୨୮ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବ ବିଜେପି ଯୁବ ମୋର୍ଚ୍ଚା

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଯୁବମାରଣ ନୀତିର ପ୍ରତିବାଦ ତଥା ବେକାର ଯୁବକ, ଯୁବତୀଙ୍କୁ ରୋଜଗାର ଯୋଗାଇବା ଦାବି‌େର ବିଜେପି ଯୁବ ମୋର୍ଚ୍ଚା ରାସ୍ତାକୁ ଓହ୍ଲାଇବ। ଆସନ୍ତା ୨୮ ତାରିଖରେ ମୋର୍ଚ୍ଚା ପକ୍ଷରୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯିବ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ କହିଥିଲେ, ଦୀର୍ଘ ୧୯ ବର୍ଷ ଧରି ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଇଛି। ଓଡ଼ିଶାର ଯୁବକ, ଯୁବତୀମାନଙ୍କୁ ନିଯୁକ୍ତି ନ ଦେଇ ନିଯୁକ୍ତି ମେଳା ନାଁ‌େର ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ହଡ଼ପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୋଟିଏ ପଟେ ରାଜ୍ୟର ବିକାଶକୁ ନେଇ ଡିଣ୍ଡିମ ପିଟୁଥିଲା ବେଳେ ଅନ୍ୟ ପଟେ ଯୁବକମାନେ ଏଠାରେ କାମ ନ ପାଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ବଲାଙ୍ଗୀରରେ ଯୁବ ସମାବେଶ କରୁଥିଲା ବେଳେ ଏହି ଜିଲ୍ଲାର ଯୁବକ, ଯୁବତୀ କ’ଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି, ତାହାର ଜବାବ ମୁଖ୍ୟମନ୍ତ୍ରୀ ଦିଅନ୍ତୁ।

ବିଜେଡି ପକ୍ଷରୁ ଆରମ୍ଭ କରାଯାଇଥିବା ‘ସେଲ୍‌ଫି ୱିଥ୍ ସିଏମ୍‌’କୁ ସମାଲୋଚନା କରି ଶ୍ରୀ ତ୍ରିପାଠୀ କହିଲେ, ରାଜ୍ୟରେ ବିଭିନ୍ନ ସମସ୍ୟାର ସମାଧାନ ନ କରି ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ନ ଯାଇ ସାଧାରଣ ଲୋକଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଡାକି ଡିଜିଟାଲ୍‌ ମାଧ୍ୟମରେ ସେଲ୍‌ଫି ନେବାକୁ କହିବା ନିନ୍ଦନୀୟ। ବିଜେପି ପକ୍ଷରୁ ଆଜି ‘ସେଲ୍‌ଫି ୱିଥ୍‌ ଓଡ଼ିଆ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ଓଡ଼ିଆ ଲୋକଙ୍କ ସହ ସେଲ୍‌ଫି ନେଇ ସେମାନଙ୍କ ସମସ୍ୟା ଶୁଣିବେ। ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବ ନେତା ଠାକୁର ରଣଜିତ ଦାସ, ସିକନ୍ଦର ଅଲ୍ଲୀ, ବିଶ୍ବରଞ୍ଜନ ବଡ଼ଜେନା ଓ ଅର୍ପିତା ଅପରାଜିତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର