ବିଜେପିର ଓଡ଼ିଶା ଦଖଲ ଅଭିଯାନରେ ଲାଗିଲା ପ୍ରଶ୍ନଚିହ୍ନ

ପୁଣି ବିଫଳ ହେଲା ବିଜେପିର ‘ନେତା ଆମଦାନି’ କୌଶଳ
ଘର ନ ସଜାଡ଼ିଲେ ଆଞ୍ଚଳିକ ଦଳ ସହ ଲଢ଼ିବା କାଠିକର ପାଠ
ଗାଁରେ ହେଉଥିବା ଦୁର୍ନୀତି ପ୍ରତି ସତର୍କ ନ ହେଲେ ବିଜେଡିକୁ ବିପଦ

ଭୁବନେଶ୍ବର, (ଭବାନୀ ଶଙ୍କର ତ୍ରିପାଠୀ) : ‘ପଶ୍ଚିମବଙ୍ଗ ପରେ ଓଡ଼ିଶା’।

ନିର୍ବାଚନ ପ୍ରଚାର ବେଳେ ଜାତୀୟ ବିଜେପି ନେତାମାନେ ଓଡ଼ିଶାକୁ ଲକ୍ଷ୍ୟ କରି ଏଭଳି ଇଙ୍ଗିତ କରୁଥିଲେ। ସେବେଠାରୁ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା ଯେ ମେ’ ୨ ତାରିଖରେ ଯଦି ପଶ୍ଚିମବଙ୍ଗରେ ବିେଜପିର ଉଦୟ ହୁଏ, ତେବେ ଓଡ଼ିଶାରେ ଶାସକ ବିଜେଡି ପାଇଁ ଆଗକୁ କଠିନ ସମୟ ଆସିବ।

ହେଲେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ଏବେ ବିଜେପିର ଓଡ଼ିଶା ଅଭିଯାନ ଯାତ୍ରାରେ ବାଧକ ସାଜିପାରେ ବୋଲି କୁହାଯାଉଛି। ୨୦୧୯ ଓଡ଼ିଶା ବିଧାନସଭା ଓ ଆଜିର ପଶ୍ଚିମବଙ୍ଗ ଫଳାଫଳ ବିଜେପିର ସାଙ୍ଗଠନିକ ଦୁର୍ବଳତାକୁ ପଦାରେ ପକାଇଥିବାରୁ ଏଥର ବିଜେଡି ବିରୋଧରେ ଆକ୍ରମଣାତ୍ମକ ଆଭିଯାନ ଆରମ୍ଭ କରିବା ପୂର୍ବରୁ ଦଳ ଆତ୍ମସମୀକ୍ଷା କରିବ ବୋଲି ରାଜନୈତିକ ମହଲର ମତ। କିନ୍ତୁ ଆସାମର ବିଜେପି ନେତା ଡ. ହିମନ୍ତ ବିଶ୍ବଶର୍ମା କିନ୍ତୁ ଆଜି ଜାତୀୟ ଗଣମାଧ୍ୟମରେ କହିଛନ୍ତି ଯେ ବିଜେପି ପୂର୍ବଭାରତ ଦଖଲ ଅଭିଯାନରୁ ପଛଘୁଞ୍ଚା ଦେବନାହିଁ। ଆସାମରେ ବିଜେପି କ୍ଷମତାକୁ ଆସିଛି, ପଶ୍ଚିମବଙ୍ଗରେ ଦଳ ନିଜକୁ ଅଧିକ ସଂପ୍ରସାରିତ କରିଛି ଏବଂ ଓଡ଼ିଶାରେ ଏବେ କ୍ଷମତା ଦଖଲ ପାଇଁ କସରତ ଆରମ୍ଭ ହେବ।

ପଶ୍ଚିମବଙ୍ଗ ବିଧାନସଭା ଫଳାଫଳ ଯଦିଓ ବିଜେଡି ପାଇଁ ଆଶ୍ବସ୍ତି ଆଣିଛି, କିନ୍ତୁ ଡ. ହିମନ୍ତ ବିଶ୍ବଶର୍ମାଙ୍କ ସଙ୍କେତ କେଉଁଠି ନା କେଉଁଠି ଆଗକୁ ଓଡ଼ିଶାରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସୂଚାଉଛି। ହେଲେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏହି ନିର୍ବାଚନ ଫଳାଫଳକୁ ନେଇ ଦୁଇଟି ଭିନ୍ନ ମତ ରଖୁଛନ୍ତି। ଗୋଟିଏ ଓଡ଼ିଶା ବିଜେପି ପାଇଁ, ଅନ୍ୟଟି ବିଜେଡି ଲାଗି ଉଦ୍ଦିଷ୍ଟ।

Outlook India

୨୦୧୯ ବିଧାନସଭା ନିର୍ବାଚନରେ ‘ମିସନ୍ ୧୨୦’ ନାରା ଦେଇଥିଲା ବିଜେପି। ଭୋଟ ପ୍ରତିଶତ ବଢ଼ିଲା, ହେଲେ ୨୩ ଆସନରେ ଅଟକିଗଲା ଦଳ। ଅନେକ କାରଣ ମଧ୍ୟରୁ ଗୋଟିଏ ପ୍ରମୁଖ କାରଣ ଥିଲା- ଦୁର୍ବଳ ସଂଗଠନ କାରଣରୁ ରାଜ୍ୟ ବିଜେପି ନେତାମାନେ ବିଜେଡିକୁ ଅଟକାଇ ପାରିଲେ ନାହିଁ। ଅନ୍ୟ ଦଳରୁ ନେତାଙ୍କୁ ଆମଦାନି କରି ଓଡ଼ିଶା ବିଜେପି ଯେଉଁ ସଫଳତା ଲାଭ କରିବ ବୋଲି ଯୋଜନା କରିଥିଲା ତାହା ବିଫଳ ହେଲା। ଏହି ନିର୍ବାଚନ ଏକଥା ବି ପରିଷ୍କାର କରିଥିଲା ଯେ ଧର୍ମ କାର୍ଡ ଖେଳି ପୂର୍ବ ଭାରତରେ ଭୋଟ ଧ୍ରୁବୀକରଣ ଆଦୌ ସମ୍ଭବ ନୁହେଁ।

ଏହାର ପାଖାପାଖି ଦୁଇବର୍ଷ ପରେ ପଶ୍ଚିମବଙ୍ଗରେ ବିଜେପି ମୁଖିଆମାନେ ‘ମିସନ୍ ୨୦୦’ ନାରା ଦେଇଥିଲେ। ଦୁଇଶହ ତ ଦୂରର କଥା, ବିଜେପି୧୦୦ ଆସନ ବି ଅତିକ୍ରମ କରିପାରିଲା ନାହିଁ। ବିଜେପି ଆସନ ଓ ଭୋଟ ପ୍ରତିଶତ ବୃଦ୍ଧି ପାଇଥିଲେ ହେଁ, କ୍ଷମତା ହାସଲ କରିବା ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ ଏକଥା ସ୍ପଷ୍ଟ ହୋଇଛି। ଅର୍ଥାତ୍ ପଶ୍ଚିମବଙ୍ଗ ଦଖଲ ବେଳେ ୨୦୧୯ ଓଡ଼ିଶା ନିର୍ବାଚନ ବିଫଳତାରୁ ବିଜେପି ଯେ କିଛି ଶିକ୍ଷା କରିନି, ଏକଥା ପୁଣିଥରେ ପ୍ରମାଣିତ ହୋଇଛି।

ତେଣୁ ବିଜେପି ଓଡ଼ିଶା ଦଖଲ କସରତ ଆରମ୍ଭ କରିବା ପୂର୍ବରୁ ରାଜ୍ୟର ସମୁଦାୟ ସାଂଗଠନିକ ସ୍ଥିତି ସଂପର୍କରେ ପୁନଃ ଅନୁଧ୍ୟାନ କରିବା ଦରକାର ବୋଲି ରାଜନୈତିକ ମହଲ ମତ ରଖିଛନ୍ତି। ଏଥିସହିତ ନେତୃତ୍ବ କାହା ହାତରେ ରହିବ, ତାହା ବି ଦଳ ସ୍ପଷ୍ଟ କରିବା ଉଚିତ୍। ଅନ୍ୟଥା ରାଜ୍ୟ ସରକାରଙ୍କ ବିରୋଧରେ ଯେତେ ଅସନ୍ତୋଷ ଥିଲେ ବି ଦୁର୍ବଳ ସଂଗଠନ ଏହାକୁ ଭୋଟରେ ରୂପାନ୍ତରିତ କରିବା କାଠିକର ପାଠ ହୋଇପାରେ।

ରାଜନୈତିକ ମହଲ ବିଜେଡିକୁ ମଧ୍ୟ ସତର୍କ କରାଇବାକୁ ଭୁଲିନାହାନ୍ତି। ଏଇଥିପାଇଁ ଯେ ପଶ୍ଚିମବଙ୍ଗ ନିର୍ବାଚନରେ ଯେଉଁ ତିନିଟି ବଡ଼ ସଙ୍କେତ ଦେଖିବାକୁ ମିଳିଲା, ତାହା ହେଲା, ବାମ ଦଳ ଓ କଂଗ୍ରେସ ନିର୍ବାଚନ ମଇଦାନରେ ପୂରା ଚିତ୍‌ପଟାଙ୍ଗ ମାରିଲେ। ପରିଣାମ ହେଲା, ବିଜେପି-ତୃଣମୂଳ କଂଗ୍ରେସ ପ୍ରତ୍ୟକ୍ଷ ଲଢେଇ ହେଲା। ଏହି କାରଣରୁ ବିଜେପି ୩ (୨୦୧୬) ଆସନରୁ ୭୪ ଆସନକୁ ଏକାଥରକେ ବଢ଼ିଲା। ୨୦୧୬ରେ ବିଜେପିକୁ ୫୫ଲକ୍ଷ ୫୫ ହଜାର ଭୋଟ ମିଳିଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୩ଗୁଣରୁ ଅଧିକ ହୋଇଛି। ଭୋଟ ପ୍ରତିଶତ ୧୦ରୁ ୩୮ ପ୍ରତିଶତ ପାଖାପାଖି ପହଞ୍ଚିଛି।

ଓଡ଼ିଶାରେ କଂଗ୍ରେସ ଦୁର୍ବଳ ହେବାରେ ଲାଗିଥିବା ପରିପ୍ରେକ୍ଷୀରେ ଏଠାରେ ମଧ୍ୟ ଅନୁରୂପ ପରିସ୍ଥିତି ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଗତ ତିନିଟି ଉପନିର୍ବାଚନରେ ଯଦିଓ ଏହାର ସୂଚନା ମିଳିଛି ଏବଂ ଲାଭ ବିଜେଡିକୁ ଯାଇଛି; ସାଧାରଣ ନିର୍ବାଚନ କ୍ଷେତ୍ରରେ କିନ୍ତୁ ସତର୍କତା ଅବଲମ୍ବନ ନ କଲେ ଭୋଟ ଫଳାଫଳ ଏପଟସେପଟ ହେବା ବିଚିତ୍ର ନୁହେଁ।

ଅନ୍ୟ ଏକ ସଙ୍କେତ ହେଲା, ବିଜେପିର ଭୋଟବ୍ୟାଙ୍କ ସହରାଞ୍ଚଳରେ ଅଧିକ ବୋଲି କୁହାଯାଉଥିଲା। ହେଲେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳରୁ ଜଣାପଡ଼ିଛି ଯେ ଉଭୟ ସହରାଞ୍ଚଳ ଓ ସହରତଳି ଅଞ୍ଚଳରେ ତୃଣମୂଳ କଂଗ୍ରେସ ଅଧିକ ଭୋଟ ପାଇଥିଲେ ହେଁ ଗ୍ରାମାଞ୍ଚଳରେ ବିଜେପିକୁ ଅଧିକ ଭୋଟ ମିଳିଲା। ଅମ୍ଫାନ ମହାବାତ୍ୟା ଦୁର୍ନୀତି ଗାଁ ଭୋଟରଙ୍କୁ ସଂକ୍ରମିତ କରିଥିବା ପରିପ୍ରେକ୍ଷୀରେ ଶାସକ ଦଳ ପଶ୍ଚିମବଙ୍ଗରେ କିଛି ମାତ୍ରାରେ ଅକଳରେ ପଡ଼ିଲା। ମମତା ଏସବୁ ଅଞ୍ଚଳରେ ଅନେକ ନେତାଙ୍କ ଟିକେଟ୍ କାଟିଥିଲେ ହେଁ, ପୂରା ବିପର୍ଯ୍ୟୟକୁ େରାକି ପାରିଲେ ନାହିଁ।

ସଂପ୍ରତି ପିପିଲି ଉପନିର୍ବାଚନ ପ୍ରଚାର ବେଳେ ଯେଉଁ ପ୍ରମୁଖ କିଛି ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି, ସେଥିରେ ଜଣାପଡ଼ୁଛି ଯେ ଫନି ବାତ୍ୟା ଜନିତ ଦୁର୍ନୀତି ଗାଁ ଗାଁରେ ପଶିଛି। ଏହାବ୍ୟତୀତ ବିଭିନ୍ନ ସରକାରୀ ଯୋଜନାରେ କେଳେଙ୍କାରୀ ଗାଁ ସ୍ତରରେ ହିଁ ଅଧିକ ବଢ଼ୁଛି। ବେଳହୁଁ ସତର୍କ ନ ହେଲେ ଏହା ବିଜେଡି ପାଇଁ ଆଗକୁ ବିପଦ ହୋଇପାରେ ଓ ସେ ଅଞ୍ଚଳର ପ୍ରତିନିଧିଙ୍କ ରାଜନୈତିକ କ୍ୟାରିଅରରେ ଗ୍ରହଣ ଲାଗିପାରେ।

ଉଲ୍ଲେଖଥାଉକି, ବିଜେପି ସାଧାରଣ ନିର୍ବାଚନରେ ବେଶ୍ ଭଲ ପ୍ରଦର୍ଶନ କରୁଥିଲେ ହେଁ, ବିଧାନସଭା ନିର୍ବାଚନରେ ସେତେଟା ଉଲ୍ଲେଖନୀୟ ଫଳାଫଳ ହାସଲ କରିପାରୁନାହିଁ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଛାଡ଼ିଦେଲେ ବିଜେପି ପାଖରେ ବିଶେଷ ଆକର୍ଷଣ ଆଉ କିଛି ନାହିଁ। ଯଦି ସ୍ଥାନୀୟ ନେତୃତ୍ବ ବେଳହୁଁ ସାବଧାନ ନ ହୁଅନ୍ତି ଏବଂ ବିଜେପି ‘ଆମଦାନି ନେତା’ କୌଶଳ ଓ ଧର୍ମକୁ ନେଇ ଭୋଟ ଧ୍ରୁବୀକରଣରୁ ନ କବାହାରିଲେ ଆଞ୍ଚଳିକ ଦଳ ସୁଦୃଢ ଥିବା ରାଜ୍ୟରେ ଫଳାଫଳକୁ ହାତକୁ ନେବା କାଠିକର ପାଠ ହୋଇଯିବ।

ସମ୍ବନ୍ଧିତ ଖବର