ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ଶୋଭାଯାତ୍ରା: କର୍ମୀଙ୍କ ଉପରେ ପୁଲିସର ଲାଠିଚାର୍ଜ

ଭୁବନେଶ୍ବର: ମମିତା ମେହେର ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ଶୋଭାଯାତ୍ରା ଚାଲିଥିବା ବେଳେ, ଉତ୍ତ୍ୟକ୍ତ କର୍ମୀଙ୍କ ଉପରେ ପୁଲିସ ଲାଠିଚାର୍ଜ କରିଥିବାର ଖବର ମିଳିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଯାଏ ହଜାର ହଜାର ବିଜେପି ଯୁବମୋର୍ଚ୍ଚା କର୍ମୀ ଲୋୟର ପିଏମଜି ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ଧାରଣାରେ ବସିଲେ।

ଏହାପରେ ପୁଲିସ୍ ବ୍ୟାରିକେଡ ଭାଙ୍ଗି ବିଧାନସଭାକୁ ଅଗ୍ରସର ହେବାକୁ ଉଦ୍ୟମ ହେଉଥିବା ବେଳେ କେତେକ ବିଜେପି କର୍ମୀଙ୍କୁ ପୁଲିସ ଗିରଫ କରିଥିଲା। ଏହାଛଡ଼ା ପୁଲିସ ଲାଠିଚାର୍ଜ କରିଥିଲା। ପୁଲିସ ସହ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ପ୍ରତିବାଦ ଶୋଭାଯାତ୍ରା ବେଳେ ଲୋୟର ପିଏମଜିରେ ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ। ବିଜେପି କର୍ମୀମାନେ ପୁଲିସ ଭ୍ୟାନକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଏହାପରେ ପୁଲିସ କର୍ମୀଙ୍କୁ ଘଉଡ଼ାଇବା ଲାଗି ଉଦ୍ୟମ  କରିଥିଲେ।  ଏଥରେ ଆରଆରବି ଯବାନ ଓ କିଛି ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି। ଏଥିରେ କେତେକ ବିଜେପି କର୍ମୀଙ୍କ ସମେତ ସାମ୍ବାଦିକଙ୍କ ମୁଣ୍ଡ ଫାଟିଥିବାର ସୂଚନା ମିଳିଛି।

ଏଣେ ବରିଷ୍ଠ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଯେପର୍ଯ୍ୟନ୍ତ ରାଜ୍ୟ ସରକାର ବିଜେପିର ଦାବି ନ ମାନିଛନ୍ତି, ସେଯାଏଁ ଏହି ପ୍ରତିବାଦ ଜାରି ରହିବ। ଏହାକୁ ଆହୁରି ତୀବ୍ରତର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଠିକ୍ ସେହିପରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ବିଜେଡି ସରକାର ଆଜି ଭୟଭୀତ। ଏହି କାରଣରୁ ପୁଲିସକୁ ଲଗାଇ ବିଜେପି କର୍ମୀମାନଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି।

 

ସମ୍ବନ୍ଧିତ ଖବର