ବେରୋଜଗାର ପ୍ରତିବାଦ : ବିଜେପି ଯୁବମୋର୍ଚ୍ଚାର ବିଧାନସଭା ଘେରାଉ ଉଦ୍ୟମ, ଶତାଧିକ କର୍ମୀ ଗିରଫ

ଭୁବନେଶ୍ବର : ରାଜ୍ୟରେ ବୋରଜଗାରି, ଉତ୍କଟ ବେକାରୀ ସମସ୍ୟା ଓ ଖାଲି ପଡ଼ିଥିବା ସରକାରୀ ପଦ ପୂରଣ ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ବିଧାନସଭା ଘେରାଉ ଉଦ୍ୟମ କରାଯାଇଥିଲା। ଯୁବମୋର୍ଚ୍ଚାର ଶତାଧିକ କର୍ମୀ ମଧ୍ୟାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ନିକଟରୁ ବାହାରି ବିଧାନସଭା ଅଭିମୁଖେ ଯାଇଥିଲେ। ମାଷ୍ଟରକ୍ୟାଣ୍ଟିନ୍ ଛକରୁ ବିଧାନସଭା ଆଡ଼କୁ ଯିବା ବେଳେ ପ୍ରଥମ ଓ ଦ୍ବିତୀୟ କର୍ଡନ ଭାଙ୍ଗି ଦେଇଥିଲେ। ତୃତୀୟ କର୍ଡନ ଭାଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଶତାଧିକ କର୍ମୀ, ନେତାଙ୍କୁ ଗିରଫ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି, ଦୀର୍ଘ ୨୦ ବର୍ଷ ବିଜେଡି ସରକାର ଶାସନରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ବେରୋଜଗାରିରେ ଓଡ଼ିଶା ଏକ ନମ୍ବର ସ୍ଥାନରେ ରହିଛି। ୨୦୦୯ରୁ ୨୦୧୯ ଭିତରେ ନିଯୁକ୍ତି ପଞ୍ଜୀକରଣ କେନ୍ଦ୍ରରେ ୨୨ ଲକ୍ଷ ୫୭ ହଜାର ବେକାର ଯୁବକ/ଯୁବତୀ ନାମ ପଞ୍ଜୀକରଣ କରିଛନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ମାତ୍ର ୨୬ ହଜାର ୪୫ ଜଣଙ୍କୁ ନିଯୁକ୍ତି ମିଳିଛି। ଯାହା ୧ ପ୍ରତିଶତଠାରୁ ସାମାନ୍ୟ ଅଧିକ। ରାଜ୍ୟ ସରକାର ସ୍କିଲଡ୍ ଓଡ଼ିଶା କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ୬୨କୋଟି ଟଙ୍କା ଖର୍ଚ୍ଚ କରାଯାଇ ୯୩ ହଜାର ଜଣ ତାଲିମ ନେଇଛନ୍ତି। ମାତ୍ର ୨୧ ହଜାର ୬୮୧ ଜଣ ନିଯୁକ୍ତି ପାଇଛନ୍ତି। ସେହିପରି ରାଜ୍ୟରେ ୯ ଲକ୍ଷରୁ ଅଧିକ ଶିକ୍ଷିତ ବେକାରୀ ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସବୁଠୁ ଅଧିକ ୫୫ହଜାର ଜଣ ବେକାରୀ ରହିଛନ୍ତି। ଶିଳ୍ପକ୍ଷେତ୍ରରେ ମଧ୍ୟ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଛି। ସ୍କୁଲ, କଲେଜଗୁଡ଼ିକରେ ଶିକ୍ଷକ ଓ ଅଧ୍ୟାପକ ପଦ ବି ଖାଲି ରହିଛି। ସରକାର ଯଦି ନିଯୁକ୍ତି କ୍ଷେତ୍ରରେ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଜୋରଦାର୍‌ ଆନ୍ଦୋଳନ ହେବ ବୋଲି ସଭାପତି ଶ୍ରୀ ତିପ୍ରାଠୀ କହିଛନ୍ତି। ଏହି ଆନ୍ଦୋଳନରେ ଜଗନ୍ନାଥ ପ୍ରଧାନ, ବାବୁ ସିଂ, ଦିଲୀପ ମହାନ୍ତି, ବିଶ୍ବରଂଜନ ବଡ଼ଜେନା, ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଯୁବନେତା ସାମିଲ ଥିଲେ।

ସମ୍ବନ୍ଧିତ ଖବର