ବାରିପଦା : ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନ୍ଧାରରେ ଭାଷଣ ଦେବା ଘଟଣାକୁ ୨ ସପ୍ତାହ ବିତିଛି। ଯେଉଁମାନେ ଏହି ଘଟଣା ପାଇଁ ଦାୟୀ ସେମାନଙ୍କ ବିରୋଧରେ କିଛି ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ତେବେ, ଜିଲ୍ଲାପାଳଙ୍କୁ ବହିଷ୍କାର ଓ ଅନ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ସୋମବାର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି।
ନିଜ ଜନ୍ମମାଟିରେ ଭାରତର ପ୍ରଥମ ନାଗରିକ ଅପମାନିତ ହୋଇଥିବାରୁ ଏହାକୁ ଜିଲ୍ଲାବାସୀ ଗମ୍ଭୀରତାର ସହ ନେଇ ବନ୍ଦପାଳନକୁ ସଫଳ କରିବା ନିମନ୍ତେ ଅନୁରୋଧ କରିଛି ବିଜେପି। କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ ବନ୍ଦ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ସେପଟେ ଆଇନଶୃଙ୍ଖଳା ଦୃଷ୍ଟିରୁ ସବୁ ଥାନାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୟୂରଭଞ୍ଜ ଏସ୍ପି ରିଷିକେଶ ଦ୍ୟାନଦେଓ ଖିଲାରୀ।
ପ୍ରକାଶଥାଉକି, ଚଳିତ ମାସ ୬ ତାରିଖରେ ରାଷ୍ଟ୍ରପତି ବିଶ୍ବବିଦ୍ୟାଳୟରେ ଭାଷଣ ଦେବା ସମୟରେ ୯ ମିନିଟ୍ ଲାଇନ୍ କଟିଥିଲା। ପୋଡିୟମ୍ ଲାଇଟ୍ରେ ଦୀକ୍ଷାନ୍ତ ଅଭିଭାଷଣ ଜାରି ରଖିଥିଲେ ମହାମହିମ। ଏହି ଘଟଣାରେ ବିଶ୍ବବିଦ୍ୟାଳୟର ଜଣେ ଅସ୍ଥାୟୀ ବିଦ୍ୟୁତ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ବିଶ୍ବବିଦ୍ୟାଳୟର କୁଳପତି ଓ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଥିଲେ ରାଜ୍ୟପାଳ।