ବିଜେପି ମହିଳା ମୋର୍ଚ୍ଚାର ମୌନଧାରଣା

ଭୁବନେଶ୍ବର : ମମିତା ହତ୍ୟାକଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରବ ରହିଥିବାରୁ ଏହାର ପ୍ରତିବାଦରେ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ମୌନ ଧାରଣା ଦିଆଯାଇଛି। ‘ଆଇନ ତା ବାଟରେ ଯିବ’ ବୋଲି ବାରମ୍ବାର କହୁଥିବା ମୁଖ୍ୟମନ୍ତ୍ରୀ ପୁଣି ଥରେ ଆଇନ ବାଟରେ ଛିଡ଼ା ହୋଇ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛନ୍ତି ବୋଲି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି। ଆଜିର ଏହି ମୌନ ଧାରଣାରେ ଉର୍ମିଳା ମହାପାତ୍ର, କସ୍ତୁରୀ ମିଶ୍ର, ରଶ୍ମିରେଖା ‌ଦାଶ, ଅପର୍ଣ୍ଣା ଧିରସିଂହ, ମନ୍ଦାକିନୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବଲା‌ଙ୍ଗୀର ଓ କଳାହାଣ୍ଡି ଗସ୍ତରେ ବିଜେପିର ୧୫ଜଣିଆ ପ୍ରତିନିଧି ଦଳ
ଭୁବନେଶ୍ବର : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ସତ୍ୟାସତ୍ୟ ସମ୍ପର୍କରେ ଅବଗତ ହେବାପାଇଁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ୧୫ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇଛି। ଏହି ପ୍ରତିନିଧି ଦଳ ମଙ୍ଗଳବାର ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୃତ ମମିତାଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରି ବିସ୍ତୃତ ଭାବେ ଆଲୋଚନା କରିବ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିଜେପି ଅଭିଯୋଗ କରିଛି ଯେ, ମମିତା ହତ୍ୟାକାଣ୍ଡର ତଦନ୍ତ ଆଳରେ ସମସ୍ତ ତଥ୍ୟପ୍ରମାଣକୁ ଲିପାପୋଛା କରି ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଖସାଇ ଦେବାକୁ ବିଜେଡି ଉଦ୍ୟମ କରୁଛି। ପୁଲିସ ଏହାର ତଦନ୍ତ ଠିକ୍ ଭାବେ କରୁନାହିଁ। ତେଣୁ ଏହାର ସତ୍ୟାସତ୍ୟ ଯାଞ୍ଚ କରିବାକୁ ବିଜେପିର ପ୍ରତିନିଧି ଦଳ ବଲାଙ୍ଗୀର ଓ କଳାହାଣ୍ଡି ଗସ୍ତରେ ଯାଉଛି। ଏହି ପ୍ରତିନିଧି ଦଳରେ ବିଜେପିର ପରିଷ୍ଠ ନେତା ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର, ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ସାଂସଦ ସଙ୍ଗୀତା ସିଂହଦେଓ, ବରିଷ୍ଠ ନେତା କେ.ଭି ସିଂହଦେଓ, ବିଧାୟକ ମୁକେଶ ମହାଲିଙ୍ଗ, ଶଙ୍କର ଓରାମ, ନାଉରୀ ନାଏକ, ନିତ୍ୟାନନ୍ଦ ଗଣ୍ଡ, ରବି ନାଏକ, କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଯତୀନ ମହାନ୍ତି, ଠାକୁର ରଣଜିତ୍ ଦାସ, ପ୍ରଦୀପ ପୁରୋହିତ, ବଲାଙ୍ଗୀର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, କଳାହାଣ୍ଡି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଅଛନ୍ତି।

ସମ୍ବନ୍ଧିତ ଖବର