ମନରେଗା ଯୋଜନା ଦୁର୍ନୀତି ବିରୋଧରେ ଜନ ଆନ୍ଦୋଳନ କରିବ ବିଜେପି

ଭୁବନେଶ୍ବର : ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ ଗ୍ରାମାଞ୍ଚଳରେ ଗରିବ ଲୋକଙ୍କୁ କାମ ଯୋଗାଇ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟ। କିନ୍ତୁ ଏହି ଯୋଜନାରେ ସରକାରୀ ଅଫିସର ଓ ବିଧାୟକଙ୍କ ପ୍ରୋତ୍ସାହନରେ ଶାସକ ଦଳର ମାଫିଆମାନେ ଗରିବଙ୍କ ଅର୍ଥକୁ ହରିଲୁଟ୍ କରୁଛନ୍ତି। ୧୫ଦିନ ମଧ୍ୟରେ ରାଜ୍ୟ ସରକାର କେନ୍ଦ୍ରୀୟ ଅର୍ଥକୁ ଆତ୍ମସା‌ତ୍ କରିଥିବା ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ୩୧୪ଟି ବ୍ଲକ୍‌ରେ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଗତ ୭ବର୍ଷରେ ମୋଦି ସରକାର ମ‌ନରେଗା‌ରେ ଓଡ଼ିଶାକୁ ୧୬ହଜାର କୋଟି ଟଙ୍କାର ଅନୁଦାନ ଦେଇଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷରେ ଏନ୍‌ଆର୍‌ଜିଏରେ କାମ ପାଇଁ ୪୪୩୬କୋଟି ଟଙ୍କା‌ ଅନୁଦାନ ପ୍ରଦାନ କରିଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ଏହି ଅର୍ଥକୁ ରାଜ୍ୟ ସରକାର ହରିଲୁଟ୍ କରିଛନ୍ତି। ଓଡ଼ିଶ‌ାରେ ଶତ ପ୍ରତିଶତ ଏନ୍‌ଆର୍‌ଜିଏର କାମ ଜେସିବି ଓ ବିଭିନ୍ନ ମେସିନ୍ ଲଗାଇ ହୋଇଛି। ୪୦%ରୁ ଅଧିକ କାମ ମିଥ୍ୟା ବିଲ୍‌ ହୋଇଛି। ଆଜି ଯଦି ବାସ୍ତବିକ ତଦନ୍ତ ହେବ ତେବେ ୩୧୪ ବ୍ଲକର ୩୧୪ ବିଡିଓ, ୬ହଜାର ଜିଆର୍‌ଏସ୍‌ ଏବଂ ୩ହଜାରରୁ ୪ହଜାର ଜେଇ ସସ୍‌ପେଣ୍ଡ ହେବେ। ଏହି ଯୋଜନାର ହିତାଧିକାରୀ ଗରିବ ଲୋକ ନା ବିଜେଡି ନେତା ରାଜ୍ୟ ସରକାର ତା’ର ଉତ୍ତର ଦିଅନ୍ତୁ।

ସେହିପରି ବାଙ୍କି ଡମପଡ଼ା ବ୍ଲକ କୁସୁପଙ୍ଗି ପଞ୍ଚାୟତର ସରପଞ୍ଚ ପୁଷ୍ପଲତା ପରିଡ଼ାଙ୍କ ପରିବାରରେ ୬ଜଣ ଜବ୍‌କାର୍ଡ ହୋଲ୍ଡର ଅଛନ୍ତି। ଏହା ମଧ୍ୟରେ କୋଟି କୋଟି ଟଙ୍କା ଆତ୍ମସାତ୍ କରାଯାଇଥିବାବେଳେ ସ୍ଥାନୀୟ ପ୍ରଶାସନ ଚୁପ୍ ବସିଛି। ଗଞ୍ଜାମ ଜିଲ୍ଲା‌ ବୁଗୁଡ଼ା ବ୍ଲକ୍‌ ଭରତପୁର ପଞ୍ଚାୟତରେ ମିଥ୍ୟା ବିଲ୍‌ କରି ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ହେଲେ ରାଜ୍ୟ ସରକାର ଚୁପ୍ ବସିଛନ୍ତି। ତେଣୁ ବିଜେପି ସାରା ରାଜ୍ୟରେ ଜନଆନ୍ଦୋଳନ କରିବା ସହ ୩୧୪ଟି ବ୍ଲକର ୩୧୪ଟି ଦୁର୍ନୀତି ଓ ଭ୍ରଷ୍ଟାଚାରର ପ୍ରମାଣ ସଂଗ୍ରହ କରି ରାଜ୍ୟପାଳ ଓ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଘୁମୁସୁରର ବିଜେପି ନେତା ମିଟୁ ମଲ୍ଲିକ, ବାଙ୍କୀର ଶୁଭ୍ରାଂଶୁ ମୋହନ ପାଢ଼ୀ, କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର