ବରଗଡ଼: ବରଗଡ଼ ଲୋକସଭା ଆସନରେ ଏକତରଫା ଭାବରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବାଜି ମାରିଛନ୍ତି। ପ୍ରଦୀପ ୨,୫୧,୬୬୭ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ବୀ ବିଜେଡି ପ୍ରାର୍ଥୀ ପରିଣୀତା ମିଶ୍ରଙ୍କୁ ପରାସ୍ତ କରିଛନ୍ତି। ସେହିପରି, ବରଗଡ଼ ଲୋକସଭା ଆସନ ଅଧୀନସ୍ଥ ୭ଟି ବିଧାନସଭା ଆସନରୁ ୬ଟିରେ ବିଜେପି ପ୍ରାର୍ଥୀ ବାଜିମାତ କରିଛନ୍ତି। ବରଗଡ଼ ଜିଲ୍ଲାର ୫ଟି ବିଧାନସଭା ଆସନ ମଧ୍ୟରୁ କେବଳ ପଦ୍ମପୁର ବିଧାନସଭା ଆସନକୁ ଛାଡ଼ିଦେଲେ ବାକି ସବୁଥିରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

Advertisment

ଲୋକସଭାରେ ଏକତରଫା ବାଜି ମାରିଲେ ପ୍ରଦୀପ
୭ ବିଧାନସଭାରୁ ୬ଟିରେ ବିଜେପି
ବିଧାନସଭାରେ ହେଭିୱେଟ୍‌ଙ୍କୁ ଝଟ୍‌କା
ପଦ୍ମପୁରରେ ଫୁଟିପାରିଲାନି ପଦ୍ମ

ଆଜି ସକାଳ ୮ଟାରୁ ସଂସଦୀୟ ଓ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବରଗଡ଼ ପଞ୍ଚାୟତ କଲେଜ ପରିସର ଏବଂ ପଦ୍ମପୁର ମାର୍କେଟ୍‌ ୟାର୍ଡଠାରେ ଭୋଟ ଗଣତି ଆରମ୍ଭ ହୋଇଥିଲା। ଲୋକସଭାରେ ଏକତରଫା ଭାବରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଭୋଟ ସଂଖ୍ୟା ବଢ଼ି ଚାଲିଥିଲା। ସେ ବିଜେଡି ପ୍ରାର୍ଥୀଙ୍କୁ ବହୁପଛରେ ପକାଇଥିଲେ। ସଂଧ୍ୟା ସୁଦ୍ଧା ଫଳାଫଳ ଆସିବା ପରେ ସେ ମୋଟ୍‌ ୭, ୧୬, ୩୫୯ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦ୍ବୀ ପରିଣୀତା ମିଶ୍ରଙ୍କୁ ପରାସ୍ତ କରିବା ସହ ବିଜୟୀ ଘୋଷିତ ହୋଇଥିଲେ। ସେହିପରି, ବରଗଡ଼ ଜିଲ୍ଲାର ୫ଟି ବିଧାନସଭା ଆସନରୁ ୪ଟିରେ ବିଜେପି ଆଗରେ ରହିଥିବା ବେଳେ ପଦ୍ମପୁରରେ ବିଜେଡି ଆଗରେ ରହିଥିଲା। ସେହି ଟ୍ରେଣ୍ଡରେ ଗଣତି ଶେଷ ବେଳକୁ ବରଗଡ, ଅତାବିରା, ଭଟଲି, ବିଜେପୁର ଆସନରେ ବିଜେପି ପ୍ରାର୍ଥୀ ବାଜି ମାରିଥିଲେ ।  ବରଗଡ଼ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ଷଡ଼ଙ୍ଗୀ ୪୭୭୨ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ବୀ ବିଜେଡିର ଦେବେଶ ଆଚାର୍ଯ୍ୟଙ୍କୁ ପରାଜିତ କରି ବିଜୟୀ ଘୋଷିତ ହୋଇଛନ୍ତି। ସେହିପରି, ଅତାବିରାରେ ବିଜେପି ପ୍ରାର୍ଥୀ ନୀହାର ମହାନନ୍ଦ ୯୯୪୮୭ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦ୍ବୀ ବିଜେଡିର ହେଭିୱେଟ୍‌ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୨୮୯୧୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଭଟଲିରେ ମଧ୍ୟ ବିଜେପି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ ରେକର୍ଡ ସଂଖ୍ୟକ ଭୋଟ ପାଇ ବିଜେଡିର ହେଭିୱେଟ ନେତା ସୁଶାନ୍ତ ସିଂଙ୍କୁ ହରାଇଛନ୍ତି।

ସୁଶାନ୍ତଙ୍କଠାରୁ ଇରାଶିଷ ୨୭ହଜାର୮୯୨ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ଘୋଷିତ ହୋଇଛନ୍ତି । ଇରାଶିଷ ୧ଲକ୍ଷ୭ ହଜାର୫୦୮ ଖଣ୍ଡ ଭୋଟ ପାଇଥିବା ବେଳେ ସୁଶାନ୍ତ ସିଂ ୭୯୬୧୬ ଖଣ୍ଡ ଭୋଟ ପାଇଛନ୍ତି । ବିଜେପୁରରେ ବିଜେପି ପ୍ରାର୍ଥୀ ସନତ ଗଡ଼ତ୍ୟା ୧୦୦୬୬ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ବୀ ବିଜେଡିର ରୀତା ସାହୁଙ୍କୁ  ପରାଜିତ କରିଛନ୍ତି। ତେବେ, ପଦ୍ମପୁରରେ କିଛି ରାଉଣ୍ଡ ବିଜେପି ଆଗୁଆ ଥିଲେ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବାଜିମାତ୍‌ କରିଛନ୍ତି । ବର୍ଷା ସିଂ ବରିହା ୧୦୯୯୩ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦ୍ବୀ ବିଜେପିର ଗୋବର୍ଦ୍ଧନ ଭୁଏଙ୍କୁ ପରାଜିତ କରିଛନ୍ତି । ସେହିପରି ବରଗଡ଼ ଲୋକସଭା କ୍ଷେତ୍ର ଅଧୀନରେ ଥିବା ଝାରସୁଗୁଡ଼‌ା ଓ ବ୍ରଜରାଜନଗର ବିଧାନସଭା ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ବାଜିମାତ୍‌ କରିଛନ୍ତି।