ଭୁବନେଶ୍ୱର: ସାଧାରଣ ନିର୍ବାଚନ-୨୦୨୪ରେ ରାଜ୍ୟ ସରକାରଙ୍କ ଅପାରଗତା, ସ୍ଥାଣୁତା, ଭ୍ରଷ୍ଟାଚାରକୁ ବିଜେପି ପ୍ରମୁଖ ପ୍ରସଙ୍ଗ କରିବ। ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଏହା କହିଛନ୍ତି।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲା ସଭାପତି ଓ ରାଜ୍ୟ ପଦାଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଯୋଗ ଦେବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଧାମନଗର ଓ ପଦ୍ମପୁର ଉପନିର୍ବାଚନ ଉଭୟ ଗୁଡିଏ ବିଷୟରେ ୨୦୨୪କୁ ସାମ୍ନା କରିବା ପାଇଁ ଭାରତୀୟ ଜନତା ପାର୍ଟିକୁ ଶିକ୍ଷା ଦେଇଛି। ଆମ ପାଖରେ ଧାମନଗର ମଡେଲ ଅଛି। ବିଜେପି ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଛି। ଆଗାମୀ ନିର୍ବାଚନରେ ଲୋକମାନଙ୍କର ଦଳ ପାଖରୁ ଥିବା ଅପେକ୍ଷା ଅନୁଯାୟୀ ଓଡ଼ିଶା ସରକାରଙ୍କ ଅପାରଗତା, ସ୍ଥାଣୁତା, ଭ୍ରଷ୍ଟାଚାରକୁ ପ୍ରମୁଖ ପ୍ରସଙ୍ଗ କରାଯିବ। କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ରାଜନୈତିକ ପ୍ରସଙ୍ଗ ସହ ସଂଗଠନାତ୍ମକ ରଚନା ଓ ଏହାର ଦୃଢୀକରଣ ସମ୍ପର୍କରେ ଆଲୋଚନା ହେବ। ଏହି ବୈଠକ ଆଗାମୀ ଦିନରେ ଦଳକୁ ନିଶ୍ଚୟ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ବିଜେପି ରାଜ୍ୟ ଶାଖାର ପଦାଧିକାରୀ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି. ପୁରେନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ଥିଲେ।
ଧାମନଗର ମଡେଲ ବି ଆମ ପାଖରେ ଅଛି । -କେନ୍ଦ୍ରମନ୍ତ୍ରୀ ଶ୍ରୀ @dpradhanbjp pic.twitter.com/ma1Ca6CtZd
— BJP Odisha (@BJP4Odisha) December 17, 2022