ବିଜେପିର ୨୦୨୪ ପ୍ରସ୍ତୁତି: ଆଜି ବସିବ କୋର୍‌ କମିଟି ବୈଠକ

ଜିଲ୍ଲାୱାରୀ ରିପୋର୍ଟ ସଂଗ୍ରହ ହୋଇଛି
ଜିଲ୍ଲା ସଭାପତି, ପ୍ରଭାରୀ, ସଂଯୁକ୍ତ ମୋର୍ଚ୍ଚାର ବି ବୈଠକ ହେବ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ କରିଥିବା ବିଜେପି ଏବେଠାରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ୨୦୨୪ ନିର୍ବାଚନରେ ଦଳର ରଣନୀତି କ’ଣ ରହିବ ତାହା ସ୍ଥିର କରିବାକୁ ଶୁକ୍ରବାର ଦଳର କୋର୍‌ କମିଟି ବୈଠକ ବସିବାକୁ ଯାଉଛି। ନଭେମ୍ବର, ୨୦୨୧ରେ କୋର୍‌ କମିଟି ନୂଆ କରି ଗଠନ ହେବା ପରେ ଏହା ପ୍ରଥମ ବୈଠକ। ଦଳ ୨୦୧୯ରେ ଯେଉଁ ସଫଳତା ପାଇଥିଲା ୨୦୨୪ରେ ଏହାକୁ ବଢ଼ାଇବା ସହ ରାଜ୍ୟରେ କ୍ଷମତା ଦଖଲ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ ବୋଲି ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି।

ଉକ୍ତ ରାଜନେତାଙ୍କ କହିବାନୁଯାୟୀ, ଆମ ଦଳ କେନ୍ଦ୍ରରେ କ୍ଷମତାରେ ଥିବାରୁ ଆମେ କେନ୍ଦ୍ରୀୟ ଯୋଜନାଗୁଡ଼ିକୁ କିପରି ପ୍ରଭାବୀ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇବୁ ସେନେଇ ଏହି କୋର୍‌ କମିଟି ବୈଠକରେ ଆଲୋଚନା ହେବ। କେନ୍ଦ୍ରୀୟ କୋର୍‌ କମିଟି ପକ୍ଷରୁ ସବୁ ରାଜ୍ୟ ପାଇଁ ନିର୍ବାଚନୀ ପ୍ରସଙ୍ଗ ପ୍ରସ୍ତୁତ ‌େହାଇଛି। ଏନେଇ ରାଜ୍ୟର କୋର୍‌ କମିଟି ବୈଠକରେ ଆଲୋଚନା ହେବ। ଏହାବାଦ୍ ପଞ୍ଚାୟତ ଓ ପୌର ନିର୍ବାଚନରେ ଆମର କେଉଁ ଜିଲ୍ଲାରେ କ’ଣ ପ୍ରଦର୍ଶନ ଥିଲା, କେଉଁଠି ଆମେ ଅଧିକ ଭୋଟ୍ ପାଇଲୁ ଓ କାହିଁକି ପାଇଲୁ, କିପରି ଆମେ ଶାସକ ଦଳ ବିରୋଧୀ ଭୋଟ୍‌କୁ ଆମ ସପକ୍ଷକୁ ଆଣିବୁ ସେନେଇ ରଣନୀତି ପ୍ରସ୍ତୁତ ହେବ। ଏଥିପାଇଁ ଜିଲ୍ଲାସ୍ତରୀୟ ପ୍ରଭାରୀମାନେ ସବୁ ଜିଲ୍ଲା, ନିର୍ବାଚନ ମଣ୍ଡଳୀ ଗସ୍ତ କରି ପ୍ରସ୍ତୁତି କରିଥିବା ରିପୋର୍ଟ ରାଜ୍ୟ ସଭାପତିଙ୍କୁ ପ୍ରଦାନ କରିଛନ୍ତି। ସେହି ରିପୋର୍ଟ ଉପ‌େର ମଧ୍ୟ ଆଲୋଚନା ହେବ।

ଏହାବାଦ୍ ଆସନ୍ତା ଦୁଇବର୍ଷ କିପରି ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଙ୍କ ପାଖରେ ପହଞ୍ଚାଯିବ, ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ କ’ଣ କରିବାକୁ ପଡ଼ିବ, ସରକାରୀ ଦଳ ବିପକ୍ଷରେ କେମିତି ବିରୋଧ ହାୱା ସୃଷ୍ଟି ହେବ, ଦଳର ବିଭିନ୍ନ କାର୍ଯ୍ୟକ୍ରମର କିପରି ପ୍ରଚାର କରାଯିବ, କେଉଁ ଅଞ୍ଚଳର କେଉଁ ନେତାଙ୍କୁ ଦଳରେ ସାମିଲ୍‌ କରାଯିବ, ଉତ୍ତର-ଦକ୍ଷିଣ-ପୂର୍ବ-ପଶ୍ଚିମ ଓଡ଼ିଶା ପାଇଁ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରିବା, ଦଳର ଯେଉଁ ବରିଷ୍ଠ ନେତାମାନେ ଅସନ୍ତୁଷ୍ଟ ଅଛନ୍ତି ତାଙ୍କୁ ସାଥୀ‌େର ନେଇ ନିର୍ବାଚନ ଲଢ଼ାଯିବ ନା ସେମିତି କୋଣଠେସା କରି ଛାଡ଼ି ଦିଆଯିବ, ପ୍ରତିଟି କେନ୍ଦ୍ରୀୟ ଯୋଜନାକୁ କିପରି ହିତାଧିକାରୀଙ୍କ ନିକଟରେ ପହଞ୍ଚାଯିବ ଏବଂ କେନ୍ଦ୍ର ସରକାର ଦେଇଛନ୍ତି ବୋଲି କୁହାଯିବ ସେନେଇ ରଣନୀତି ପ୍ରସ୍ତୁତ ହେବ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଦିନ ଧରି ବସିବାକୁ ଥିବା ଦଳର କୋର୍‌ କମିଟି ବୈଠକ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ରାଜ୍ୟ ମୁଖ୍ୟାଳୟରେ ଆରମ୍ଭ ହେବ। ପ୍ରଥମେ କୋର୍‌ କମିଟିର ସଦସ୍ୟମାନଙ୍କୁ ନେଇ ବୈଠକ ହେବ। ଏଥିରେ କୋର୍‌ କମିଟିର ସଦସ୍ୟ ଥିବା ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ତିନି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ବିଶେଶ୍ବର ଟୁଡ଼ୁଙ୍କ ସମେତ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ସୁରେଶ ପୂଜାରୀ, ସମ୍ବିତ ପାତ୍ର, ବୈଜୟନ୍ତ ପଣ୍ଡା, ସୁରମା ପାଢ଼ୀ, ବସନ୍ତ ପଣ୍ଡା, କେଭି ସିଂହଦେଓ, ସଙ୍ଗଠନ ସମ୍ପାଦକ ମାନସ କୁମାର ମହାନ୍ତି, ମନମୋହନ ସାମଲ ପ୍ରମୁଖ ସାମିଲ୍ ହେବେ। ଦଳର ପ୍ରଭାରୀ ଡି.ପୁରନ୍ଦେଶ୍ବରୀ ଓ ସହ ପ୍ରଭାରୀ ମଧ୍ୟ ସାମିଲ୍ ହେବାର ଅଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ଜରୁରୀ କାର୍ଯ୍ୟ ଯୋଗୁଁ ଏହି ବୈଠକରେ ଭିଡିଓ କନଫରେନ୍ସିଂରେ ଯୋଗଦେବେ।

ଏହି ବୈଠକ‌ ଶେଷ ହେବା ପରେ ସମସ୍ତ ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀମାନଙ୍କ ବୈଠକ ଅପରାହ୍ନରେ ହେବ। ଶନିବାର ବିଜେପିର ସମସ୍ତ ୭ଟି ମୋର୍ଚ୍ଚାର ବୈଠକ ହେବ। ୨୦୨୪ ସାଧ‌ାରଣ ନିର୍ବାଚନରେ କାହାର ଭୂମିକା କ’ଣ ହେବ ସେନେଇ ସମସ୍ତଙ୍କ ସହ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର