ଜୟପୁରରେ ପୋଡ଼ିଲେ ଧର୍ମେନ୍ଦ୍ର ଓ ପାଙ୍ଗିଙ୍କ ଫଟୋଚିତ୍ର

ଜୟପୁର : ଆଜି ଜୟପୁରରେ ବି ଅସନ୍ତୁଷ୍ଟ କର୍ମୀଙ୍କ ମଧ୍ୟରେ ବିଦ୍ରୋହ ଦେଖାଦେଇଛି । ଜୟପୁର ଆସନରୁ ଦଳ ଯୁବନେତା ଗୌତମ ସାମନ୍ତରାୟଙ୍କୁ  ପ୍ରାର୍ଥୀ ଘୋଷଣା କରାଯାଇଥିବାରୁ ଟିକଟ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ଦଳୀୟ କର୍ମୀ। ଦଳ ବିରୋଧୀ କାମ ପାଇଁ ବିଗତ ଦିନରେ ଗୌତମଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ବେଳେ ତାଙ୍କୁ କିଭଳି ପ୍ରାର୍ଥୀ କରାଗଲା ବୋଲି ପ୍ରଶ୍ନ କରିଛନ୍ତି। ଦଳୀୟ ପ୍ରାର୍ଥୀ ପାଇଁ ଅନୁପ ପାତ୍ର, ବିଜୟ ରାୟ ଜେନାଦେଓ, ଦେବେନ୍ଦ୍ର ବାହିନୀପତି ଓ ଶୁଭେନ୍ଦୁ ବ୍ରହ୍ମା ଆଶାୟୀ ରହିଥିଲେ ଏବଂ ପ୍ରାର୍ଥୀ ଚୟନ ନେଇ କର୍ମୀଙ୍କ ଠାରୁ ଭୋଟ ନିଆଯାଇଥିଲା । ପ୍ରାର୍ଥୀତ୍ବ ପାଇଁ ଦଳୀୟ କର୍ମକର୍ତ୍ତାଙ୍କ ପକ୍ଷରୁ ଚୟନ କମିଟିର ମତାମତ ନିଆଯାଇଥିଲା । ତେବେ କେଉଁ ଆଧାରରେ ଗୌତମଙ୍କୁ ଟିକଟ ଦିଆଗଲା ବୋଲି ସେମାନେ ପଚାରିଛନ୍ତି।  ଉତ୍ତ୍ୟକ୍ତ କର୍ମୀ ପାରାବେଢା ସ୍ଥିତ ବିଜେପି କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିବା ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୟରାମ ପାଙ୍ଗି ଓ ବସନ୍ତ ପଣ୍ଡାଙ୍କ ବିରୋଧରେ ନାରାବାଜି କରିବା ସହ ଧମେନ୍ଦ୍ର ପ୍ରଧାନ ଓ ଜୟରାମ ପାଙ୍ଗିଙ୍କ ଫଟୋଚିତ୍ରକୁ ପୋଡିଥିଲେ । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବିଜୟ କୁମାର ରାୟ ଜେନାଦେଓ, ଅନୁପ ପାତ୍ର, ଅକ୍ଷୟ ସାହୁ, ଶୁଭେନ୍ଦୁ ବ୍ରହ୍ମା, ଅମର ଲାଲ ଆହୁଜା, ଲଳିତ ଅଗ୍ରୱାଲ, ଗୋପି ପାଣିଙ୍କ ସହ ବହୁ କର୍ମୀ ଓ ନେତା ଉପସ୍ଥିତ ରହିଥିଲେ। ଅସନ୍ତୁଷ୍ଟ େନତା ବିଜୟରାୟ ଜେନାଦେଓ କହିଛନ୍ତି , ଯେଉଁ ବ୍ୟକ୍ତିଙ୍କୁ ଟିକେଟ ମିଳିଛି ସେ ଦଳରୁ ୩ ବର୍ଷ ହେଲା ବହିଷ୍କୃତ ରହିଛନ୍ତି। ପ୍ରାଥମିକ ସଦସ୍ୟତା ବି ନାହାନ୍ତି।  ଏବେ କିପରି ଓ କେଉଁ ଧାରାରେ ତାଙ୍କୁ ଟିକେଟ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର