ଭୁବନେଶ୍ୱର : ଦେଶ ବିଭାଜନ ସମୟରେ ବିସ୍ଥାପିତ ହୋଇଥିବା ଏବଂ ବଳିଦାନ ଦେଇଥିବା ଭାଇ ଭଉଣୀଙ୍କର ସଂଘର୍ଷ ଓ ବଳିଦାନର ସ୍ମୃତିଚାରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଅଗଷ୍ଟ ୧୪ ତାରିଖକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ରୂପେ ପାଳନ କରିବାକୁ ବିଜେପି ନିଷ୍ପତି ନେଇଛି।

Advertisment

ଏହି ଅବସରରେ ୧୯୪୭ ମସିହାର ବିଭାଜନ ବିଭୀଷିକାର ପ୍ରଦର୍ଶନୀ ରାଜ୍ୟର ସମସ୍ତ ଜିଲ୍ଲା ଏବଂ ସହରାଞ୍ଚଳରେ ଅନୁଷ୍ଠିତ ହେବା ସହ ପ୍ରାଣ ହରାଇଥିବା ଲକ୍ଷ ଲକ୍ଷ ନିରୀହ ଲୋକଙ୍କ ଉଦ୍ଦେଶ୍ୟରେ ଏକ ନିରବ ଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ ବୋଲି ବିଜେପି ମୁଖପାତ୍ର ତଥା ଏହି କାର୍ଯ୍ୟକ୍ରମ ଆୟୋଜନ କମିଟିର ସଂଯୋଜକ ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି।

ଆଜି ସକାଳ ୧୧ଟାରେ ଭୁବନେଶ୍ୱର ରେଳ ଷ୍ଟେସନରେ ପୂର୍ବତଟ ରେଳପଥ ତରଫରୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଅବସରରେ ଆୟୋଜିତ ପ୍ରଦର୍ଶନୀକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିବେ। ଅପରାହ୍ନ ୪ଟାରେ ମ୍ୟୁଜିୟମ ଛକଠାରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏଜି ଛକସ୍ଥିତ ବାବାସାହେବ ଆ‌େମ୍ବଦକରଙ୍କ ପ୍ରତିମୂର୍ତି ପର୍ଯ୍ୟନ୍ତ ଯିବାକୁ ଥିବା ନିରବ ପଦଯାତ୍ରାରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଏବଂ ଜନସାଧାରଣ ଯୋଗ ଦେବାକୁ ଶ୍ରୀ ରାୟ ନିବେଦନ କରିଛନ୍ତି ।