ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ କିରାସିନି ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ବ୍ଲକ୍ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ବିଜେପି କର୍ମୀ ଓ ଉପଭୋକ୍ତା। ଏଥିସହ ସେମାନେ ଡୁଙ୍ଗୁରିପାଲି ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଡୁଙ୍ଗୁରିପାଲି ବ୍ଲକର କୌଣସି ପଞ୍ଚାୟତରେ କିରାସିନି ବଣ୍ଟନ ହେଉ ନ ଥିବା ଏଥିରେ ଉଲ୍ଲେଖ ରହିଛି। ବର୍ତ୍ତମାନ କେତେକ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ଗ୍ରାମ ପାଣିଘେରରେ ଅଛି। ଗ୍ରାମାଞ୍ଚଳରେ ସାରାରାତି ବିଦ୍ୟୁତ୍ କାଟ ହେଉଛି। ତେଣୁ ଡିବିରି ବା ଲଣ୍ଠନଟିଏ ଲଗାଇବା ପାଇଁ କିରାସିନି ନ ଥିବାରୁ ଲୋକେ ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି।

Advertisment

ଗତ ପ୍ରାୟ ୭ ମାସ ହେଲା ଡୁଙ୍ଗୁରିପାଲି ବ୍ଲକର କୌଣସି ପଞ୍ଚାୟତକୁ କିରାସିନି ଦିଆଯାଇ ନାହିଁ। ଉକ୍ତ କିରାସିନି ଗଲା କୁଆଡ଼େ ବୋଲି କର୍ମୀମାନେ ପ୍ରଶ୍ନ କରିଛନ୍ତି। ୭ ମାସର କିରାସିନି ହଡ଼ପ ହୋଇଥିବାରୁ ଏହାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ନଚେତ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣ‌ା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।

ବିକ୍ଷୋଭରେ ଜିଲ୍ଲା ବିଜେପି ସମ୍ପାଦକ ହେମନ୍ତ ବିଶ୍ବାଳଙ୍କ ନେତୃତ୍ବରେ ଶୁଖା ମଣ୍ଡଳ ସଭାପତି ସୁରେଶ ପଧାନ, ବାସୁଦେବ ନାଏକ, ଡୁଙ୍ଗୁରିପାଲି ମଣ୍ଡଳ ଏସସି ମୋର୍ଚ୍ଚା ସଭାପତି କଳାକାହ୍ନୁ ମହାଲିଙ୍ଗ, ନିମାଇଁ ଚରଣ ସାହୁ, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରବୀର ସାହୁ, ସହଦେବ ବାରିକ, ରଥ ସାହୁ, ନିମାଇଁ ପଧାନ, ଅଣାକାର ବିଶ୍ବେଶ୍ବର, ଧିରେନ୍ଦ୍ର ପଧାନ, ସୁଶାନ୍ତ ସାହୁ, ଗୋପାଳ ପଧାନ, ଦେବରାଜ ବେହେରା, ବାସୁଦେବ ଦଣ୍ଡସେନା ଓ ବସନ୍ତ ପତିଙ୍କ ଶହ ଶତାଧିକ କର୍ମୀ ସାମିଲ ଥିଲେ।