ଓଡ଼ିଶାରେ ଆରମ୍ଭ ହେଲା ‘ଭାରତ କେ ମନ୍‌ କି ବାତ୍‌ ମୋଦି କେ ସାଥ୍‌’

ଟ୍ରେଲର୍ ଦେଖେଇଛୁ, ଫିଲ୍ମ ଦେଖେଇବୁ: ଗଡକରି

ଭୁବ‌େନଶ୍ବର : ଗତ ୫ବର୍ଷରେ ଏନ୍‌ଡିଏ ସରକାର ଦେଶରେ ଯାହା ବିକାଶ କରିଛି କଂ‌ଗ୍ରେସ୍ ୬୨ବର୍ଷର ଶାସନରେ ତାହା କରିନି। କଂଗ୍ରେସ୍ ଗରିବୀ ହଟିବ ପ୍ରତିଶ୍ରୁତି ଦେଇ କେବଳ ଦେଶବାସୀଙ୍କୁ ଭୁଆଁ ବୁଲାଇଛି। ଗରିବ ଆହୁରି ଗରିବ ହୋଇଛି। କଂଗ୍ରେସର ମିଥ୍ୟା ପ୍ରତିଶ୍ରୁତି ଆଉ ଚଳିବନି। ବିଜେପି ହିଁ ଦେଶରେ ବିକାଶର ଧାରା ବଜାୟ ରଖିପାରିବ। ୫ବର୍ଷରେ ଆମେ ବିକାଶର ଟ୍ରେଲର ଦେଖାଇଛୁ। ଆସନ୍ତା ୫ବର୍ଷରେ ଆମେ ଫିଲ୍ମ ଦେଖାଇବୁ। ଭାରତକୁ ବିଶ୍ବର ଶ୍ରେଷ୍ଠ ଅର୍ଥନୈତିକ ରାଷ୍ଟ୍ରରେ ପରିଣତ କରିବୁ। ତେଣୁ କେନ୍ଦ୍ରରେ ବିଜେପି ସରକାର ଗଢ଼ିବା ଦରକାର ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି କହିଛନ୍ତି।

ହୋଟେଲ ମେ’ଫେୟାରରେ ‘ଭାରତ କେ ମନ୍‌ କି ବାତ୍‌ ମୋଦି କେ ସାଥ୍‌’ ଅଭିଯାନର ଶୁଭାରମ୍ଭ କରି ଶ୍ରୀ ଗଡ଼କରୀ କହିଲେ ଯେ, ବିଜେପି ସତ୍ତାକୁ ଆସିଲେ ଭାରତ ଆର୍ଥିକ ମହାଶକ୍ତିରେ ପରିଣତ ହେବ। ଦେଶ ସଂପୂର୍ଣ୍ଣ ଭାବେ ଭ୍ରଷ୍ଟାଚାର ମୁକ୍ତ ହେବ। କଂଗ୍ରେସ ଯୋଗୁଁ ଭାରତ ଆଜି ଯେଉଁ ଦୁର୍ଦ୍ଦିନରେ ଗତି କରୁଛି ସେଥିରୁ ତୁରନ୍ତ ମୁକୁଳି ପାରିବ। କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ ଭ୍ରଷ୍ଟାଚାର ମୁକ୍ତ କାର୍ଯ୍ୟକୁ ଦେଖି ବିରୋଧୀ ଭୟ କରିଯାଇଛନ୍ତି। ତେଣୁ ଏବେ ଲୋକଙ୍କ ମନରେ ଜାତି, ଦଳକୁ ନେଇ ଡର ସୃଷ୍ଟି କରୁଛନ୍ତି। ଏହି ଅବସରରେ ଶ୍ରୀ ଗଡ଼କରୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତାଲିକା ଦେଇଥିଲେ। କହିଥିଲେ ଯେ, ଏବେ ଜୈବ ତେଲରେ ଯୁଦ୍ଧ ବିମାନ ଚାଲିଲାଣି। ଓଡ଼ିଶାରେ ଏହି ଜୈବ ଇନ୍ଧନ ପ୍ରଚୁର ମାତ୍ରାରେ ରହିଛି। ଏହାର ସଦୁପଯୋଗ ହେଲେ ଆମେ ବର୍ଷକୁ ୩୦ ହଜାର କୋଟି ତେଲ ଆମଦାନୀ ବାବଦକୁ ବଞ୍ଚାଇ ପାରିବା।

ସେହିପରି କେନ୍ଦ୍ର ପେଟ୍ରୋଲୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଯିଏ ଉନ୍ନତିମୂଳକ କାମ କରେ ତା’ଠାରୁ ଆଶା ରହେ। କେନ୍ଦ୍ରର ବିଜେପି ସରକାର ୫ବର୍ଷରେ ବହୁ ଉନ୍ନତିମୂଳକ କାର୍ଯ୍ୟ କରିଥିବାରୁ ଦେଶବାସୀଙ୍କ ଆଶା ବଢ଼ିଛି। ଏହାକୁ ବିଜେପି ହିଁ ପୂରଣ କରିବ। ସେଥିପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ଲୋକଙ୍କ ମତକୁ ବିଜେପି ତା’ର ସଂକଳ୍ପ ପତ୍ରରେ ରଖିବ। ସେ କହିଥିଲେ ଯେ, ଓଡ଼ିଶାବାସୀ ମଦମୁକ୍ତ ରାଜ୍ୟ ଚାହୁଁଛନ୍ତି। ଏହାକୁ ବିଜେପି ଶାସନକୁ ଆସିଲେ ହିଁ ପୂରଣ କରିପାରିବ। ଓଡ଼ିଶାରେ ବିଜେପି ଶାସନକୁ ଆସିଲେ ବିକାଶର ନୂଆ ଧାରା ଆରମ୍ଭ ହେବ।

ବିଜେପି ସଂକ‌ଳ୍ପ ପତ୍ର ସମିତିର ସଭାପତି ବିଶ୍ବଭୂଷଣ ହରିଚନ୍ଦନ କହିଲେ ଯେ, ଓଡ଼ିଶାବାସୀଙ୍କ ମଦମୁକ୍ତ ଓଡ଼ିଶା ସ୍ବପ୍ନ ବିଜେପି ହିଁ ପୂରଣ କରିବ। ଓଡ଼ିଶାରେ ୨୦ରୁ ୨୨ଲକ୍ଷ ଲୋକ ଚିଟଫଣ୍ଡରେ ଟଙ୍କା ହରାଇଛନ୍ତି। କିନ୍ତୁ ରାଜ୍ୟ ସରକାର ଏହାକୁ ଦେଇପାରୁନାହାନ୍ତି। ସିବିଆଇ ତଦନ୍ତକୁ ବିରୋଧ କରୁଛନ୍ତି। ସରକାର କୃଷକ ପ୍ରେମୀ ବୋଲି କହି କାଳିଆ ଯୋଜନା ଆରମ୍ଭ କରିଛନ୍ତି। କିନ୍ତୁ ଚାଷୀଙ୍କୁ ସେମାନଙ୍କ ହକ୍ ଜାହିର କରିବାକୁ ସୁଯୋଗ ଦିଆଯାଉନି।

ଆଜିର ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ କେ.ଭି ସିଂହଦେଓ, ବିଜେପି ଉପସଭାପତି ସମୀର ମହାନ୍ତି, ବିଜେପି ସଂକ‌ଳ୍ପ ପତ୍ର ସମିତିର ସମ୍ପାଦକ ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଗତ ୩ତାରିଖରେ ଦିଲ୍ଲୀରେ ‘ଭାରତ କେ ମନ୍‌ କି ବାତ୍‌ ମୋଦି କେ ସାଥ୍‌’ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଆଜି ଏହା ଓଡ଼ିଶାରେ ଆରମ୍ଭ ହୋଇଛି। ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାର ପ୍ରତି ଗାଁରେ ରଥ ବୁଲିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବ। ଲୋକମାନଙ୍କ ଠାରୁ ସେମାନଙ୍କ ମନର କଥା ସଂଗ୍ରହ କରାଯିବ। ଏହାବଦ୍ ଯେ କେହିବି ୬୩୫୭୧୭୧୭୧୭ରେ କଲ୍‌ କରି ସେମାନଙ୍କ ମନର କଥା କହିପାରିବେ। ଏହାକୁ ଦେଖି ବି‌େଜପିର ସଂକ‌ଳ୍ପ ପତ୍ର ପ୍ରସ୍ତୁତ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର