ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ପରଦିନ ଅର୍ଥାତ ଆସନ୍ତା ୨୧ ତାରିଖ ଦିନ ରାଜ୍ୟ ବିଧାନସଭାର ବାଚସ୍ପତି ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପଶ୍ଚିମ ଓଡ଼ିଶାର ଜନଭାବନା ପ୍ରତି ଆଘାତ ଦେଇଥିବାରୁ ବିଜେପି ବାଚସ୍ପତି ନିର୍ବାଚନକୁ ବର୍ଜନ କରିବ ବୋଲି ବିଜେପି ରାଜ୍ୟ ଉପସଭାପତି ତଥା ରେଂଗାଲି ବିଧାୟକ ନାଉରୀ ନାୟକ ଆଜି ଏଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।

Advertisment

ସମ୍ବଲପୁର ଜିଲ୍ଳା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରେଂଗାଲି ବିଧାୟକ ନାଉରୀ ନାୟକ କହି‌ଲେ, କେବେ ବାଚସ୍ପତି ନିର୍ବାଚନ ହେବ, ସେହି ତାରିଖ ଧାର୍ଯ୍ୟ କରିବା ହେଉଛି ସଂସଦୀୟ ବ୍ୟାପର ବିଭାଗର କାର୍ଯ୍ୟ। ଓଡ଼ିଶାରେ ମନ୍ତ୍ରୀମାନଙ୍କ କାମ ସଚିବମାନେ କରୁଛନ୍ତି। ୫ଟି ସଚିବ ସବୁକିଛି ସ୍ଥିର କରିଛନ୍ତି। ଜଣେ ଅଣଓଡ଼ିଆ ଲୋକ ହୋଇଥିବାରୁ ଓଡ଼ିଶାର ସଂସ୍କୃତି ବି‌ଷୟରେ ଜାଣିପାରୁନାହାନ୍ତି। ନୂଆଁଖାଇ ପୂର୍ବ ୩/୪ ଦିନ ଏବଂ ପର ୪/୫ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ଗାଁରୁ ସହର ପର୍ଯ୍ୟନ୍ତ ବିବିଧି କାର୍ଯ୍ୟକ୍ରମ ନିମନ୍ତେ ଚଳଚଞ୍ଚଳ ରହିଥାଏ। ବିଧାୟକମାନଙ୍କୁ ଏଥିପାଇଁ ନିଜ ଅଂଚଳରେ ରହିବାକୁ ପଡ଼ିଥାଏ। ଦୁର୍ଭାଗ୍ୟର ବିଷୟ, ରାଜ୍ୟ ସରକାର ଏଥର ବାଚସ୍ପତି ନିର୍ବାଚନ ପାଇଁ ୧୮ତାରିଖରେ ନାମାଙ୍କନ ପତ୍ରର ଦାଖଲ ଓ ୨୧ତାରିଖରେ ବିଧାନସଭା ବୈଠକ ପାଇଁ ଘୋଷଣା କରିଛନ୍ତି । ନୂଆଖାଇ ପର୍ବ ୨୧ ତାରିଖରେ ହେଉଥିବା କାରଣରୁ ପଶ୍ଚିମ ଓଡିଶାର ବିଧାୟକମାନେ ନିଜ ନିଜ ଅଂଚଳ ଛାଡି ଭୁବନେଶ୍ୱର ଯିବା ସମ୍ଭବ ନୁହେଁ। ଏହା ସତ୍ୱେ ରାଜ୍ୟ ସରକାର ବିଧାନସଭା ଅଧିବେଶନ ଆରମ୍ଭ କରୁଛନ୍ତି, ଯାହାକି ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ଉପହାସ। ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ଏଭଳି ମନୋଭାବ କାହିଁକି ବୋଲି ବିଜେପି ରାଜ୍ୟ ଉପସଭାପତି ତଥା ବିଧାୟକ ଶ୍ରୀ ନାଉରୀ ନାୟକ ପ୍ରଶ୍ନ କରିଛନ୍ତି।

୨୧ ତାରିଖ ଦିନ ବାଚସ୍ପତି ନିର୍ବାଚନ ସଂକ୍ରାନ୍ତରେ ଘୋଷଣା ହେବା ପରେ ବିଭିନ୍ନ ଫୋରମ୍‌ରେ ପ୍ରତିବାଦ ବି ହୋଇଛି। ଏସବୁ ସତ୍ତ୍ବେ ସରକାର ନିଜ ନିଷ୍ପତ୍ତି ଅଟଳ ରହିଛନ୍ତି। ତେଣୁ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପରାମର୍ଶ କ୍ରମେ ତାକୁ ବିଜେପି ବିଧାୟକମାନେ ବାଚସ୍ପତି ନିର୍ବାଚନକୁ ବର୍ଜନ କରିବ ବୋଲି ଶ୍ରୀ ନାୟକ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ବିଶ୍ବକର୍ମା ପୂଜା ଅବସରରେ ପ୍ରଧାନମନ୍ତ୍ରୀ ଏକ ନୂଆ ଯୋଜନା ଘୋଷଣା କରିବେ। ଏଥିରେ ୨୩ଟି ବର୍ଗର ଲୋକେ ଉପକୃତ ହେବ। ଏହି କ୍ରମରେ ଓଡ଼ିଶାରେ ଭୁବନେଶ୍ବର, ପୁରୀ ଓ ସମ୍ବଲପୁରରେ ୩ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆସନ୍ତା ୧୭ ତାରିଖ ଦିନ ସମ୍ବଲପୁରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜନ୍ ବାର୍ଲା ସାମିଲ ହେବେ ବୋଲି ଶ୍ରୀ ନାୟକ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଅନ୍ନପୂର୍ଣ୍ଣା ବାରିକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଶ୍ବିନୀ ମାଝୀଙ୍କ ସହିତ ମାନସ ରଂଜନ ବକ୍ସି ଓ ସଂଜୟ ଷଡ଼ଙ୍ଗୀ ମଂଚାସୀନ ଥିଲେ।