ଭୁବନେଶ୍ବର: ଲୋକ ଆଶା କରିଥିଲେ ନୂଆ ସରକାର ଆସିଲେ ଆମ ପାଇଁ ବେଶୀ କାମ ହେବ। ସେଥିପାଇଁ ବିଜେପିକୁ ଭୋଟ୍ ଦେଇଥିଲେ। ହେଲେ ବିଜେପି ସରକାର ଆସିବା ପରେ ପ୍ରଥମ ଆକ୍ରମଣ ବ୍ଲକ୍ ଉପରେ ହେଲା। ବ୍ଲକ ସ୍ତରରେ ସବୁ କାମ ବନ୍ଦ କରିଦିଆଗଲା, କାମ କରିଥିବା ସଂସ୍ଥାଗୁଡ଼ିକୁ ଅର୍ଥ ଦିଆଯାଉନି। ପଞ୍ଚାୟତିରାଜ ବ୍ୟବସ୍ଥାରେ ବ୍ଲକ୍ ମୁଖ୍ୟ ହୋଇଥିବାବେଳେ ଏହାକୁ ଏବେ ସ୍ଥାଣୁ କରିଦିଆଯାଇଛି। ବିଜେପି କର୍ମୀ ଏବେ ସବୁ ବ୍ଲକ୍କୁ କବ୍ଜା କରିନେଇଛନ୍ତି। ମନ୍ତ୍ରୀ ଯଦି ପଞ୍ଚାୟତର ବିକାଶ ଚାହୁଁଛନ୍ତି ତେବେ ବ୍ଲକରେ ଯେପରି ସୁରୁଖୁରୁରେ କାମ ହେବ, ସେ ନେଇ ପ୍ରଶାସନକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିରୋଧୀ ଦଳ ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।
ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ କରି ଶ୍ରୀମତୀ ମଲ୍ଲିକ କହିଥିଲେ, ଏହି ବଜେଟ୍ରେ କିଛି ନୂତନତ୍ବ ନାହିଁ। ପୂର୍ବ ସରକାରର ବଜେଟ୍ରେ ଯାହା ଥିଲା ତାହାକୁ ନକଲ କରାଯାଇଛି। ପ୍ରମିଳା କହିଥିଲେ, ଏମ୍ଜିଏନ୍ଆର୍ଇଜିଏରେ ଲୋକଙ୍କୁ ଦୈନିକ ମଜୁରି ୨୫୪ଟଙ୍କା ମିଳୁଛି। ୧୦ଫୁଟ ଲମ୍ବ, ୧୦ଫୁଟ ଓସାର, ୧୦ଇଞ୍ଚ ଗଭୀର ମାଟି ଖୋଳିଲେ ଏତିକି ଟଙ୍କା ମିଳୁଛି। ତାହା ପୁଣି ମାସକ ପରେ। ମନ୍ତ୍ରୀ ତାଙ୍କ ଘରକୁ ଏକ ମଜୁରିଆ ଡାକି ଏତିକି ମାଟି ଖୋଳିଲେ କେଉଁ ମଜୁରିଆ ୨୫୪ଟଙ୍କା ନେବ ଦେଇକି ଦେଖନ୍ତୁ। ଶ୍ରମ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି ଯେ ଅଣକୁଶଳୀ ଶ୍ରମିକଙ୍କୁ ୪୫୨ ଟଙ୍କା ମିଳିବ। ହେଲେ ଏମ୍ଜିଏନ୍ଆର୍ଜିଏରେ କାମ କରୁଥିବା ଲୋକଙ୍କୁ ଏତେ କମ୍ ଟଙ୍କା କାହିଁକି ମିଳୁଛି। ରାଜ୍ୟ ସରକାର ଏ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାନ୍ତୁ ଏବଂ ମଜୁରି ବଢ଼ାନ୍ତୁ। ମାସକ ବଦଳରେ ସପ୍ତାହକରେ ଥରେ ମଜୁରି ଦେବା ବ୍ୟବସ୍ଥା କରନ୍ତୁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଅଧିକ ଅର୍ଥ ଦିଅନ୍ତୁ। ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଯେପରି ପ୍ରକଳ୍ପଗୁଡ଼ିକ ଦଳୀୟ ଭିତ୍ତିରେ ନହେବ ସେଥିପାଇଁ ଧ୍ୟାନ ଦିଅନ୍ତୁ। ଲୁଣାପାଣି ଯେଉଁଠି ବାହାରୁଛି ସେଠାରେ ପାଇପ୍ ଯୋେଗ ଭଲ ପିଇବା ପାଣି ଯୋଗାନ୍ତୁ। ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ତୁରନ୍ତ ଶେଷ କରନ୍ତୁ ବୋଲି ସେ କହିଥିଲେ।
ଏମ୍ଜିଏନ୍ଆର୍ଇଜିଏରେ ମଜୁରି ବଢ଼ୁ
‘ପେସା’ ଆଇନ କେବେ ଲାଗୁ ହେବ?
୨୦୧୭ରୁ ୨୦୨୪ ପିସି କାରବାରର ସ୍ବର୍ଣ୍ଣିମ ଯୁଗ ଥିଲା: ବିଜେପି
ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ କହିଥିଲେ, ସରକାର ଘୋଷଣା କରିଥିଲେ ଚଳିତବର୍ଷ ‘ପେସା’ ଆଇନ୍ ଲାଗୁ ହେବ। ହେଲେ ଏପର୍ଯ୍ୟନ୍ତ ଲାଗୁ ହେଲାନି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ମିଛ କୁହାଇଲ କାହିଁକି? କାହା ଚାପରେ ଲାଗୁ କରୁନାହାନ୍ତି? ସେହିପରି ଏବେ ଜିଲ୍ଲା ଗୁଡ଼ିକରେ ଯୋଜନା କମିଟି ଅଧ୍ୟକ୍ଷ ନାହାନ୍ତି, ଅର୍ଥ ଖର୍ଚ୍ଚ ହୋଇପାରୁନି। ଏ ନେଇ କେବେ ପଦକ୍ଷେପ ନିଆଯିବ। ବିରୋଧୀ ଦଳ ପକ୍ଷରୁ ଅରବିନ୍ଦ ମହାପାତ୍ର, ପ୍ରଦୀପ କୁମାର ଦିଶାରୀ, େରାମାଞ୍ଚ ରଂଜନ ବିଶ୍ବାଳ, ଭାଦବ ହାଁସଦା, ରମାକାନ୍ତ ଭୋଇ, ସାରଦା ପ୍ରସନ୍ନ ଜେନା ପ୍ରମୁଖ ଆଲୋଚନାରେ ଭାଗ ନେଇ ଖର୍ଚ୍ଚ ଦାବିକୁ ବିରୋଧ କରିଥିଲେ।
ଶାସକ ଦଳ ପକ୍ଷରୁ ଖର୍ଚ୍ଚ ଦାବିକୁ ସମର୍ଥନ କରି ଅମର ନାୟକ କହିଥିଲେ, ବ୍ଲକ୍ସ୍ତରରେ ପିସି ମାତ୍ରା ଏତେ ବଢ଼ିଗଲା ଯେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ୨୦୧୭ ମସିହାରେ ଅପିଲ୍ କରିବାକୁ ପଡ଼ିଲା ପିସି ବନ୍ଦ ହେଉ। ବାସ୍ତବରେ ୨୦୧୭ରୁ ୨୦୨୪ ପର୍ଯ୍ୟନ୍ତ ପିସି କାରବାରର ସ୍ବର୍ଣ୍ଣିମ ଯୁଗ ଥିଲା। ଏବେ ବିଜେଡି ନେତାଙ୍କ ପାଖରେ ପିସି ପହଞ୍ଚୁନଥିବାରୁ ସେମାନେ ଏବେ ବ୍ଲକ୍ରେ କିଛି କାମ ହେଉନି ବୋଲି ଅଭିଯୋଗ କରୁଛନ୍ତି। ପୂର୍ବ ସରକାରରେ କେବଳ ପ୍ରଚାର ପାଇଁ ଯୋଜନା ଘୋଷଣା କରାଯାଉଥିଲା। ଶାସକ ଦଳ ପକ୍ଷରୁ ମାନସ କୁମାର ଦତ୍ତ, ଦୁର୍ଗା ପ୍ରସନ୍ନ ନାୟକ, ପ୍ରତାପ ଚନ୍ଦ୍ର ନାୟକ, ଆଶ୍ରିତ ପଟ୍ଟନାୟକ, କହ୍ନାଇ ଚରଣ ଡାଙ୍ଗ, ଅଶୋକ ମହାନ୍ତି, ନୀଳମଣି ବିଷୋୟୀ, ଉମାଚରଣ ମଲ୍ଲିକ, ଶତୃଘ୍ନ ଜେନା ପ୍ରମୁଖ ଆଲୋଚନାରେ ଭାଗ ନେଇ ଖର୍ଚ୍ଚ ଦାବିକୁ ସମର୍ଥନ କରିଥିଲେ।