ସମ୍ବଲପୁର: ବିଜେପି ଓଡ଼ିଶାରେ ସରକାର ଗଢ଼ିବା ସହିତ ସମ୍ବଲପୁର ରାଜ୍ୟର ଅନ୍ୟତମ କ୍ଷମତା କେନ୍ଦ୍ରରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ଏହାର ପାର୍ଶ୍ବ ପ୍ରତିକ୍ରିୟା ବି ରହିଛି। ସମ୍ବଲପୁରରେ ବିଜେପି ନେତାମାନଙ୍କ ୩ଟି କାର୍ଯ୍ୟାଳୟ ପରିଚାଳିତ ହେଉଥିବା ବେଳେ କର୍ମୀମାନେ କିନ୍ତୁ ୪ଟି ଶିବିରରେ ରହିଛନ୍ତି। ଯଦି ନେତାମାନଙ୍କ ମଧ୍ୟରେ ସମନ୍ବୟ ନରହେ, ଆଗକୁ ବିଜେପି ପାଇଁ ସମସ୍ୟା ବଢ଼ିପାରେ। ଆଉ ଏହାର ଫାଇଦା ବିରୋଧୀ ବିଜେଡିକୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

Advertisment

ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲଙ୍କ ମଧ୍ୟରେ ତିକ୍ତତା ବିଜେପି ପାଇଁ ଏବେ ବଡ଼ ମୁଣ୍ଡବ୍ୟଥାର କାରଣ ହୋଇଛି। ଏକଦା ଗିରୀଶ ବିଧାୟକ ଜୟନାରାୟଣଙ୍କ ଡାହାଣ ହାତ ସଦୃଶ ଥିଲେ। ଜୟନାରାୟଣଙ୍କ ଯୋଗୁଁ ଗିରୀଶ ସମ୍ବଲପୁର ପୌର ପରିଷଦର ନଗରପାଳ ତଥା ପରେ ଜିଲ୍ଲା ବିଜେପି ସଭାପତି ବି ହୋଇଥିଲେ। ‌ତ‌େବେ ଚିକିତ୍ସା ପାଇଁ ଜୟନାରାୟଣଙ୍କ ସମ୍ବଲପୁରରେ ଲମ୍ବା ଅନୁପସ୍ଥିତି ଏବଂ ଗିରୀଶଙ୍କ ଉଚ୍ଚାକାଂକ୍ଷା ଉଭୟଙ୍କ ମଧ୍ୟରେ ବିବାଦର ମୂଳ କାରଣ ପାଲଟିଥିଲା। ଗତ ଜୁନ୍‌ ୨୮ ତାରିଖ ଦିନ କଚେରି ରୋଡ୍‌ରେ ଥିବା ଜିଲ୍ଲା ବିଜେପି କାର୍ଯ୍ୟାଳୟର ଜିଲ୍ଲା ସଭାପତିଙ୍କ ପ୍ରକୋଷ୍ଠ‌ରେ ଜୟନାରାୟଣଙ୍କ ଝିଅ ଶୁଭଶ୍ରୀ ମିଶ୍ର ତାଲା ଠୁଙ୍କିବା ପରେ ଗିରୀଶ କିଛିଦିନ ଚୁପ୍ ରହିଥିଲେ। ହେଲେ ଗତ ଜୁଲାଇ ୨୧ରେ ତାଙ୍କ ଜନ୍ମଦିନ ଅବସରରେ ନୟାପଡ଼ାରେ ‘ବିଜେପି ଜିଲ୍ଲା ସଭାପତିଙ୍କ କାର୍ଯ୍ୟାଳୟ’ ନାମରେ ନିଜସ୍ବ ଅଫିସ୍ ଖୋଲି ଏକ ପ୍ରକାର ଚାଲେଂଜ ‌ଦେଇଛନ୍ତି। ଏବେ ପ୍ରାୟତଃ ବିଭିନ୍ନ କାର୍ଯ୍ୟକ୍ରମ ଅଲଗା ଅଲଗା କରାଯାଉଛି। ଜୟନାରାୟଣଙ୍କ ସମର୍ଥକମାନେ କଚେରି ରୋଡ୍‌ସ୍ଥିତ କାର୍ଯ୍ୟାଳୟରେ କାର୍ଯ୍ୟକ୍ରମ ଆୟୋଜନ କରୁଥିବାବେଳେ ଗିରୀଶଙ୍କ ସମର୍ଥକମାନେ ନୟାପଡ଼ା କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏକାଠି ହେଉଛନ୍ତି। ଇତିମଧ୍ୟରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗୋବିନ୍ଦତୋଳାରେ ‘ସାଂସଦଙ୍କ କାର୍ଯ୍ୟାଳୟ’ ନାମରେ ନିଜସ୍ବ କାର୍ଯ୍ୟାଳୟ ଖୋଲିଛନ୍ତି। ସେଠାରେ ସାଂସଦ ଶ୍ରୀ ପ୍ରଧାନଙ୍କ ସମର୍ଥକମାନେ ବସାଉଠା କରୁଥିବା ବେଳେ ସାଂସଦଙ୍କ ପାଖରେ କାମ ଥିବା ଲୋକେ ସେଠାକୁ ଯା’ଆସ କରୁଛନ୍ତି।

ଅନ୍ୟପଟେ ସୁରେଶ ପୂଜାରୀ ମନ୍ତ୍ରୀ ହେବା ପରେ ସମ୍ବଲପୁରରେ ଥିବା ତାଙ୍କ ଅନୁଗତମାନେ ଏବେ ବେଶ୍ ସକ୍ରିୟ ‌ହୋଇଉଠିଛନ୍ତି। ଦେଖିବାକୁ ଗଲେ, ବିଜେପି କର୍ମୀମାନେ ଏବେ ୪ଟି ଶିବିରରେ ରହିଛନ୍ତି। ତ‌େବେ ସୁରେଶ ପୂଜାରୀଙ୍କ ସମର୍ଥକମାନଙ୍କୁ ଛାଡ଼ିଦେଲେ ଅନ୍ୟ ୨ ଶିବିରର ନେତା ଓ କର୍ମୀମାନଙ୍କର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଭଲ ସଂପର୍କ ରହିଛି। ଧର୍ମେନ୍ଦ୍ରଙ୍କ ଗସ୍ତ ସମୟରେ ସମସ୍ତଙ୍କୁ ଦେଖିବାକୁ ମିଳୁଛି। ଅତ୍ୟନ୍ତ ଚତୁର ନେତା ଧର୍ମେନ୍ଦ୍ର ମଧ୍ୟ ଯଥାସମ୍ଭବ ସମନ୍ବୟ ରକ୍ଷା କରି ଚାଲିଛନ୍ତି। ତ‌େବେ ସମୟ ଅତିକ୍ରାନ୍ତ ହେବା ସହିତ ସମାଧାନର ରାସ୍ତା ନ ବାହାରିଲେ ଜିଲ୍ଲା ବିଜେପିର ଏଭଳି ଭିନ୍ନ ଭିନ୍ନ ଗୋଷ୍ଠୀ ଆଗକୁ ବଡ଼ ସମସ୍ୟା ସୃଷ୍ଟି କରିପାରେ। ଆଉ ନିକଟ ଭବିଷ୍ୟତରେ ହେବାକୁ ଥିବା ସମ୍ବଲପୁର ମହାନଗର ନିର୍ବାଚନରେ ଏହାର ଫାଇଦା ବିଜେଡିକୁ ମିଳିପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି।