ଯାଜପୁର: ପୌର ନିର୍ବାଚନ ପାଇଁ ବିଜେପି କର୍ମୀମାନେ ପ୍ରଚାର କରୁଥିବା ବେଳେ ବିଜେଡି କର୍ମୀମାନେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ବିଜେପି କର୍ମୀମାନେ ଧାରଣା ଦେଇଥିବା ଜଣାଯାଇଛି।
ସୂଚନା ଅନୁସାରେ ଯାଜପୁର ଜିଲ୍ଲାରେ ପୌର ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି। ଆଜି ଯାଜପୁର ପୌର ପାଳିକାର ୧୧ ନମ୍ବର ୱାର୍ଡରେ ବିଜେପି କର୍ମୀମାନେ ଡୋର କ୍ୟାମ୍ପେନିଂ କରୁଥିଲେ। ଏହି ସମୟରେ ବିଜେଡି କର୍ମୀମାନେ ଅସଦ ଆଚରଣ କରିବା ସହ ମହିଳାମାନଙ୍କୁ ଦୁବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି ବିଜେପି କର୍ମୀ ଏବଂ ୱାର୍ଡ କାଉନସିଲର ଭାବେ ଛିଡା ହୋଇଥିବା ପାର୍ଥୀ। ତେବେ ଏ ନେଇ ବିଜେପି କର୍ମୀମାନେ କିଆନାଳୀକୂଳ ଛକ ଉପରେ ବସି ରାସ୍ତାରୋକ କରିବା ସହ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯାଜପୁର ପୁଲିସକୁ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, ଆସନ୍ତା ୨୪ ତାରିଖରେ ରାଜ୍ୟର ୧୦୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ପାଳିକା ସମେତ ଭବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ଭୋଟ ଗ୍ରହଣ କରାଯିବ। ମାର୍ଚ୍ଚ ୨୬ ତାରିଖରେ ଭୋଟ ଗଣତି ହେବ। ନିର୍ବାଚନ ରୂପକ ବୈତରଣୀ ପାରି ହେବା ପାଇଁ ଏବେ ରାଜନୈତିକ ଦଳ ଓ ନେତାମାନେ ସମସ୍ତ ପ୍ରକାରର ଉଦ୍ୟମ କରୁଛନ୍ତି।