ପୌର ନିର୍ବାଚନ: କେନ୍ଦୁଝରରେ ଫୁଟିଲା ପଦ୍ମ

ଯୋଡ଼ା, ବଡ଼ବିଲ, ଆନନ୍ଦପୁର ଓ ଚମ୍ପୁଆ‌ରେ ବିଜେଡର ବାଜିମାତ୍

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ୪ଟି ପୌରପାଳିକା ଏବଂ ଗୋଟିଏ ଏନ୍ଏସି ମଧ୍ୟରୁ ୩ଟି ପୌରପାଳିକା ଏବଂ ଗୋଟିଏ ଏନ୍‌ଏସିରେ ବିଜେଡି ବାଜିମାତ୍ କରିଥିବା ବେଳେ କେନ୍ଦୁଝରଗଡ଼ ପୌରପାଳିକାରେ ପଦ୍ମ ଫୁଟିଛି। ଏଠାରେ ବିଜେପି ପ୍ରାର୍ଥୀ ସମାଜସେବୀ ନିକୁ ସାହୁ ୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ନିକୁ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ଅର୍ଚ୍ଚନା ରାଉତଙ୍କଠାରୁ ୪୦୨୧ ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି। କେନ୍ଦୁଝରଗଡ଼ ପୌରପାଳିକାର ମୋଟ ୨୧ଟି ୱାର୍ଡରୁ ୮ଟି ୱାର୍ଡରେ ବିଜେପି କାଉନସିଲରମାନେ ବିଜୟୀ ହୋଇଥିବା ବେଳେ ୧୩ଟି ୱାର୍ଡରେ ବିଜେଡି ପ୍ରାର୍ଥୀ କାଉନସିଲର ହୋଇଛନ୍ତି।

ସେହିପରି ଚମ୍ପୁଆ ଏନ୍‌ଏସି, ଯୋଡ଼ା, ବଡ଼ବିଲ ଏବଂ ଆନନ୍ଦପୁର ପୌରପାଳିକାରେ ବିଜେଡି ପ୍ରାର୍ଥୀମାନେ ଅଧ୍ୟକ୍ଷ ପଦରେ ନିର୍ବାଚିତ ହୋଇଛନ୍ତି। ଯୋଡ଼ାରେ ବିଜେଡି ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଏଠାରେ ସ୍ବାଧୀନ ପ୍ରାର୍ଥୀ ରବୀନ୍ଦ୍ର କୁମାର ଦାସଙ୍କଠାରୁ ମାତ୍ର ୪୬୨ ଖଣ୍ଡ ଭୋଟ‌ ବ୍ୟବଧାନରେ ବିଜେଡିର ଡାକ୍ତର ଜଗଦୀଶ ପ୍ରସାଦ ସାହୁ ବିଜୟୀ ହୋଇଛନ୍ତି। ଆନନ୍ଦପୁର ମ୍ୟୁନିସିପାଲିଟିରେ ବିଜେଡିର ରଜନୀରାଣୀ ଖଟୁଆ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଜ୍ୟୋତିର୍ମୟୀ ଖଟୁଆଙ୍କୁ ୧୫୬୯ ଖଣ୍ଡ ଭୋଟରେ ପରାସ୍ତ କରି ପୌରାଧ୍ୟକ୍ଷ ପଦବିରେ ବସିଛନ୍ତି। ରଜନୀରାଣୀ ୧୧ ହଜାର ୫୦୪ ଖଣ୍ଡ ଭୋଟ ପାଇଥିବା ବେଳେ ଜ୍ୟୋତିର୍ମୟୀ ୯୯୩୫ ଖଣ୍ଡ ଭୋଟ ପାଇଛନ୍ତି। ୧୫ ୱାର୍ଡ ବିଶିଷ୍ଟ ବଡ଼ବିଲ ମ୍ୟୁନିସିପାଲିଟିରେ ୧୨ଟି ୱାର୍ଡ ବିଜେଡି ଦଖଲକୁ ଯାଇଥିବା ବେଳେ ୩ଟି ବିଜେପି ହାତକୁ ଯାଇଛି। ମାତ୍ର ଏଠାରେ ମଧ୍ୟ କଂଗ୍ରେସ ଖାତା ଖୋଲିପାରି ନାହିଁ।‌ ବିଜେଡିର ପୌରାଧ୍ୟକ୍ଷ ପ୍ରାର୍ଥୀ ଲକ୍ଷ୍ମଣ ମହାନ୍ତ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଦିଲୀପ ମିଶ୍ରଙ୍କୁ ୮୬୦୫ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ଚମ୍ପୁଆ ଏନ୍‌ଏସିରେ ୧୩ଟି ୱାର୍ଡ ରହିଥିବା ବେଳେ ଏଠାରେ ସମସ୍ତ ୱାର୍ଡ ବିଜେଡି ଖାତାକୁ ଯାଇଛି। ବିଜେପି ଓ କ‌ଂଗ୍ରେସ ଏଠାରେ ଖାତା ଖୋଲିପାରି ନାହାନ୍ତି। ଏଠାରେ ବିଜେଡିର ଗିରିଜା ଶଙ୍କର ସାହୁ ୬୦୩୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ସ୍ବାଧୀନ ପ୍ରାର୍ଥୀ ବିଦ୍ୟାଧର ମହାନ୍ତ ୨୬୮୦ ଖଣ୍ଡ ଭୋଟ ପାଇଛନ୍ତି।

ସମ୍ବନ୍ଧିତ ଖବର