ମାଲକାନଗିରି: ଜିଲ୍ଲା ବିଜେପି ସଭାପତି ନିମାଇଁ ପାଲଙ୍କ ନେତୃତ୍ବରେ ଏକ ଟିମ ମାଲକାନଗିରି ଜିଲ୍ଲାରେ ଚାଲିଥିବା ମଣ୍ଡିରେ ଅବ୍ୟବସ୍ଥା ନେଇ ବିଭିନ୍ନ ଦାବି ପୂରଣ ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଧାନକ୍ରୟ ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କର ଭୁଲ ଓ ନିଷ୍ଠାହୀନ କାରଣରୁ ଦୀର୍ଘ ବର୍ଷ ଧରି ଓଡିଶାର ଚାଷୀମାନେ ଉପେକ୍ଷିତ, ଅବହେଳିତ ଓ ଦାରିଦ୍ର୍ୟତାର ଶିକାର ହେଉଛନ୍ତି। ସରକାର ଉତ୍ପାଦିତ ଧାନକୁ ଠିକ ଢଙ୍ଗରେ କ୍ରୟ କରୁନଥବାରୁ ଚାଷ ଓ ଚାଷୀ ଉଭୟ ଭୟଙ୍କର କ୍ଷତିର ଶିକାର ହେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଫଳରେ ଅନେକ ଚାଷ ଜମି ପଡିଆ ପଡିଥିବା କହିଛି।

Advertisment

ମାଲକାନଗିରି ଜିଲ୍ଲାରେ କରାଯାଇଥିବା ମଣ୍ଡିରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ବିଜେପି ଅଭିଯୋଗ କରିଛି। ଆସନ୍ତା ୭ ଦିନ ମଧ୍ୟରେ ଖୋଲାଯାଇନଥିବା ମଣ୍ଡିଗୁଡିକ ତୁରନ୍ତ ଖୋଲିବା ପାଇଁ ଦାବି କରିଥିଲେ। ଏଥିସହ ବିଜେପି ଉପଜିଲ୍ଲାପାଳଙ୍କୁ ଭେଟି ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଉପକୂଳ ଓଡିଶାରର ଧାନ ଅମଳ ପାଖାପାଖି ୮୦ ପ୍ରତିଶତ ଶେଷ ହୋଇଥିବା ବେଳେ ଧାନମଣ୍ଡିଗୁଡିକ ଏ ପର୍ଯ୍ୟନ୍ତ ଖୋଲାଯାଇ ନାହିଁ। ଏହା ସରକାରଙ୍କର ଚାଷୀ ମାରଣ ନୀତିକୁ ସ୍ପଷ୍ଟ କରୁଛି।

ସେହିପରି ପଶ୍ଚିମ ଓଡିଶାରେ ମଣ୍ଡିଗୁଡିକ ଅତ୍ୟନ୍ତ ବିଶୃଙ୍ଖଲାରେ ଚାଲିଛି, ଯାହାଦ୍ବାରା ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। କୃଷକ ପଞ୍ଜିକରଣର ଅନିୟମିତତା ଓ ପାତରଅନ୍ତର ନୀତି ବନ୍ଦ କରାଯାଉ। ସେଣ୍ଟ୍ରାଲ ଟୋକେନ ନାମରେ ସରକାରୀ ପ୍ରାୟୋଜିତ ଭ୍ରଷ୍ଟାଚାର ଓ ଚାଷୀମାରଣ ନୀତି ବନ୍ଦ କରାଯାଉ। ଚାଷୀ ମୁଣ୍ଡପିଛା ସର୍ବାଧିକ ୬୦ କ୍ବିଣ୍ଟାଲ ଧାନ ବିକ୍ରି କରିବାର ନିଷ୍ପତ୍ତିକୁ ରଦ୍ଧ କରି ବିକ୍ରି ସୀମାକୁ ବୃଦ୍ଧି କରାଯାଉ। କଟନୀ-ଛଟନୀକୁ ବନ୍ଦ କରାଯାଉ ଓ ଏହାକୁ ବେଆଇନ ଘୋଷଣା କରାଯାଉ। କେନ୍ଦ୍ର ସରକାରର ୮ ବର୍ଷ ମଧ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟରେ ପାଖାପାଖି ୭ ଶହ ଟଂକା ବୃଦ୍ଧି କରିଛନ୍ତି। ଚାଷୀଙ୍କୁ ଏମଏସପି ଦରରେ ଉତ୍ପାଦର ଦାମ ମିଳିବା ପାଇଁ ରାଜ୍ୟ ସରକାର ଉତ୍ତରଦାୟୀତ୍ବ ନିଅନ୍ତୁ। ଏମଏସପି ପାଇଁ ପ୍ରତି ଜିଲ୍ଲାରେ ଓ ବ୍ଲକରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଉ ଏବଂ ଚାଷୀକୁ ଏମଏସପି ପାଇବାରେ ଅବହେଳା କରୁଥିବା ସମସ୍ତ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯାଉ ବୋଲି ଦାବି କରାଯାଇଛି। ବସ୍ତା ଓ ସୁତଲୀର ପଇସା ଚାଷୀଙ୍କୁ ଦିଆଯାଉ। ମୁଖ୍ୟମନ୍ତ୍ର୍ରୀ ୨୦୧୬ରେ ଘୋଷଣା କରିଥିବା କ୍ବିଣ୍ଟାଲ ପିଛା ୧୦୦ ଟଂକା ବୋନସ ତୁରନ୍ତ ଚଳିତ ସିଜନରୁ ଚାଷୀଙ୍କୁ ଦିଆଯାଉ। ଧାନ ସଂଗ୍ରହ ସୀମା ଅଣଜଳସେଚିତ ଜମିରେ ୨୨ କ୍ବିଣ୍ଟାଲ ଓ ଜଳସେନ ଜମିରେ ୨୮ କ୍ବିଣ୍ଟାଲ ପ୍ରତି ଏକ କରାଯାଉ ବୋଲି ଦାବି କରାଯାଇଛି। ଯଦି ଏହି ଦାବି ପୂରଣ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବିଜେପି ଦାବି କରିଛି। ଆଜି ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ବେଳେ ବିଜେପିର ସାଧାରଣ ସଂପାଦକ ମାଣିକ ଚକ୍ରବର୍ତ୍ତୀ, କୋଷାଧ୍ୟକ୍ଷ ସଂଜୟ ସରକାର, ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର, ଦିନେଶ ପଟ୍ଟନାୟକ, ବାଲାଜୀ ପାଡାଲ ପ୍ରମୁଖ ଉପସ୍ଥିତ ଥିଲେ।