ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ବିଜେଡିର ସବୁ ବେଆଇନ, ଦୁର୍ନୀତିର ପର୍ଦ୍ଦାଫାସ କରିବ ବିଜେପି। ଏଥିପାଇଁ ୧୦୮ଟି ପ୍ରସଙ୍ଗରେ ଚାର୍ଜସିଟ୍ ପ୍ରସ୍ତୁତ କରିଛି। ଏଥିରେ ସରକାରଙ୍କ ବିଫଳତାରୁ ଆରମ୍ଭ କରି ୫-ଟି ସଚିବଙ୍କ ସଭା, ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ପ୍ରସଙ୍ଗ, ଓଡ଼ିଶାର ସବୁ କାମ କାହିଁକି ତାମିଲନାଡ଼ୁ ଲୋକଙ୍କୁ ଦିଆଯାଉଛି, କୋଇଲା ଦୁର୍ନୀତି, ଲୁହାପଥର ଦୁର୍ନୀତି, ବିଜୁଳି ଦୁର୍ନୀତି, ସହରରେ ମୁକୁଳା ଡ୍ରେନ୍, ଡେଙ୍ଗୁ ମୁକାବିଲାରେ ସରକାରଙ୍କ ବିଫଳତା, ରାଜଧାନୀ ଉପକଣ୍ଠରେ ଜମି ଦୁର୍ନୀତି, ଚାକିରି ସ୍କାମ୍, ଦରଦାମ ନିୟନ୍ତ୍ରଣରେ ସରକାରଙ୍କ ବିଫଳତା, ନବ ଦାସ ହତ୍ୟାକାଣ୍ଡର ଚାର୍ଜସିଟ୍ ସାର୍ବଜନୀନ କରିବା ଭଳି ୧୦୮ ପ୍ରସଙ୍ଗକୁ ଚାର୍ଜସିଟ୍ରେ ସ୍ଥାନ ଦିଆଯାଇଛି। ଏହାକୁ ଗାଁକୁ ଗାଁ ବୁଲି ଲୋକଙ୍କ ପାଖରେ ପହଞ୍ଚାଯିବ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି।
ବିରୋଧୀ ଦଳ ନେତା କହିଛନ୍ତି ଯେ କେଉଁ କ୍ଷମତା ବଳରେ ୫-ଟି ସଚିବ ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି? ସଚିବଙ୍କ ହେଲିକପ୍ଟର ବୁଲାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତା’ର ତଥ୍ୟ ଆର୍ଟିଆଇରେ ମିଳିଛି। ଆର୍ଟିଆଇରେ ରାଜ୍ୟ ସରକାର ନିଜେ ଉତ୍ତର ଦେଇଛନ୍ତି। ତେଣୁ ବିଧାନସଭାରେ ମଧ୍ୟ ସରକାର ଉତ୍ତର ଦେବେ। ଆର୍ଟିଆଇ ତଥ୍ୟ ଠିକ୍ ନା ବିଧାନସଭାରେ ସରକାର ଦେବାକୁ ଥିବା ଉତ୍ତର ଠିକ୍ ତାହା ବିଧାନସଭାରେ ନିଷ୍ପତ୍ତି ହେବ। ମୁଖ୍ୟମନ୍ତ୍ରୀଙ୍କୁ ତ ବୁଲିବାକୁ କେହି ମନା କରୁନାହାନ୍ତି। ମୁଖ୍ୟମନ୍ତ୍ରୀ ବୁଲନ୍ତୁ ଏବଂ ସବୁ କାର୍ଯ୍ୟର ସର୍ଭେ କରନ୍ତୁ। କେମିତି ସବୁ ପ୍ରକଳ୍ପ ତିଆରି ହେବା ପରେ ଭୁଶୁଡ଼ି ପଡୁଛି, ସେଇଟା ବି ମୁଖ୍ୟମନ୍ତ୍ରୀ ନିଜେ ଦେଖନ୍ତୁ। ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାମ୍ବିଧାନିକ ମୁଖ୍ୟ ଭାବେ ବୁଲିବେ। କିନ୍ତୁ ତାଙ୍କୁ କେଉଁ କ୍ଷେତ୍ରରେ ବିରୋଧ କରାଯିବ ଖୁବଶୀଘ୍ର ସେନେଇ ନିଷ୍ପତ୍ତି ନିଆଯିବ। ଏତେ ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କେଉଁଠି ଶୋଇଥିଲେ, ଏବେ କେମିତି ଚେଇଁଲେ। ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ଦେବେ ନାହିଁ କି? ଯଦି ନିର୍ବାଚନର ଦୁଇ ଚାରି ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗୁଛି, ତେବେ ଏତେ ଦିନ ହେଲା କୁଆଡ଼େ ଶୋଇଥିଲେ?
ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ବିରୋଧୀ ଦଳ ନେତା କଟାକ୍ଷ କରିବା ଏବଂ ୧୦୮ଟି ପ୍ରସଙ୍ଗରେ ଚାର୍ଜସିଟ୍ ପ୍ରସ୍ତୁତ ହେବା ନେଇ କହିବା ପରେ ଶାସକ ଦଳ ବିଧାୟକ ରୋହିତ ପୂଜାରୀ ଟ୍ବିଟ୍ କରି କହିଛନ୍ତି ଯେ ଜୟନାରାୟଣ ଏକାଧିକ ଅପରାଧିକ ମାମଲାରେ ସଂଶ୍ଲିଷ୍ଟ। ତାଙ୍କ ବିରୋଧରେ କୋର୍ଟରେ ୧୬ଟି ଚାର୍ଜସିଟ୍ ଦାଖଲ ହୋଇଛି। ସମ୍ଭବତଃ ଜୟନାରାୟଣ ଏହି ଚାର୍ଜସିଟ୍ ବିଷୟରେ କହୁଛନ୍ତି। ମହିଳାଙ୍କୁ ଆକ୍ରମଣ କରୁଥିବା ଲୋକ ବିଷୟରେ ଆମର କିଛି କହିବାର ନାହିଁ। କାର୍ଯ୍ୟରତ ମହିଳା ପୁଲିସ ଅଧିକାରୀଙ୍କୁ ସେ ଦୁର୍ବ୍ୟବହାର କରିଛନ୍ତି। ତାଙ୍କର ମାନସିକ ସ୍ୱାସ୍ଥ୍ୟ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁନୁ। ତାଙ୍କଠାରୁ ଗଣମାଧ୍ୟମ ଦୂରେଇ ରହୁ। ସେହିପରି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଆଗକୁ ନିର୍ବାଚନ ଥିବାରୁ ବିରୋଧୀ ଏଭଳି ଅଭିଯୋଗ କରୁଛନ୍ତି। ବିଜେଡି ଲୋକଙ୍କ ସହ ରହିଛି। ପୂର୍ବରୁ ଯେଉଁମାନେ ଲୋକଙ୍କ ପାଖକୁ ଯାଉନଥିଲେ, ଚାର୍ଜସିଟ୍କୁ ଆଳ କରି ଏବେ ଲୋକଙ୍କ ପାଖକୁ ଯିବାକୁ ଯୋଜନା କରୁଛନ୍ତି।