ଯାଜପୁରସଦର: ଯାଜପୁର ବିଧାନସଭା ‌କ୍ଷେତ୍ରରେ ବିଜେପି ମଧ୍ୟରେ ବିବାଦ ଥମୁନି। ସପ୍ତାହେ ପୂର୍ବରୁ ବିଜେପିର ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତିଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଆଜି ଜଣେ ଯୁବମୋର୍ଚ୍ଚା ସଦସ୍ୟଙ୍କ ଆକ୍ରମଣରେ ଅନ୍ୟ ଜଣେ ବିଜେପିର ସାଧାରଣ କର୍ମୀ ଲହୁଲୁହାଣ ହୋଇଛନ୍ତି। ଅଭିଯୋଗ ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।

Advertisment

ଆଜି ମଧ୍ୟାହ୍ନରେ ଚଇନପୁର ଅଞ୍ଚଳର ଅଟୋ ଚାଳକ ଶତ୍ରୁଘ୍ନ ବେହେରାଙ୍କ ଗାଡ଼ି ଭଡ଼ା ନେବାକୁ ବିଜେପିର ଜଣେ କର୍ମୀ ଫୋନ୍‌ କରି ଡାକିଥିଲେ। ପରେ ‌ତାଙ୍କୁ ଟାଉନ ଥାନା ଅନ୍ତର୍ଗତ ବୈଦ୍ୟରାଜପୁର ଅଞ୍ଚଳକୁ ଡାକିନେଇ ୭/୮ ଜଣ ସଂଘବଦ୍ଧ ଆକ୍ରମଣ କରିଥିଲେ। ଗୁଳି କରିବାକୁ ମଧ୍ୟ ଧମକ ଦେଇଥିଲେ। ଜୀବନ ବଞ୍ଚାଇବାକୁ ଯାଇ ଶତ୍ରୁଘ୍ନ ରକ୍ତାକ୍ତ ଅବସ୍ଥାରେ ସେଠାରୁ ନିଜ ଅଟୋ ନେଇ କୌଣସି ପ୍ରକାରେ ପଳାଇ ଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା। ଗୋଡ଼ରେ ମଧ୍ୟ ଆଘାତ ହୋଇଛି। ଆକ୍ରମଣକାରୀ ତାଙ୍କ ଅଟୋକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଖବର ପାଇ ବିଜେପି କର୍ମକର୍ତ୍ତା ତାଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଟାଉନ ଥାନାଧିକାରୀ ବିଲ୍ବମଙ୍ଗଳ ସେଠୀ ଡାକ୍ତରଖାନାରେ ପହଞ୍ଚି ଶ୍ରତୁଘ୍ନଙ୍କଠାରୁ ବୟାନ ରେକର୍ଡ କରିଛନ୍ତି।

ଶତ୍ରୁଘ୍ନଙ୍କ କହିବା ଅନୁସାରେ ବିଜେପି କର୍ମୀ ହୃଷୀକେଶ ପରିଡ଼ା ଓ ସରୋଜ ସାହୁଙ୍କ ସମେତ କିଛି ଅଜଣା ଲୋକ ଆକ୍ରମଣ କରିଥିଲେ। ‘କାହିଁକି ବିଜେପି ଉପସଭାପତିଙ୍କୁ ତୁ ମାରିଥିଲୁ’ ବୋଲି ବାରମ୍ବାର ପଚାରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ପୂର୍ବରୁ ବିଜେପି ଯୁବ‌ମୋର୍ଚ୍ଚା ରାଜ୍ୟ ଉପସଭାପତି ସଂଗ୍ରାମ ପାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ବେଳେ ପୁନର୍ବାର ଆଜି ତାଙ୍କ ନାଁ ନେଇ କିଛି ଦୁର୍ବୃତ୍ତ ବିଜେପି କର୍ମୀଙ୍କୁ ଡାକି ମାଡ଼ ମାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଆହତ ବ୍ୟକ୍ତି ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ସମର୍ଥକ ବୋଲି କୁହାଯାଉଛି। ପରେ ଆହତ ଶତ୍ରୁଘ୍ନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷେ ଏନେଇ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ସଂଗ୍ରାମ ପାତ୍ର କହିଛନ୍ତି, ମୁଁ ବିଜେପି ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଥିବାବେଳେ ମିଥ୍ୟା ଅଭିଯୋଗ ଆଣି ମୋତେ ବଦନାମ କରିବାକୁ ଉଦ୍ୟମ କରାଯାଉଛି। ଆକ୍ରମଣକାରୀଙ୍କ ସହ ମୋର ଦଳୀୟ ହିସାବରେ କୌଣସି ସଂପର୍କ ନାହିଁ।