ବ୍ରହ୍ମପୁର: ୫-ଟି ସଚିବ ଭି. କେ ପାଣ୍ଡିଆନ୍‌ଙ୍କ ଗଞ୍ଜାମ ଜିଲ୍ଲା ଗସ୍ତକୁ ବିରୋଧ କରିବା ସହ ଏହାର ଉଚିତ ଜବାବ ଦିଆଯିବ ବୋଲି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଆଜି ଏକ ସାମ୍ୱାଦିକ ସମ୍ମିଳନୀ କୁହାଯାଇଛି। ଗାନ୍ଧୀନଗର ଛକସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ ନେଇ କ୍ଷୋଭ ପ୍ରକାଶ କରି ଆମ ଦେଶର ସମ୍ବିଧାନ ଓ ଗଣତନ୍ତ୍ର ଆଜି ବିପଦରେ ବୋଲି କହିଥିଲେ।

Advertisment

ରାଜ୍ୟରେ ଜଣେ କନିଷ୍ଠ କ୍ୟାଡର୍‌ର ଆଇଏଏସ୍ ଅଧିକାରୀ ଶାସନତନ୍ତ୍ରକୁ କରାୟତ କରିଛନ୍ତି। ଶାସକ ବିଜେଡିର ୧୧୩ ବିଧାୟକ, ୨୦ ଜଣ ମନ୍ତ୍ରୀ, ୨୧ଜଣ ଲୋକସଭା ଓ ରାଜ୍ୟସଭା ସାଂସଦ ଆଜି ନିରୁପାୟ। ଅସନ୍ତୋଷ ବଢ଼ୁଥିଲେ ବି ଟିକେଟ୍‌ ଆଶାରେ କୌଣସି ବିଧାୟକ, ସଂସାଦ ଓ ମନ୍ତ୍ରୀ ମୁହଁ ଖୋଲୁନାହାନ୍ତି, ବରଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଗସ୍ତ ପାଇଁ ଟେଣ୍ଟ ଭିଡ଼ିବାରେ ଲାଗିଛନ୍ତି। ସଚିବଙ୍କ ତିନିଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ୧୨ଟି ନିର୍ବାଚନମଣ୍ଡଳୀରେ ସଭା ଆୟୋଜନ କରି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଏକ ଧୂଆଁବାଣ ବୋଲି ସେ କହିଛନ୍ତି। ଗତ ଦୁଇ ମାସ ଧରି ସଚିବ ରାଜ୍ୟ ସାରା ବୁଲି ହଜାର ହଜାର ଅଭିଯୋଗପତ୍ର ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ କେତୋଟି ଅଭିଯୋଗର ସମାଧାନ ହୋଇଛି ତାହାର ଜବାବ ଦିଆଯାଉ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ଗଞ୍ଜାମକୁ ଏକ ନମ୍ବର ଜିଲ୍ଲାରେ ପରିଣତ କରିବାକୁ ଦେଇଥିବା ପ୍ରତିଶ୍ରୁତି ପାଣିରେ ଗାର ହେବା ପରେ ଏବେ ବ୍ୟକ୍ତିଗତ ସଚିବଙ୍କ ଜରିଆରେ ନୂଆ ନାଟକ ଆରମ୍ଭ କରିଛନ୍ତି। ହେଲିକପ୍ଟର ବ୍ୟବହାର କରି କୋଟି କୋଟି ଟଙ୍କା ରାଜସ୍ୱ ଖର୍ଚ୍ଚ କରୁଛନ୍ତି। ଏହା ରାଜାରାଜୁଡ଼ା ଶାସନ ବ୍ୟବସ୍ଥାଠାରୁ ଆହୁରି ତଳକୁ ଖସିଆସିଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଲୋକଙ୍କୁ ସଭାସ୍ଥଳକୁ ବୁହା ହେଉଛି। କଲେଜ ପିଲାଙ୍କୁ ଧମକ ଦେଇ ସଭାସ୍ଥଳକୁ ନିଆଯାଉଥିବା ଅଭିଯୋଗ ହେଉଛି ବୋଲି ଶ୍ରୀ ଜେନା କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ, ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥୀ, ପ୍ରଭାତ କିରଣ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।