୨୬ ଓ ୨୭ରେ ରାଜ୍ୟ‌ର ସବୁ ଏସ୍‌ପି ଅଫିସ୍‌ ଘେରାଉ କରିବ ବିଜେପି

ରାଜନୀତି ପାଇଁ ଅତି ନିମ୍ନ ସ୍ତରକୁ ଯାଉଛି ବିଜେପି: ବିଜେଡି

ଭୁବନେଶ୍ବର : ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ଏବଂ ଗିରଫ କରିବା ଦାବିରେ ୨୬ ଓ ୨୭ତାରିଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହେବ ବୋଲି ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଶ୍ ଆଚାର୍ଯ୍ୟ କହିଛନ୍ତି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ରାଜ୍ୟ ସରକାର ଓ ଶାସକ ଦଳ ଦୋଷୀକୁ ଘଣ୍ଟ ଘୋଡ଼ାଉଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ। ଏହି ଘଟଣା ନୂଆ ନୁହେଁ। ମାଧବୀଲତା, ଇତିଶ୍ରୀ, ବେବିନା, କୁନ୍ଦୁଲି ପୀଡ଼ିତା, ପରୀ, ସ୍ମିତାରାଣୀ, ମାହଙ୍ଗା ଡବଲ୍‌ ମର୍ଡର, ‌ସୌମ୍ୟରଞ୍ଜନ ଭଳି ହତ୍ୟାକାଣ୍ଡରେ ପୁଲିସ ଯେପରି ଶାସକ ବିଜେଡି ଚାପରେ କେସ୍‌ରେ ଅବହେଳା କଲା ତାହା ଏଠାରେ ବି ଦେଖିବାକୁ ମିଳିଛି। ଲୋକଦେଖାଣିଆ ଭାବେ ଜଣେ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇ ମନ୍ତ୍ରୀଙ୍କୁ ଖସାଇଦେବାର ଚକ୍ରାନ୍ତ କରାଯାଉଛି। ମୃତ ଶିକ୍ଷୟିତ୍ରୀ ମମିତା ଦୀର୍ଘ ୭ମାସ ଧରି ଛୁଟିରେ ଘରେ ଥିଲେ ହେଁ ତାଙ୍କୁ ଅଭିଯୁକ୍ତ ଗୋବିନ୍ଦ ସାହୁ ଚକ୍ରାନ୍ତ କରି ଘରୁ ଡାକିଥିଲା ବୋଲି ପୁଲିସ ନିଜେ ପ୍ରକାଶ କରିଛି। ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଅନୈତିକ କାରବାରରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସଂପୃକ୍ତି ସମ୍ପର୍କରେ ମମିତାଙ୍କ ପିତା‌ମାତାଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ବେ ମାଜିଷ୍ଟ୍ରେଟଙ୍କ ଆଗରେ କାହିଁକି ବୟାନ ରେକର୍ଡ କରାଯାଇନାହିଁ? ପୁଲିସକୁ ହାତବାରିସୀ କରି ବିଜେଡି ଏଭଳି ଜଘନ୍ୟ ଓ ବର୍ବରୋଚିତ ହତ୍ୟାକାଣ୍ଡକୁ ଦିଗହରା କରିବା ପାଇଁ ଷଡଯନ୍ତ୍ର କରୁଛି। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ତୁରନ୍ତ ବହିଷ୍କାର କରିବା ସହ ଘଟଣାର ତଦନ୍ତ ଦାୟିତ୍ବ ସିବିଆଇକୁ ଦିଆଯାଉ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଅର୍ପିତା ଅପରାଜିତା ବଡ଼ଜେନା, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ ଗୋଚ୍ଛାୟତ, ମନୋଜ ପଶ୍ଚିମ କବାଟ ପ୍ରମୁଖ ଉପସ୍ଥିତ ଥିଲେ।

ରାଜନୀତି ପାଇଁ ଅତି ନିମ୍ନ ସ୍ତରକୁ ଯାଉଛି ବିଜେପି: ବିଜେଡି
ଭୁବନେଶ୍ବର : ବିଜେପି ନେତାମାନେ ରାଜନୀତିରେ ତିଷ୍ଠି ରହିବା ପାଇଁ କିଭଳି ଟିଭିରେ ମୁହଁ ଦେଖାଇବାକୁ ହେବ ସେଥିପାଇଁ ପରସ୍ପର ସହ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ପୀଡ଼ିତାଙ୍କୁ ନ୍ୟାୟ ଦେବା ନୁହେଁ, ବରଂ ନିଜର ସ୍ବାର୍ଥ ଜଡ଼ିତ ରାଜନୈତିକ ଲାଭ ପାଇଁ ଏହି ସମ୍ବେଦନଶୀଳ ପ୍ରସଙ୍ଗର ରାଜନୀତିକରଣ କରିବା ଏବଂ ଟିଭିରେ ଦେଖା‌ଦେବା ‌‌ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଚିନ୍ମୟ ସାହୁ।

ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଶ ଆଚାର୍ଯ୍ୟଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ୍ ଦେଇ ଶ୍ରୀ ସାହୁ କହିଛନ୍ତି ଯେ ଆଜି ଓଡ଼ିଶା ବିଜେପି ସାମ୍ବାଦିକ ସମ୍ମିଳନୀ କରିବା ପାଇଁ କୌଣସି ନେତାଙ୍କୁ ଖୋଜି ପାଇଲା ନାହିଁ। ଶେଷରେ ଇରାଶିଶ ଆଚାର୍ଯ୍ୟ ନାମକ ଜଣେ ହତ୍ୟା ମାମଲାରେ ଜଡ଼ିତ ଅପରାଧୀ ମିଳିଲେ। ଯିଏ କି ସଂଯୋଗବଶତଃ ବିଜେପିରେ ଅଛନ୍ତି। ଏହା ଅତ୍ୟନ୍ତ ପରିତାପର ବିଷୟ‌ ଯେ ପୀଡ଼ିତାଙ୍କୁ ନ୍ୟା‌ୟ ଦାବିରେ ବି‌େଜପି କରିଥିବା ସାମ୍ବାଦିକ ସମ୍ମିଳନୀରେ ଜଣେ ଜେଲ୍‌ ଫେରନ୍ତା ଅପରାଧୀଙ୍କୁ ବସାଉଛି। ଯାହା ଦର୍ଶାଉଛି ଯେ ବିଜେପି କେତେ ନିମ୍ନସ୍ତରକୁ ଖସିଯାଇଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରିବା ପଛରେ ବିଜେପିର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଖାଉଟି ସାମଗ୍ରୀର ମୂଲ୍ୟ ବୃଦ୍ଧି, ଇନ୍ଧନ ମୂଲ୍ୟ ବୃଦ୍ଧି, ଚାଷୀଙ୍କ କ୍ରୋଧ, ଜାତୀୟ ବେକାରୀ ଭଳି ବାସ୍ତବ ଜନପ୍ରସଙ୍ଗରୁ ଲୋକଙ୍କ ଦୃଷ୍ଟି ଅନ୍ୟ ଆଡ଼େ ହଟାଇବା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର