ଭଞ୍ଜନଗର: ଗଞ୍ଜାମଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକର ଉପାଧ୍ୟକ୍ଷ ପଦବୀ ପାଇଁ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଉପ ନିର୍ବାଚନରେ କ୍ଷେତମୁଣ୍ଡଳୀ ସମିତିସଭ୍ୟ ନୀଳାଞ୍ଚଳ ଖିଲାର ବିଜୟୀ ହୋଇଛନ୍ତି। ସେ ବିଜେପି ସମର୍ଥିତ ପ୍ରାର୍ଥୀ ହୋଇଥିବାରୁ ଦଳୀୟ ମହଲରେ ଖୁସିର ଲହରୀ ଖେଳିଯାଇଛି। ବହୁ କର୍ମକର୍ତ୍ତା ଓ ନେତୃବୃନ୍ଦ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି।
ସୂଚନା ଅନୁଯାୟୀ, ଏହି ବ୍ଲକରେ ଉପାଧ୍ୟକ୍ଷ ଥିବା ରଞ୍ଜିତ ପାତ୍ର ବ୍ୟକ୍ତିଗତ ଓ ପାରିବାରିକ ସମସ୍ୟା ଦର୍ଶାଇ ଗତ ଜୁନ୍ ୯ରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଦୁଇମାସ ହେଲା ଏହି ପଦବୀ ଖାଲି ପଡ଼ିଥିଲା। ନିର୍ବାଚନ କମିସନଙ୍କ ଦ୍ବାରା ବୁଧବାର ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ଲକ କାର୍ଯ୍ୟାଳୟରେ ଉପ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ପ୍ରାର୍ଥିପତ୍ର ଦାଖଲ ହୋଇଥିଲା।
ଏଥିରେ ରାଉତି ପଞ୍ଚାୟତ ସମିତିସଭ୍ୟା ପଙ୍କଜ କୁମାରୀ ପ୍ରଧାନ ଓ କ୍ଷେତମୁଣ୍ଡଳି ସମିତିସଭ୍ୟ ନୀଳାଞ୍ଚଳ ଖିଲାର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ପତ୍ୟାହାର କରି ନଥିଲେ। ଫଳରେ ବ୍ଲକ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ବ୍ଲକର ସମସ୍ତ ୨୫ ଜଣ ସମିତିସଭ୍ୟ ନିର୍ବାଚନରେ ଭାଗ ନେଇଥିଲେ। ଗଣତି ପରେ ନୀଳାଞ୍ଚଳଙ୍କ ସପକ୍ଷରେ ୧୫ଟି ଓ ପଙ୍କଜଙ୍କ ସପକ୍ଷରେ ୧୦ଟି ଭୋଟ ପଡିଥିଲା।
ଉପ ନିର୍ବାଚନରେ ନୀଳାଞ୍ଚଳ ଖିଲାର ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ବୁଗୁଡ଼ା ବ୍ଲକ ବିଡିଓ ଦ୍ବିତୀକୃଷ୍ଣ ପାତ୍ର ସୁଚନା ଦେଇଛନ୍ତି। ବିଜୟୀ ଘୋଷିତ ହେବା ପରେ ବିଜେପି ଜିଲ୍ଲା ସଭାପତି ନୀଳମାଧବ ପାତ୍ର,ସାଂସଦ ପ୍ରତିନିଧି ରବୀନ୍ଦ୍ର କୁମାର ଗୌଡ଼,ମହେନ୍ଦ୍ର ପଣ୍ଡା,ଧୋବା ଗୌଡ଼,ମନୋଜ ପଣ୍ଡାଙ୍କ ସମେତ ବହୁ ନେତୃବୃନ୍ଦ ଶୁଭେଚ୍ଛା ଜଣାଇଛନ୍ତି।
ganjam
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/20/jagannath-prasad-wins-the-block-vice-president-by-election-in-nilanchal-2025-08-20-20-10-24.jpg)