ଭୁବନେଶ୍ବର: କେନ୍ଦ୍ର ସରକାର ନିଜ ହାତରେ ସମସ୍ତ କ୍ଷମତା ଠୁଳକରି ଭାରତକୁ ଏକ ନବ୍ୟ ଫାସିବାଦୀ ରାଷ୍ଟ୍ରରେ ପରିଣତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ରାଜ୍ୟଗୁଡ଼ିକୁ ଦୁର୍ବଳ କରି ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରିବାକୁ ଚେଷ୍ଟା ଚାଲିଛି ବୋଲି କହିଛନ୍ତି ବିଶିଷ୍ଟ ସମାଜବିଜ୍ଞାନୀ ପ୍ରାଧ୍ୟାପକ ବିଜୟ ବହିଦାର। ଆଜି କଂଗ୍ରେସ ଭବନରେ ‘ସଂସଦୀୟ ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥା ଉପରେ ପଦାଘାତ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ବହିଦାର କହିଲେ, କେନ୍ଦ୍ରୀୟ କାର୍ଯ୍ୟପାଳିକାର କ୍ଷମତା ଆହୁରି ବୃଦ୍ଧି କରିବା ପାଇଁ ଏହି ୧୩୦ତମ ସମ୍ବିଧାନ ସଂଶୋଧନର ଉଦ୍ଦେଶ୍ୟ। ଏହି ବିଲ୍‌ ଆଇନରେ ପରିଣତ ହେଲେ ନ୍ୟାୟପାଳିକାକୁ ଆଡ଼େଇ କାର୍ଯ୍ୟପାଳିକା ସର୍ବେସର୍ବା ହୋଇଯିବ। ପୁଲିସ, ଇଡି, ସିବିଆଇକୁ ହାତ କରି କେନ୍ଦ୍ରୀୟ କାର୍ଯ୍ୟପାଳିକା ଯାହାକୁ ଚାହିବ, ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ୩୦ ଦିନ ଜେଲ୍‌ରେ ରଖିବା କଷ୍ଟସାଧ୍ୟ ନୁହେଁ। ବିଜେପିକୁ ଏହି ଆଇନ ସୁହାଇବା ଭଳି ଧାରଣା ସୃଷ୍ଟି ନ ହେବ ସେଥିପାଇଁ ପ୍ରଧାନମନ୍ତ୍ରୀ ପଦବିକୁ ମଧ୍ୟ ଏହି ଆଇନର ପରିସରଭୁକ୍ତ କରାଯାଇଛି। ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ସଂସ୍ଥା ବିଜେପି ଅମଳରେ ପ୍ରଧାନମନ୍ତ୍ରୀଙ୍କ ବଚସ୍କର ସାଜିଥିବାରୁ ତାଙ୍କୁ ଗିରଫ କରିବା ଏକରକମ ଅସମ୍ଭବ। କଂଗ୍ରେସ ଦଳ ନେତୃତ୍ୱରେ ମିଳିତ ବିରୋଧୀ ଦଳ ଏହାକୁ ଦୃଢ଼ ବିରୋଧ କରିବା ଆବଶ୍ୟକ। 

Advertisment

ପିସିସି ସଭାପତି ଶ୍ରୀ ଦାସ କହିଥିଲେ, ଦେଶର ସବୁ ତନ୍ତ୍ରକୁ କେନ୍ଦ୍ର ଅକ୍ତିଆର କରିବାକୁ ଚେଷ୍ଟା କରୁଛି। ଆଗକୁ ପ୍ରଧାନମନ୍ତ୍ରୀଙ୍କ ନାଁରେ ସବୁ ଥାନାରେ ଏତଲା ଦେବା ପରି ଅନେକ କାର୍ଯ୍ୟକ୍ରମ ହାତକୁ ଦିଆଯିବ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ଗାନ୍ଧୀ ଓ ନେହେରୁ ଦେଶର ସ୍ୱାଧୀନତା ସଂଗ୍ରାମର ପୁରୋଭାଗରେ ଥିବାରୁ ଏବେ ସ୍କୁଲ ପାଠ୍ୟକ୍ରମରେ ଦେଶ ବିଭାଜନକୁ ଆଗକୁ ଆଣିବାକୁ ଚକ୍ରାନ୍ତ ଚାଲିଛି। ସମ୍ବିଧାନ ଉପରେ ଶାସକ ଦଳର ଏହି ଶକ୍ତ ପ୍ରହାରକୁ ବିରୋଧୀ ଦଳମାନେ କିପରି ମୁକାବିଲା କରିବେ ଏହା ଉପରେ ଗଭୀର ଚିନ୍ତନର ଆବଶ୍ୟକତା ରହିଛି। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଥିଲେ, ବିରୋଧୀ ଦଳର ନେତାଙ୍କୁ ଗିରଫ କରିବା ପାଇଁ ବିଜେପିର ଯେଉଁ ମାନସିକତା ରହିଛି ତାକୁ ଆୟୁଧ କରି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ତଡ଼ିବା ପାଇଁ ବାଟ ପରିଷ୍କାର କରାଯାଉଛି। 

ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ ଓ ବିଭୂତି ଭୂଷଣ ମିଶ୍ର ଓ ପିସିସି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଜିଆ ଉଲ୍‌ ହକ୍ ଆଇନଗତ ଦିଗର ତର୍ଜମା କରିଥିଲେ। ପିସିସି ଶୃଙ୍ଖଳା କମିଟିର ଅଧ୍ୟକ୍ଷ ସୁଜିତ ପାଢ଼ୀ ବିଜେପିର ଏହି ଆଇନକୁ ଦୃଢ଼ ବିରୋଧ କରାଯିବ ବୋଲି କହିଥିଲେ। ମିଡିଆ ସେଲ୍‌ ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିଲେ। ଉପସଭାପତି ସନ୍ତୋଷ ସିଂହ ସାଲୁଜା, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ପୂର୍ବତନ ସାଂସଦ ଅନନ୍ତ ସେଠୀ, ବିଧାୟକ ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ।