ବିଜେପି କର୍ମୀ ଲୋକନାଥ ହତ୍ୟାକାଣ୍ଡ ମାମଲା : ବିଜେପି ପ୍ରମାଣ ଦେଉ ମୁଁ ବିଧାୟକ ପଦରୁ ଇସ୍ତଫା ଦେବୀ: ମହୀଧର

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅଞ୍ଚଳ ସିଆଲଝୁଲି ଗାଁର ବିଜେପି ଯୁବ ମୋର୍ଚ୍ଚା କର୍ମୀ ଲୋକନାଥ ପ୍ରଧାନ(୨୬)ଙ୍କ ହତ୍ୟାକାଣ୍ଡ ମାମଲା ବର୍ତ୍ତମାନ ରାଜନୈତିକ ମୋଡ ନେଇଛି। ଏହି ଘଟଣାକୁ କେନ୍ଦ୍ର‌ କରି ଗତ ମଙ୍ଗଳବାର ବିଜେପିର ଏକ ରାଜ୍ୟ ପ୍ରତିନିଧି ଦଳ ଲୋକନାଥଙ୍କ ପରିବାର ବର୍ଗଙ୍କ ସହ ଆଲୋଚନା ପରେ ଜିଲ୍ଲା ଆରକ୍ଷୀ ଅଧିକକ୍ଷକଙ୍କୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ସ୍ଥାନୀୟ ବିଧାୟକଙ୍କ ପୁଅ ଓ ସ୍ଥାନୀୟ ସରପଞ୍ଚ ସଂପୃକ୍ତି ନେଇ ଏଥିରେ ନିଶାଣ କରିଛନ୍ତି। ଅପରପକ୍ଷେ କଣ୍ଟାମାଲ ବିଧାୟକ ମହୀଧର ରଣା ଏହା ବିଜେପି ଦଳର ହୀନ ରାଜନୀତି ବୋଲି ବୁଧବାର ବୌଦ୍ଧ ସର୍କିଟ୍‌ହାଉସ୍‌ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ଦୃଢ ନିନ୍ଦା କରିବା ସହ ଅଭିଯୋଗକୁ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି।

କଣ୍ଟାମାଲ ନିର୍ବାଚନ ମଣ୍ଡଳୀରେ ଏଭଳି ଏକ ଜଘନ୍ୟ ଅପରାଧରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବାରୁ ମୁଁ ମର୍ମାହତ। ତାଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି। ପୁଲିସ୍‌ ହତ୍ୟାକାରୀମାନଙ୍କୁ ଗିରଫ କରି ସେମାନଙ୍କ ଠାରୁ ମାରଣାସ୍ତ୍ର ଜବତ କରିବା ସହ କୋର୍ଟଚାଲାଣ କରିସାରିଛି। ମାତ୍ର ବିଜେପି ଦଳର ନେତା ମୃତ ଲୋକନାଥଙ୍କ ପରିବାର ନିକଟକୁ ଯାଇ ମ‌ୋ ପରିବାର ବିରୁଦ୍ଧରେ ସେମାନଙ୍କୁ ଉସୁକାଉଛନ୍ତି। ମୋ ପୁଅ କିମ୍ବା ମୋ ପରିବାରର କୌଣସି ସଦସ୍ୟ ମୃତ ଯୁବକଙ୍କ ପରିବାରକୁ ଆଦୌ ଜାଣି ନାହୁଁ। ବିଜେପି ନେତା ଯଦି ପ୍ରମାଣ ଦେବେ ମୁଁ ବିଧାୟକ ପଦରୁ ଇସ୍ତଫା ଦେବି। ମୁଁ ମଧ୍ୟ ଚାହେଁ ଏହି ମାମଲାରେ ସମସ୍ତ ସଂପୃକ୍ତମାନେ ଗିରଫ ହୁଅନ୍ତୁ। ଏସ୍‌ପି ଓ କଣ୍ଟାମାଲ ଥାନା ଅଧିକାରୀଙ୍କ ସହ ମୁଁ ଫୋନ୍‌ରେ ଆଲୋଚନା କରିଛି। ବିଜେପି ରାଜନୀତି କରିବାରୁ ଦୂରେଇ ରହୁ ବୋଲି ବୋଲି ମହୀଧର କହିଛନ୍ତି। ମୁଁ ପୂର୍ବରୁ ଦୁଇ ଥର ସରପଞ୍ଚ ଓ ଦୁଇ ଥର ବିଧାୟକ ହୋଇଛି। ମୋ ସ୍ତ୍ରୀ ଜିଲ୍ଲାପରିଷଦ ରହିସାରିଛନ୍ତି। ମୋ ପରିବାରର କୌଣସି ସଦସ୍ୟ ନାମରେ ଏଭଳି ଅଭିଯୋଗ କେବେ ହୋଇ ନାହିଁ। ବିଜେପି ହୀନ ରାଜନୀତି କରି ମୋ ପୁଅକୁ ମିଥ୍ୟା ମାମଲାରେ ଫସେଇବାକୁ ଉଦ୍ୟମ କରୁଛି। ଏହା ଦଳର ଅସହିଷ୍ଣୁତାକୁ ସୂଚାଉଛି। ମୁଁ ଏହାର ପ୍ରତିବାଦରେ ମାନହାନୀ ମାମଲା ଦେବାକୁ ବାଧ୍ୟ ହେବି ବୋଲି ବିଧାୟକ ଶ୍ରୀରଣା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର

Comments are closed.