ବିଜେଡି ସରକାର ବିରୋଧରେ ୩ମାସ ଗର୍ଜିବ ବିଜେପି

ରାଜରାସ୍ତାକୁ ଓହ୍ଲାଇବାକୁ ବିଜେପିର ସଜବାଜ, ଜିଲ୍ଲାପାଳଙ୍କୁ ଦାବିପତ୍ର
ତାଲିକାରେ ମନରେଗାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କାମ୍ପା ସାମିଲ
କୋଭିଡ୍ ,ସାଧାରଣ ବଣ୍ଟନ ଓ ଡିଏମ୍ଏଫ୍ କେଳେଙ୍କାରୀ ବି ରହିଛି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ ନେଇ ବ୍ଲକରୁ ଜିଲ୍ଲା ପର୍ଯ୍ୟନ୍ତ ଆନ୍ଦୋଳନ ହେବ। ଦିନେ କି ଦୁଇଦିନ ନୁହେଁ, ପୂରା ତିନିମାସ ଧରି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରଖିବା ଲାଗି ବିଜେଡି ଆଜି କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛି। ବିଜେପି ରାଜ୍ୟ ଉପସଭାପତି ଭ୍ରୁଗୁ ବକ୍ସିପାତ୍ର ଏକ ପ୍ରେସ ଇସ୍ତାହାର ଜରିଆରେ କହିଛନ୍ତି ଯେ ରାଜ୍ୟ କାର୍ଯ୍ୟକାରିଣୀରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ଦଳ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେବ। ବିଶେଷକରି ମନରେଗା, କୋଭିଡ୍ ପରିଚାଳନା ତ୍ରୁଟି, ସାଧାରଣ ବଣ୍ଟନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କାମ୍ପା ଫଣ୍ଡ, ଡିଏମ୍ଏଫ୍ ପାଣ୍ଠି ଆଦିରେ ହୋଇଥିବା ଅନିୟମିତତା ଏବଂ ଦୁର୍ନୀତିର ଦଳ ପର୍ଦାଫାଶ କରିବ। ପ୍ରମାଣ ରଖି କାର୍ଯ୍ୟାନୁଷ୍ଠାନ ଦାବି କରିବ। ତେବେ କୋଭିଡ୍ ନିୟମାବଳୀ ମାନି ଦଳ ଏହି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେବ।

ଶ୍ରୀ ବକ୍ସିପାତ୍ର କହିଛନ୍ତି,ରାଜ୍ୟ କାର୍ଯ୍ୟକାରିଣୀରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ସେପ୍ଟେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକରେ ମନରେଗା ଯୋଜନାରେ ଅନିୟମିତତା ପ୍ରସଙ୍ଗକୁ ଦଳଉଠାଇବ। ପ୍ରେସ ବାର୍ତା ଜରିଆରେ ସାଧାରଣ ଜନତାଙ୍କ ପାଖକୁ ଦଳ ପହଞ୍ଚିବ। ସେପ୍ଟେମ୍ବର ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ମନରେଗା ଯୋଜନାରେ ଅନିୟମିତତାକୁ ନେଇ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଆନ୍ଦୋଳନ କରାଯିବ। ଜିଲ୍ଲାପାଳମାନଙ୍କୁ ଦାବି ପତ୍ର ପ୍ରଦାନ କରାଯିବ। ସେହିପରି ସେପ୍ଟେମ୍ବର ୨୦ ତାରିଖରୁ ୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାଗତ ତ୍ରୁଟି ସମ୍ବନ୍ଧୀୟ ବିଷୟକୁ ନେଇ ଦାବିପତ୍ର ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଓ ଅନିୟମିତତାକୁ ନେଇ ଅକ୍ଟୋବର ୧ ରୁ ୧୫ ପର୍ଯ୍ୟନ୍ତ ସମସ୍ତ ବ୍ଲକରେ ଦାବିପତ୍ର ପ୍ରଦାନ କରାଯିବ ଏବଂ ଅକ୍ଟୋବର ୧୬ରୁ ୨୦ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ପ୍ରମାଣ ସହ ସ୍ଥାନୀୟ ଜିଲ୍ଲାପାଳମାନଙ୍କୁ ଦାବିପତ୍ର ପ୍ରଦାନ କରାଯିବ।

ତେବେ ଏହି ସମୟରେ ସାଧାରଣ ବଣ୍ଟନ କାର୍ଯ୍ୟକ୍ରମ ଜରିଆରେ ଦିଆଯାଇଥିବା ଚାଉଳ ଓ ଡାଲିର କ୍ଷେତ୍ରରେ ଯେଉଁ ଅନିୟମିତତା ହୋଇଛି, ସେ ସଂକ୍ରାନ୍ତରେ ବ୍ଲକ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯିବ। ଜଳବନ୍ଦୀ ଚାଷ ଅଂଚଳ ଓ ସାର ତଥା କୃଷକ ସମସ୍ୟା ନେଇ ବି ଦଳ ରାଜରାସ୍ତାକୁ ଓହ୍ଲାଇବ। ଏସବୁ ବ୍ୟତୀତ ଓଏମ୍‌ବିଏଆର୍‌ଡିସି ଏବଂ ଚତୁର୍ଦ୍ଦଶ ଅର୍ଥ କମିଶନର ଅର୍ଥ ପ୍ରସଙ୍ଗରେ ଆନ୍ଦୋଳନ କରାଯିବାର ନିଷ୍ପତି ଗ୍ରହଣ ହୋଇଛି ବୋଲି ବିଜେପି କହିଛି।

ସମ୍ବନ୍ଧିତ ଖବର