୧୦ଟି ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ
ପିପିଲି ଚାନ୍ଦୁଆ, ରଘୁରାଜପୁର ପଟ୍ଟଚିତ୍ରକୁ ଗ୍ଲୋବାଲ୍‌ କରିବାକୁ ଗୁରୁତ୍ବ

Advertisment

ଭୁବନେଶ୍ୱର : ଆଗାମୀ ନିର୍ବାଚନରେ ବିଜେପି ରାଜ୍ୟରେ କ୍ଷମତାସୀନ ହେବ। ଓଡ଼ିଶାରେ ୫୦% ଭୋଟ ପାଇ ବିଜେପି ଯେପରି ସରକାର ଗଠନ କରିବ ସେଥିପାଇଁ ଏବେଠାରୁ ସବୁ ନେତା ଓ କର୍ମକର୍ତ୍ତା ଲାଗି ପଡ଼ିବା ଦରକାର। ଆଜି ରାଜ୍ୟ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ଏପରି ଆହ୍ବାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା। ଏହାସହିତ ଆସନ୍ତା ଦିନରେ ରାଜ୍ୟ ସରକାରଙ୍କ ବିରୋଧରେ ଲଢ଼େଇ କରିବା ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ବରୂପ ୧୦ଟି ପ୍ରସଙ୍ଗରେ ପ୍ରସ୍ତୁତ ରାଜନୈତିକ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ କର୍ମକର୍ତ୍ତାମାନେ 'ଭୋକାଲ୍‌ ଫର୍‌ ଲୋକାଲ୍‌' ହେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଏହି କ୍ରମରେ ପିପିଲିର ଚାନ୍ଦୁଆ, ରଘୁରାଜପୁର ପଟ୍ଟଚିତ୍ରକୁ ଗ୍ଲୋବାଲ୍‌ କରିବାକୁ ଆଲୋଚନା ହୋଇଛି। ଆତ୍ମନିର୍ଭର ଭାରତ ଭଳି ରାଜ୍ୟକୁ ଆତ୍ମନିର୍ଭର କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ଓଡ଼ିଆ ଲୋକଙ୍କୁ ସମ୍ମାନ ଦିଆଯାଉଛି। ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି ପାଇଁ ସମସ୍ତ କର୍ମକର୍ତ୍ତା ଆନ୍ତରିକତାର ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ଭର୍ଚୁଆଲ ଯୋଗେ ଆୟୋଜିତ ଏହି ବୈଠକରେ ନୂଆଦିଲ୍ଲୀରୁ ଅଧ୍ୟକ୍ଷତା କରି ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା କହିଛନ୍ତି, ଦୀର୍ଘଦିନର ରାଜନୈତିକ ଲଢ଼େଇ ଯୋଗୁ ଓଡ଼ିଶାରେ ବିଜେପିକୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ମିଳିଛି। ୨୦୧୪ ଲୋକସଭା ନିର୍ବାଚନରେ ୨୧% ଭୋଟ ମିଳିଥିବାବେଳେ ଗତ ୨୦୧୯ ନିର୍ବାଚନରେ ଏହା ୩୮%କୁ ବୃଦ୍ଧି ପାଇଛି। ସେହିପରି ବିଧାନସଭାରେ ୨୦୧୪ରେ ଦଳକୁ ମିଳିଥିଲା ୧୮% ଭୋଟ ଯାହାକି ୨୦୧୯ରେ ବଢ଼ି ୩୨% ହୋଇଛି। କ୍ରମାଗତ ଦୁଇଟି ନିର୍ବାଚନରେ ବିଜେପିର ଭୋଟ ହାର ରାଜ୍ୟରେ ବଢ଼ିବାରେ ଲାଗିଛି। ଲୋକେ ଏବେ ବିଜେପିକୁ ଅଧିକ ବିଶ୍ବାସ କରିବା ଆରମ୍ଭ କରିଛନ୍ତି। ଏହି ବିଶ୍ବାସ ଯେପରି ଆହୁରି ମଜବୁତ ହେବ ସେଥିପାଇଁ ଦଳୀୟ କର୍ମକର୍ତ୍ତାମାନେ ତତ୍ପର ହେବା ଉଚିତ୍‌। ପ୍ରବାସୀ ଶ୍ରମିକମାନଙ୍କ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ରୋଜଗାର ବ୍ୟବସ୍ଥାକୁ ସବୁ ବିଜେପି କର୍ମକର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ଦରକାର। ଆଗାମୀ ଦିନରେ ଓଡ଼ିଶାର ୬ ଲକ୍ଷ ଗାଁକୁ ଅପିଟିକାଲ ଫାଇବର୍‌ ଦ୍ବାରା ସଂଯୋଗ କରି ଡିଜିଟାଲ୍‌ ଗାଁ ନିର୍ମାଣ କରାଯିବ।

publive-image

ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରି ଶ୍ରୀ ନଡ୍ଡା କହିଛନ୍ତି, କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ ନାମିତ କରି ଓଡ଼ିଶା ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ, ଗରିବ କଲ୍ୟାଣ ଯୋଜନା, ଆତ୍ମ ନିର୍ଭର ଭାରତ ଯୋଜନାକୁ ନିଜର ଯୋଜନା ବୋଲି କହିବା ଅତ୍ୟନ୍ତ ନିନ୍ଦନୀୟ। କେନ୍ଦ୍ର ସରକାର ଯୋଜନାକୁ ନେଇ ରାଜ୍ୟ ସରକାର ଓ ବିଜେଡି ନେତାମାନେ ଦୁର୍ନୀତି ଓ ଭ୍ରଷ୍ଟାଚାର କରୁଛନ୍ତି। ଆୟୁଷ୍ମାନ୍‌ ଭାରତ ଯୋଜନା ଓଡ଼ିଶାରେ ଲାଗୁ କଲେ ରାଜ୍ୟର ୨ କୋଟି ୪୦ ଲକ୍ଷ ଗରିବ ଲୋକ ଉପକୃତ ହେବେ ବୋଲି ଶ୍ରୀ ନଡ୍ଡା କହିଥିଲେ। ଆଗାମୀ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସେ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି।

ବୈଠକରେ ଦିଲ୍ଲୀରୁ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ସେବା ସପ୍ତାହ ପାଳନ ହେବ। ଏଥିପାଇଁ ନିଜେ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଲକ୍‌ଡାଉନ୍‌ ସମୟରେ ଗଞ୍ଜାମର ମହିଳା ମୋର୍ଚ୍ଚା କର୍ମକର୍ତ୍ତାମାନଙ୍କ ମାସ୍କ୍‌ ବଣ୍ଟନ ଓ ମହାମାରୀ ସମୟରେ ଲୋକଙ୍କ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ' ସହାୟ' ଆପ୍‌ର ଶୁଭାରମ୍ଭ ଭଳି କାର୍ଯ୍ୟକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ କରାଯିବା ଦରକାର। ଆଗାମୀ ଦିନରେ ରାଜ୍ୟରେ ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ହେବ। ଏଥିପାଇଁ ତୃଣମୂଳ ସ୍ତରରେ ବୁଥକୁ କିପରି ମଜବୁତ କରାଯିବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ। ବୈଠକରେ ଆସନ୍ତା ୩ ମାସ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି। ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ କିଛି ମୁଷ୍ଟିମେୟ ଅଧିକାରୀ ଗଣତନ୍ତ୍ରକୁ ବିପନ୍ନ କରିଛନ୍ତି। ପଞ୍ଚାୟତଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ବିଜେଡି ସରକାର କେବଳ ଭୋଟ ରାଜନୀତି କରୁଛି।

ଏହି ଅବସରରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଅପାରଗତା ବିରୋଧରେ ସଂଗ୍ରାମକୁ ଜୋରଦାର କରିବା ପାଇଁ ଲମ୍ବା ଚିଠା ଦଳ ପ୍ରସ୍ତୁତ କରିଛି। ମାର୍ଚ୍ଚ ପରଠାରୁ କେନ୍ଦ୍ର ସରକାର ବିଭିନ୍ନ ସହାୟତା ଆକାରରେ ୧୭୯୪ କୋଟି ୨୪ ଲକ୍ଷ ଟଙ୍କା ରାଜ୍ୟକୁ ଦେଇଛି। ନିର୍ମାଣ ଶ୍ରମିକମାନଙ୍କୁ କୋଭିଡ୍‌ ସମୟରେ ୩୧୫ କୋଟି ଟଙ୍କା ବାଣ୍ଟିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ସୁଦ୍ଧା ରାଜ୍ୟରେ ଏହା ଦଳୀୟ ଆଧାରରେ ବଣ୍ଟାଗଲା। ଅନେକ ଯୋଗ୍ୟ ଶ୍ରମିକ ଏହି ସହାୟତା ପାଇନାହାନ୍ତି। ଗରିବ କଲ୍ୟାଣ ଯୋଜନାରେ ହରଡ଼ ଡାଲି ହିତାଧିକାରୀଙ୍କୁ ଦେବାକୁ ଅର୍ଥ ଦେଇଥିବା ବେଳେ ରାଜ୍ୟ ସରକାର ଚଣା ଡାଲି ବାଣ୍ଟିଛନ୍ତି। ଆତ୍ମନିର୍ଭର ଭାରତ ଯୋଜନାରେ ଆସିଥିବା ଚାଉଳକୁ ବ୍ୟାପକ କଳାବଜାରୀ କରି ଗରିବ ଲୋକଙ୍କ ପେଟକୁ ଲାତ ମାରିଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଦଳୀୟ ଭିତ୍ତିରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ମନରେଗା ଯୋଜନା ଶାସକ ଦଳ ନେତାଙ୍କ ଅର୍ଥ ରୋଜଗାର କରିବାର ମାଧ୍ୟମ ପାଲଟିଛି ବୋଲି ବିଜେପି ଅଭିଯୋଗ କରିଛି। ଆସନ୍ତା ଦିନରେ ରାଜ୍ୟ ସରକାରଙ୍କ ସହ ଅଗ୍ରାଧିକାର ଦେଇ କେଉଁ ପ୍ରସଙ୍ଗରେ ସଂଗ୍ରାମ କରାଯିବ ସେ ନେଇ ରାଜନୈତିକ ଚିଠା ପାରିତ ହୋଇଛି। ବେରୋଜଗାର, ଜଗନ୍ନାଥ ରଥଯାତ୍ରା, ବଗଲା ଧର୍ମଶାଳା ଚଞ୍ଚକତା, ବନ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, କାମ୍ପାଫଣ୍ଡ ଦୁର୍ନୀତି, ଲଘୁ ଖଣିଜ ପଦାର୍ଥ ଲୁଟ୍‌, ରାଜ୍ୟ ସରକାର ପ୍ରସ୍ତାବିତ ଶିକ୍ଷାନୀତି, ଆଇନଶୃଙ୍ଖଳା ଓ ମହିଳା ନିର୍ଯ୍ୟାତନା ନେଇ ସରକାରଙ୍କୁ ଟାର୍ଗେଟ୍‌ କରିବାକୁ କାର୍ଯ୍ୟକାରିଣୀ ବୈଠକରେ ସ୍ଥିର କରାଯାଇଛି।

ଚାରୋଟି ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭରେ ଭୁବନେଶ୍ବର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଗଲଓ୍ବାନ୍‌ ଠାରେ ସହିଦ ହୋଇଥିବା ୩ ଜଣ ଓଡ଼ିଆ ଯବାନ୍‌, ବିଜେପି ନେତା କମଳାରାଣୀ ବରୁଣ, ଚେତନ ଚୌହାନ୍‌, ସମସ୍ତ କରୋନା ଯୋଦ୍ଧା, ବାଲେଶ୍ବର ବିଧାୟକ ସ୍ବର୍ଗତଃ ମଦନ ମୋହନ ଦତ୍ତ, ପୂ୍ର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତଃ ଅର୍ଜୁନ ସେଠୀଙ୍କ ସମେତ ଦିବଂଗତ ନେତାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଦିଲ୍ଲୀରୁ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ (ସଂଗଠନ) ସୌଦାନ ସିଂହ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।