୨୫ବର୍ଷ ପଛକୁ ନେଇଯିବ ବିଜେପି: ଉପକୂଳ ଓଡ଼ିଶାରେ ପାଣ୍ଡିଆନଙ୍କ ଧୂଆଁଧାର ପ୍ରଚାର

ରାଜ୍ୟକୁ ୧୦୦ ବର୍ଷ ଆଗକୁ ନେବା ପାଇଁ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ, ବିଜୁଳି ବିଲ୍‍ ଛାଡ଼ ଗ୍ୟାରେଣ୍ଟି ବିଜେପି ଦଳକୁ ସକ୍‍ ଦେଇଛି

ଭୁବନେଶ୍ୱର: ‘ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଇଁ ଦିନରାତି କାମ କରୁଛନ୍ତି। ଓଡ଼ିଶାକୁ ୧୦୦ ବର୍ଷ ଆଗକୁ ନେବା ପାଇଁ ସେ ଚିନ୍ତା କରୁଛନ୍ତି। କିନ୍ତୁ ବିଜେପି ଦଳ ଯାହା କରୁଛି ସେମାନେ ଓଡ଼ିଶାକୁ ୨୫ ବର୍ଷ ପଛକୁ ନେଇଯିବେ।’ ବିଜୁ ଜନତା ଦଳ ନେତା ଭି କେ ପାଣ୍ଡିଆନ ଆଜି ଉପକୂଳ ଓଡ଼ିଶାରୁ ବିରୋଧୀ ବିଜେପିକୁ ଏଭଳି ଢ଼ଙ୍ଗରେ ଶାଣିତ ଆକ୍ରମଣ କରିଛନ୍ତି। କଟକ ସଂସଦୀୟ କ୍ଷେତ୍ରର ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, ଖଣ୍ଡପଡ଼ା ବିଧାୟକ ପ୍ରାର୍ଥୀ ସାବିତ୍ରୀ ପ୍ରଧାନ, ବଡ଼ମ୍ୱା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବାଙ୍କୀରେ ବିଧାୟକ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ, ଆଠଗଡ଼ ତିଗିରିଆରେ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ସଦରରେ ଚନ୍ଦ୍ର ସାରଥୀ ବେହେରା ଓ କଟକ ଚୌଦ୍ୱାର ବିଧାୟକ ପ୍ରାର୍ଥୀ ସୌଭିକ୍‍ ବିଶ୍ୱାଳଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ବର୍ଷା ସତ୍ତ୍ବେ ସମସ୍ତ ଜନସଭାରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା।

ରାଜ୍ୟକୁ ୧୦୦ ବର୍ଷ ଆଗକୁ ନେବା ପାଇଁ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ
ବିଜୁଳି ବିଲ୍‍ ଛାଡ଼ ଗ୍ୟାରେଣ୍ଟି ବିଜେପି ଦଳକୁ ସକ୍‍ ଦେଇଛି
ନବୀନବାବୁଙ୍କ ଜନ୍ମମାଟି କଟକ, କର୍ମମାଟି ଓଡ଼ିଶା
ବସ୍ତିବାସିନ୍ଦାକୁ ସମ୍ମାନ ଦେବାରେ ଓଡ଼ିଶା ଦେଶରେ ଏକ ନମ୍ୱର
କଟକ ଲୋକସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ

ଶ୍ରୀ ପାଣ୍ଡିଆନ କହିଥିଲେ, ନିର୍ବାଚନ ଆସିଲେ ବିରୋଧୀ ଆସିବେ, ମିଠା ମିଠା କଥା କହିବେ ଓ କୁମ୍ଭୀର କାନ୍ଦଣା କାନ୍ଦିବେ। ଏମାନେ ସମସ୍ତେ ନିର୍ବାଚନ ପର୍ଯ୍ୟଟକ। ନିର୍ବାଚନ ସରିଗଲେ ଖୋଜିଲେ ବି ମିଳିବେ ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଷତମାମ ଦିନରାତି ୨୪ ଘଣ୍ଟା ଆପଣଙ୍କ ସୁଖଦୁଃଖରେ ଛିଡ଼ା ହୋଇ ରହିଛନ୍ତି। ଯିଏ ବି ଭତ୍ତା, ପକ୍କାଘର, ବି.ଏସ୍‍.କେ.ୱାଇ. ଓ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି, ସମସ୍ତେ ସାମିଲ ହେବେ। ସମସ୍ତଙ୍କ ପାଇଁ ନବୀନବାବୁଙ୍କ ଗ୍ୟାରେଣ୍ଟି ଅଛି। ଦୃଢ଼ୋକ୍ତି ପ୍ରକାଶ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ଦିନ ୧୧.୩୦ରୁ ଦିନ ଗୋଟାଏ ମଧ୍ୟରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଦସ୍ତଖତରେ ହିଁ ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍‍ ଛାଡ଼ କରିବେ। ଆପଣମାନେ ବିଜୁଳି ପାଇବେ ଆଉ ବିରୋଧୀଙ୍କୁ ଲାଗିବ ସକ୍‍। ସେମାନେ ସୋଲାର ପ୍ୟାନେଲ ଜରିଆରେ ମାଗଣା ବିଜୁଳି ଦେବେ ବୋଲି କହୁଛନ୍ତି। କିନ୍ତୁ କେମିତି ହେବ ଜାଣିଛନ୍ତି ? ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ। ତା’ପରେ ଆପଣ ସୋଲାର ପ୍ୟାନେଲ ଲଗାଇ ପାରିବେ। ସୂର୍ଯ୍ୟ କିରଣରୁ ବିଜୁଳି ମିଳିବ। ଏମାନେ ଦିନରେ ଲଣ୍ଠନ ଦେଖାଉଛନ୍ତି।

ବିଜେପି ଉପରେ ଆକ୍ରମଣ ଜାରି ରଖି ସେ କହିଲେ ଯେ ଏହି ଦଳ ୧୦ ବର୍ଷ କ୍ଷମତାରେ ରହିଲା। ସମସ୍ତଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ, ମିଳିଲା କି ? ୨ କୋଟି ଚାକିରି ଦେବେ ବୋଲି କହିଥିଲେ, ମିଳିଲା କି ? ପେଟ୍ରୋଲ, ଡିଜେଲ ଦର କମିବା କଥା ସବୁ ଭୁଲିଗଲେ। ଏଲ୍‍.ପି.ଜି. ଦର ଯୋଗୁଁ ମା’ମାନେ କାନ୍ଦୁଛନ୍ତି, ସେମାନେ କିଛି ଶୁଣିଲେ କି ? କିଛି କଲେ କି ? କଟକରେ ପାଣ୍ଡିଆନ କହିଲେ ଯେ କଟକ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଭୂମି। ସାରା ଓଡ଼ିଶା ତାଙ୍କ କର୍ମଭୂମି । ବସ୍ତିବାସିନ୍ଦାଙ୍କ ପାଇଁ ଅନେକ ଲୋକ ଅନେକ କଥା କରୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ତିବାସିନ୍ଦାକୁ ସମ୍ମାନ ଦେବାରେ ସାରା ଭାରତ ବର୍ଷ ଏକ ନମ୍ବର। ବସ୍ତିବାସିନ୍ଦାଙ୍କୁ ପଟ୍ଟା ଆବଣ୍ଟନ, ବିଜୁ ଆଦର୍ଶ କଲୋନି ନିର୍ମାଣ, ଜାଗା ମିସନ କାର୍ଯ୍ୟକାରୀ କରିବାରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ବାରୋପ କରି କାମ କରିଛନ୍ତି। କଟକ ସବୁବେଳେ ବିଜେଡିର ଗଡ଼ ହୋଇ ରହିଛି ଓ ରହିଥିବ। ସବୁ ନିର୍ବାଚନମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟର ହିସାବ ଦେଇଥିଲେ ପାଣ୍ଡିଆନ।

ସମ୍ବନ୍ଧିତ ଖବର