ଯୁଯୁମୁରା : ଗତ ୨୨ବର୍ଷ ଧରି ଛଳନା କରୁଥିବା ଲୋକଙ୍କ ମୁଖା ଖୋଲିଦେବୁ। ରବିବାର ଦିନ ସମ୍ବଲପୁରର ଯୁଯୁମୁରାଠାରେ ବିଜେପିର ବିଶାଳ କାର୍ଯ୍ୟକର୍ତ୍ତା ସମାବେଶରେ ଯୋଗଦେଇ ଏହିଭଳି ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହିତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗରିବ କଲ୍ୟାଣ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରାଯିବ ଏବଂ ଘରେ ଘରେ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ପହଞ୍ଚାଯିବ ବୋଲି କହିଛନ୍ତି।

Advertisment

publive-image

ରେଢ଼ାଖୋଲ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଯୁଯୁମୁରା ହାଇସ୍କୁଲ ପଡ଼ିଆଠାରେ ଏହି ସମାବେଶର ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ପ୍ରଧାନମନ୍ତ୍ରୀ ୮ ବର୍ଷ ଧରି ଗରିବ ଲୋକଙ୍କ ସେବା କରୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କ ପାଇଁ ପକ୍କା ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ନିର୍ମାଣ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ ଯୋଗାଣ, ଜଳ ଜୀବନ ମିସନରେ ଘରକୁ ପାଇପ୍‌ରେ ପାନୀୟ ଜଳର ସୁବିଧା କରାଯାଇଛି। ଅପରପକ୍ଷରେ ମୋଦୀ ପଠାଉଥିବା ଟଙ୍କା ଓଡ଼ିଶାରେ ବାଟମାରଣା ହେଉଛି। ରାଜ୍ୟରେ ୨୨ ବର୍ଷ ସ୍ଥାଣୁ ସରକାରରେ ଯୁଯୁମୁରାର ଯୁବକ ଯୁବତୀଙ୍କୁ କାମ ମିଳୁନାହିଁ। ରୋଜଗାର ପାଇଁ ଭିଟାମାଟି ଛାଡ଼ିବା ପାଇଁ ପଡ଼ୁଛି। ଗରିବ ଲୋକମାନେ ଲାଞ୍ଚଦେଲେ ଯାଇ କାମ ହେଉଛି। ଲମ୍ବା ସମୟର ଶାସନରେ ଗରିବଙ୍କୁ କ’ଣ ମିଳିଛି ବୋଲି ପ୍ରଶ୍ନ କରିବା ସହ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବଢ଼ିବା ଡରରେ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରାଯାଇନାହିଁ ବୋଲି ଅଭିଯୋଗ କରିଥିଲେ।

ଆସନ୍ତା ବର୍ଷକ ମଧ୍ୟରେ ସମ୍ବଲପୁର ଜିଲ୍ଲାର ସବୁ ଗାଁକୁ ଇଣ୍ଟରନେଟ୍ ସେବା

publive-image

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜନଜାତି ଯୁବକ ଇସାକ୍‌ ମୁଣ୍ଡାଙ୍କ ଉଦାହରଣ ଦେଇଥିଲେ। ସେ କହିଥିଲେ, କରୋନା ସମୟରେ ସମସ୍ତେ ଦୁଃଖ ଓ ଚିନ୍ତାରେ ଥିବାବେଳେ ସ୍ଥାନୀୟ ଅଂଚଳର ଜନଜାତି ଯୁବକ ଇସାକ୍ ଟେକ୍ନୋଲୋଜିକୁ ଉପଯୋଗ କରି ନିଜ ଜୀବନକୁ ପରିବର୍ତ୍ତନ କରିବା ସହ ଲକ୍ଷପତି ହୋଇପାରିଛନ୍ତି। ଏହା ହେଉଛି ନୂଆ ଭାରତ, ନୂଆ ଓଡ଼ିଶା ତଥା ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆର ପ୍ରତିଫଳନ। ଏହି ପୃଷ୍ଠଭୂମିରେ ଓଡ଼ିଶା ସମେତ ଚାଷୀ ଓ ବୁଣାକାରଙ୍କ ଅଂଚଳ ସମ୍ବଲପୁରର ସମସ୍ତ ଗାଁରେ ହାଇସ୍ପିଡ଼୍ ଇଣ୍ଟରନେଟ୍ ସେବା ପହଞ୍ଚାଯିବାର ବ୍ୟବସ୍ଥା କରାଯାଇ ସ୍ଥାନୀୟ ଯୁବକଙ୍କୁ ସଶକ୍ତ କରାଯିବାର ମାର୍ଗ ପ୍ରସ୍ତୁତ କରାଯିବ। ଆଜି ପବିତ୍ର ଶୀତଳଷଷ୍ଠୀ। ଆସନ୍ତା ଶୀତଳଷଷ୍ଠୀ ଅର୍ଥାତ୍‌ ଏକ ବର୍ଷ ମଧ୍ୟରେ ସମ୍ବଲପୁର ଜିଲ୍ଲାର ପ୍ରତ୍ୟେକ ଗାଁରେ ଇଣ୍ଟରନେଟ ସେବା ଉପଲବ୍ଧ ହେବ ବୋଲି କହିଥିଲେ।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଓ ଯୁବନେତା ଜୟନ୍ତ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ରବି ନାଏକ, ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ, ଟଙ୍କଧର ତ୍ରିପାଠୀ, ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସୀନ ଥିଲେ।

କେନ୍ଦ୍ରମନ୍ତ୍ରୀ ସନ୍ଧ୍ୟାରେ ସମ୍ବଲପୁରର ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ନନ୍ଦପଡ଼ା, ଝାଡ଼ୁଆପଡ଼ା, ମୁଦିପଡ଼ା, ବାଲିବନ୍ଧାରେ ଆୟୋଜିତ ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହୋଇଥିଲେ।