ଭୁବନେଶ୍ବର: କିଏ ହେବେ ମୁଖ୍ୟମନ୍ତ୍ରୀ? ନିର୍ବାଚନ ଫଳାଫଳ ଆସିବାର ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ସସ୍‌ପେନ୍ସ ଜାରି ରହିଛି। କେବଳ ବିଜେପି ନେତା ଓ କର୍ମୀ ନୁହନ୍ତି, ସାରା ରାଜ୍ୟବାସୀ ଚାହିବସିଛନ୍ତି କାହାକୁ ବିଜେପି ଏହି ଗୁରୁତ୍ବପୂର୍ଣ୍ଣ ପଦବି ଦେଉଛି। ମଙ୍ଗଳବାର ଦିନ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି। ଏପଟେ ଦିନ ଯେତିକି ଗଡ଼ୁଛି ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଧିକ ବିଧାୟକଙ୍କ ନାମ ଯୋଡ଼ି ହେବାରେ ଲାଗିଛି।

Advertisment

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ବେଳେ ବିଜେପିକୁ ବେଶ୍‌ ସତର୍କତାର ସହ ଗୋଟି ଚଳାଇବାକୁ ପଡ଼ୁଛି। କାରଣ ବିଜେଡି ୨୪ ବର୍ଷ ହେଲା କ୍ଷମତାରେ ଥିଲା। ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବ ବେଶ୍‌ ଉଚ୍ଚା ରହିଥିଲା। ତେଣୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ବ ଓ ଭାବମୂର୍ତ୍ତି ମଧ୍ୟ ତାଙ୍କର ପାଖାପାଖି ରହିବାର ଆବଶ୍ୟକତା ରହିଛି ବୋଲି ଦଳର କେନ୍ଦ୍ରୀୟ ନେତୃତ୍ବ ଚିନ୍ତା କରୁଛନ୍ତି। ପୁଣି ବିଜେପି ଯେପରି ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି, ତାହାକୁ ପୂରଣ କରିବା ପାଇଁ ଏକ ଦୃଢ଼ ସରକାର ଦରକାର। ନୂଆ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନେଇ କାମ କରି ସେହି ପ୍ରତିଶ୍ରୁତି ପୂରଣ କରିବେ, ଯାହା ଦୃଢ଼ ନେତୃତ୍ବ ବିନା ଅସମ୍ଭବ। ପ୍ରଥମ ଥର ବିଜେପି ଏକା ସରକାର ଗଢ଼ୁଥିବାରୁ ନୂଆ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଓ ଭାବମୂର୍ତ୍ତି ଦଳର ଭବିଷ୍ୟତ ପାଇଁ ବହୁ ଗୁରୁତ୍ବ ରଖୁଛି।

ମନମୋହନ ଆଗରେ
ପଶ୍ଚିମ ଓଡ଼ିଶା କାର୍ଡ ଖେଳିଲେ ଆଗରେ ସୁରେଶ ପୂଜାରୀ
ସୃଷ୍ଟି ହୋଇପାରେ ଦୁଇ ଉପମୁଖ୍ୟମନ୍ତ୍ରୀ ପଦ

ବର୍ତ୍ତମାନ ସୁଦ୍ଧା ଚର୍ଚ୍ଚାରେ ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀଙ୍କ ନାମ ମଧ୍ୟ ରହିଛି। ସୁରେଶଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ପଶ୍ଚିମ ଓଡ଼ିଶା କାର୍ଡ ଖେଳିପାରେ ବୋଲି ରାଜନୈତିକ ମହଲ ଅନୁମାନ କରୁଛନ୍ତି। ଏମିତିରେ ବି ସୁରେଶ ଦଳର ଜଣେ ପୁରୁଣା ଓ ଅଭିଜ୍ଞ ନେତା। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ଯେଉଁ ଦୁଇ ଲୋକସଭା ସାଂସଦ ସ୍ଥାନ ପାଇଛନ୍ତି, ସେମାନେ ପଶ୍ଚିମ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଛନ୍ତି। ତେଣୁ ସୁରେଶଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରାଗଲେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରୁ ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି। ବିଜେପି ଅନ୍ୟ ରାଜ୍ୟରେ ଏମିତି ନିଷ୍ପତ୍ତି ନେଇ ଦଳରେ ଭାରସାମ୍ୟ ରକ୍ଷା କରିଥିବାରୁ ଓଡ଼ିଶାରେ ଏହାର ପୁନରାବୃତ୍ତି ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସେହିପରି ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ହେଲେ ଆଉ ଗୋଟିଏ ଗୋଷ୍ଠୀ କହୁଛନ୍ତି ଯେ ତାଙ୍କ ପରିବାରର ଦୁଇ ଜଣ ଟିକେଟ ମିଳିଛି। ଏଣୁ ପୁଣି ଗୋଟିଏ ବଡ଼ ପଦବି ଟେକିଦେବା ଠିକ୍ ହେବନାହିଁ। ଏହାବ୍ୟତୀତ କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାଜିତ କରିଥିବା ଲକ୍ଷ୍ମଣ ବାଗଙ୍କ ନାମ ମଧ୍ୟ ଆଲୋଚନାରେ ରହିଛି।
ରାଜନୈତିକ ମହଲର କହିବା କଥା ହେଉଛି ଯେ ଦକ୍ଷିଣ ଓଡ଼ିଶାରେ ବିଜେଡିର ଗଡ଼କୁ ବିଜେପି ସମ୍ପୂର୍ଣ୍ଣ ଭାଙ୍ଗିଦେଇଛି। ତେଣୁ ନୂଆ ମନ୍ତ୍ରିମଣ୍ଡଳରେ ସେହି ଅଞ୍ଚଳର ଠିକଣା ପ୍ରତିନିଧିତ୍ବ ନ ରହି‌ଲେ, ସାଂଗଠନିକ ଦୃଷ୍ଟିକୋଣରୁ ଦଳ ପାଇଁ ଆଗକୁ ସମସ୍ୟା ଆସିପାରେ। ସେହିପରି ଉପକୂଳର ବିଜେଡି ଦୁର୍ଗରେ ମଧ୍ୟରେ ବିଜେପି ଧସେଇ ପଶିଛି। ଏଠାରେ ବିଜେଡି ଠାରୁ ଆସନ ଛଡ଼ାଇବା ପାଇଁ ପ୍ରାର୍ଥୀମାନଙ୍କୁ ବେଶ୍‌ ସଂଘର୍ଷ କରିବାକୁ ପଡ଼ିଛି। ତେଣୁ ଗୋଟିଏ ଉପମୁଖ୍ୟମନ୍ତ୍ରୀ ପଦ ଉପକୂଳ ବା ଉତ୍ତର ଓଡ଼ିଶାକୁ ମିଳିବାର ସମ୍ଭାବନା ରହିଛି।

ସେପଟେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାମ ଏବେ ମଧ୍ୟ ଆଗରେ ରହିଛି। ସେ ନିଜେ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ହେଁ ଗୋଟିଏ ବର୍ଗ ତାଙ୍କ ସପକ୍ଷରେ ଲବି ଚଳାଇଛନ୍ତି। ସେମାନଙ୍କର ଯୁକ୍ତି ହେଉଛି ଯେ ଦଳର ନେତୃତ୍ବ ନେଇ ଜିତାଇବାରେ ଏକ ବଡ଼ ଭୂମିକା ମନମୋହନ ନେଇଛନ୍ତି। ଯଦିଓ ସେ ନିଜେ ହାରିଯାଇଛନ୍ତି, ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦବି ଦିଆଯିବା କଥା। କିନ୍ତୁ କେନ୍ଦ୍ରୀୟ ନେତୃତ୍ବ ଏ ସମ୍ପର୍କରେ ସହମତି ନଥିବା କୁହାଯାଉଛି। ତଥାପି ତାଙ୍କ ନାମକୁ ଗୁରୁତ୍ବର ସହ ବିଚାର କରାଯାଉଥିବା କୁହାଯାଉଛି। ଯଦି ସେ ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ବିଜେପିର ଜଣେ ବିଧାୟକଙ୍କୁ ନିଜ ଆସନ ଛାଡ଼ିବାକୁ ପଡ଼ିବ। ୬ ମାସ ଭିତରେ ଉପନିର୍ବାଚନରେ ମନମୋହନଙ୍କୁ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ମନମୋହନ ମୁଖ୍ୟମନ୍ତ୍ରୀ ହେଲେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ଉପମୁଖ୍ୟମନ୍ତ୍ରୀ ପଦ ସହ ମନ୍ତ୍ରିମଣ୍ଡଳରେ ଅଧିକ ଆସନ ଦିଆଯାଇପାରେ।

ବିଜେପି ଆଦିବାସୀ କାର୍ଡ ଖେଳିପାରେ ବୋଲି ମଧ୍ୟ କୁହାଯାଉଛି। ଯଦି ଏମିତି କିଛି ଶୀର୍ଷ ସ୍ତରରେ ନିଷ୍ପତ୍ତି ହୁଏ, ତେବେ ମୋହନ ମାଝୀଙ୍କ ନାମ ଆଗରେ ରହିବ। ସେ ଚାରି ଥର ବିଧାନସଭାକୁ ନିର୍ବାଚିତ ‌ହୋଇସାରିଲେଣି। ମେଣ୍ଟ ସରକାର ସମୟରେ ସେ ଉପ ମୁଖ୍ୟସ‌ଚେତକ ଭାବେ ଦାୟିତ୍ବ ତୁଲାଇଥିଲେ। ଗତ ବିଧାନସଭା ସମୟରେ ବିରୋଧୀ ଦଳର ମୁଖ୍ୟ ସ‌ଚେତକ ଭାବେ ତାଙ୍କର ପ୍ରଦର୍ଶନ ବେଶ୍‌ ପ୍ରଭାବଶାଳୀ ରହିଥିଲା। ଯଦି ମୋହନଙ୍କୁ ଦଳ ଚୟନ କରେ, ତେବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବି ଦିଆଯାଇପାରେ। କୁଚିଣ୍ଡା ବିଧାୟକ ରବି ନାରାୟଣ ନାଏକଙ୍କ ନାମ ମଧ୍ୟ ଏହି ଚର୍ଚ୍ଚାରେ ଯୋଡ଼ି ହୋଇଛି। ସେ ବିଧାନସଭାକୁ ଚାରି ଥର ନିର୍ବାଚିତ ହୋଇଛନ୍ତି। ସେ ନିଜେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜର ଇଚ୍ଛା ପ୍ରକଟ କରିସାରିଛନ୍ତି।
ବିଜେପି ମହିଳା କାର୍ଡ ଖେଳିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ଚଳିତ ନିର୍ବାଚନରେ ବିଜେପିରୁ ଅଭିଜ୍ଞ ବିଧାୟିକା ଭାବେ ରଣପୁରର ସୁରମା ପାଢ଼ୀଙ୍କ ନାମ ଆଗରେ ଆସୁଛି। ସେ ପୂର୍ବରୁ ୨୦୦୪ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମେଣ୍ଟ ସରକାର ସମୟରେ ମନ୍ତ୍ରୀ ଥିଲେ।