପାଇଁ ପ୍ରଧାନମନ୍ତ୍ରୀ ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ମାଧ୍ୟମରେ ଦେଶର ୧୧୬ ଗ୍ରାମୀଣ ଜିଲ୍ଲାରେ ପ୍ରବାସୀ ଶ୍ରମିକମାନେ ୨୫ଟି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ କାମ ପାଇପାରିବେ । ଏହି ଅଭିଯାନ ମାଧ୍ୟମରେ ଓଡିଶାର ଅଧିକ ପ୍ରବାସୀ ରହୁଥିବା ୪ଟି ଜିଲ୍ଲା ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀରର ଶ୍ରମିକମାନେ ଲାଭ ପାଇପାରିବେ ବୋଲି ଶ୍ରୀ ପ୍ରଧାନ କହିଥିଲେ।

କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ବୀରେନ୍ଦ୍ର ସିଂହ ମୋଦୀଙ୍କ ଅମଳରେ କୃଷିର ବିକାଶ ହୋଇଛି କହିଥିବା ବେଳେ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଧାନମନ୍ତ୍ରୀ ଗରିବ କୃଷକମାନଙ୍କୁ ସବୁ ମୌଳିକ ବ୍ୟବସ୍ଥା ଯୋଗାଇଛନ୍ତି ବୋଲି କହିଥି‌ଲେ। ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ମହେଶ୍ୱର ସାହୁ, କୃଷକ ମୋର୍ଚ୍ଚାର ନବନିଯୁକ୍ତ ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ପୂର୍ବତନ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି, ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ଓ ସମୀର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର