ମମିତା ମେହେର ହତ୍ୟା ମାମଲାରେ ତାତିଲା ବିଜେପି: ୯ରେ ବିଧାନସଭା ଘେରିବେ ୫ ଜିଲ୍ଲାର ହଜାରେରୁ ଅଧିକ ଯୁବମୋର୍ଚ୍ଚା କର୍ମୀ

ପାଟଣାଗଡ଼ : ମମିତା ମହେର ହତ୍ୟା ମାମଲାରେ ପରିବାରକୁ ନ୍ୟାୟ ପ୍ରଦାନ ଏବଂ ଗୃହ ରା‌ଷ୍ଟ୍ର ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆସନ୍ତା ୯ ତାରିଖ ଦିନ ବିଧାନସଭା ଘେରାଉ କରାଯିବା ନିଷ୍ପତ୍ତି ହୋଇଛି। ଶନିବାର ପାଟଣାଗଡ଼ ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି।

ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସ‌ଂଯୋଜକ ଦୀନେଶ ଶର୍ମା, ରାଜ୍ୟ ସମ୍ପାଦକ ପ୍ରୀତୀଶ ବହିଦାର, ଜାତୀୟ କାଉନସିଲ ସଦସ୍ୟ ଦିବ୍ୟଜ୍ୟୋତି ମୁଣ୍ଡ, ରାଜ୍ୟ ସମ୍ପାଦିକା ତଥା ବଲାଙ୍ଗୀର ପ୍ରଭାରୀ ଅର୍ଚ୍ଚନା ବାଗ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନରସିଂହ ସିଂହ, ବଲାଙ୍ଗୀର ଜିଲ୍ଲା ଯୁବ ସଭାପତି ସୁଶାନ୍ତ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଯୁବମୋର୍ଚ୍ଚା ଅଭିଯୋଗ କରିଥିଲା ଯେ, ମମିତା ମେହେର ହତ୍ୟା ମାମାଲାରେ ସିଧାସଳଖ ଭାବେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବାରୁ ରାଜ୍ୟ ସରକାର ଓ ରାଜ୍ୟ ପୁଲିସ ଘଣ୍ଟ ଘୋଡ଼ାଉଛନ୍ତି। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବହିଷ୍କାର ଓ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଥିଲା। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବହୁ ଦିନ ହେଲା ଚୁପ୍‌ ରହିଥିବା ବେଳେ ବିଧାନସଭାରେ ଏକ ଅଡିଓ-ଭିଡିଓ ଟେପ୍‌ ମାଧ୍ୟମରେ ସୂଚନା ଦେବା ହାସ୍ୟାସ୍ପଦ ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟୁ ସମାଲୋଚନା କରାଯାଇଥିଲା। ଏହା ସହିତ ମୃତ ମମିତାଙ୍କୁ ନ୍ୟାୟ ପ୍ରଦା‌ନ ଦାବିରେ ଆସନ୍ତା ୯ ତାରିଖ ଦିନ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ବିଜେପି ଯୁବମୋର୍ଚ୍ଚାର ହଜାରେରୁ ଅଧିକ କର୍ମୀ ବିଧାନସଭା ଘେରିବେ ବୋଲି ସୂଚନା ଦିଆଯାଇଥିଲା। ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ବହିଷ୍କାର କରା ନଯିବା ପର୍ଯ୍ୟନ୍ତ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।

‌ଏହା ସହିତ ଆସନ୍ତା ୯ ତାରିଖ ବିଧାନସଭା ଘେରାଉ ପାଇଁ ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ପୂର୍ବ ଜିଲ୍ଲା ସଭାପତି ତଥା ପାଟଣାଗଡ଼ ବ୍ଲକ୍‌ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ, ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଶ୍ରୀ ଶର୍ମା, ରାଜ୍ୟ ସମ୍ପାଦକ ଶ୍ରୀ ବହିଦାର, ଜାତୀୟ କାଉନସିଲ ‌ସଦସ୍ୟ ଶ୍ରୀ ମୁଣ୍ଡ, ନୂଆପଡ଼ା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡାଙ୍କ ସହ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଯୁବମୋର୍ଚ୍ଚାର ଜିଲ୍ଲା ସଭାପତି ଓ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର