ଭୁବନେଶ୍ବର : ବହୁ ଚର୍ଚ୍ଚିତ ଧର୍ମେନ୍ଦ୍ର ସାହୁ ମୃତ୍ୟୁର ଅଭିଯୁକ୍ତ ମନ୍ତ୍ରୀ ସମୀର ଦାଶ ଓ ଅର୍ଚ୍ଚନା ନାଗ ସ୍କାଣ୍ଡାଲରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ନିରବ ସାଜିଛନ୍ତି। ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ କଥାରେ ଆଖି ବନ୍ଦ କରି ବସିଛନ୍ତି। ଏପରିକି ଅଭିଯୁକ୍ତଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ସତ୍ତ୍ବେ ଶାସକ ବିଜେଡିର ଚାପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ୪୮ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାନଗଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବା ସହ ଅକ୍ଟୋବର ୩୧ରେ ନବୀନ ନିବାସ ଘେରାଉ କରାଯିବ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

Advertisment

କମିସନରେଟ୍ ପୁଲିସ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଦୁଇ ଦିନ ହେଲା ଅହରାତ୍ର ଧାରଣାରେ ବସିଥିବା ବେଳେ ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି ଯେ ପୁଲିସ ଚାପର ବଶବର୍ତ୍ତୀ ହୋଇ ଶାସକ ବିଜେଡି ହିତରେ କାର୍ଯ୍ୟ କରୁଛି। ଯେଉଁଥିପାଇଁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲା ଏବଂ ସବ୍‌ଡିଭିଜନରେ ଦୁର୍ନୀତିଖୋର ଓ ବ୍ୟଭିଚାର ଶାସକ ବିଜେଡି ବିରୋଧରେ ଆନ୍ଦୋଳନ ଜରିଆରେ ଜନଜାଗରଣ ସୃଷ୍ଟି କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଆଜି ଦ୍ବିତୀୟ ଦିନର ଧାରଣରେ ବିଜେପି ନେତ୍ରୀ ସୁରମା ପାଢ଼ୀ, ପ୍ରଭାତୀ ପରିଡା, ଦିଲୀପ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓମପ୍ରକାଶ ମିଶ୍ରଙ୍କ ସମେତ ରାଜ୍ୟ ତଥା ଜିଲ୍ଲାର ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।