ବିଜେପିର କୋର୍‌ କମିଟି ବୈଠକରୁ ଆଶାନୁରୂପ ଫଳ ମିଳିଲାନି

ବିଜେଡି ଅସନ୍ତୁଷ୍ଟଙ୍କୁ ଦଳରେ ମିଶାଇବାକୁ ଭିତିରିଆ ନିର୍ଦ୍ଦେଶ
ଦଳର ୪ ତୁଙ୍ଗ ନେତା କାହିଁକି ଦୂରେଇ ରହିଲେ?

ଭୁବନେଶ୍ବର : ନଭେମ୍ବର, ୨୦୨୧ରେ ବିଜେପିର ରାଜ୍ୟ କୋର୍‌ କମିଟି ଗଠନ ହେବା ପରେ ଶୁକ୍ରବାର ପ୍ରଥମ ବୈଠକ ବସିଥିଲା। ଏହି ବୈଠକରେ ୨୦୨୪ ସାଧାରଣ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ ହେବ ବୋଲି ବୈଠକ ପୂର୍ବରୁ ଦଳୀୟ ନେତାମାନେ କହୁଥିଲେ। ହେଲେ ବୈଠକ ବସିଲା, କିନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରିଲାନି। କାରଣ ଓଡ଼ିଶା ବିଜେପିର ମୁହଁ ଧର୍ମେନ୍ଦ୍ର ପ୍ରଧାନ ଏହି ବୈଠକରେ ଯୋଗଦେଲେନି।

ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ କୋର୍‌ କମିଟି ବୈଠକ ବସିଥିଲେ ହେଁ ଏଥିରେ ଅନ୍ୟ ପ୍ରମୁଖ ନେତା ଅଶ୍ବିନୀ ବୈଷ୍ଣବ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ବସନ୍ତ ପଣ୍ଡା ପ୍ରମୁଖ ମଧ୍ୟ ବୈଠକରେ ଯୋଗଦେଲେନି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଶ୍ବିନୀ ପିଏମ୍‌ଓରେ ବୈଠକ ଥିବା କହି ଆସିଲେନି କି ଭିଡିଓ କନଫରେନ୍ସିଂରେ ଯୋଗଦେଲେନି। ବୈଜୟନ୍ତ ଓ ବସନ୍ତ କାହିଁକି ଅନୁପସ୍ଥିତ ରହିଲେ ତା’ର କାରଣ ଦଳୀୟ କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ। ଫଳରେ ବଡ଼ ଆଶା ନେଇ ଆସିଥିବା ଜିଲ୍ଲା ସଭାପତି, ପ୍ରଭାରୀମାନେ ହତାଶ ହୋଇ‌ ‌େଫରିଛନ୍ତି। ଦଳର ଚୂଡ଼ାନ୍ତ ରଣନୀତି ନେଇ କିଛି ସ୍ପଷ୍ଟଚିତ୍ର ମିଳିବ ବୋଲି ଦଳୀୟ ନେତାମାନେ ଭାବିଥିଲେ ବି କିଛି ହେଲାନି। ଏପରିକି ଯଦି କେନ୍ଦ୍ରମନ୍ତ୍ରୀମାନେ ବ୍ୟସ୍ତ ଥିଲେ ତେବେ ଆଉ ଦିନେ ଦୁଇ ଦିନ ବୈଠକ ଘୁଞ୍ଚାଇ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ ଭଲ ହୋଇଥାନ୍ତା ବୋଲି ଦଳୀୟ ନେତାମାନେ କହିଛନ୍ତି।

କୋର୍‌ କମିଟି ବୈଠକ ପରେ ଜିଲ୍ଲା ସଭାପତି ଓ ପ୍ରଭାରୀମାନଙ୍କୁ ନେଇ ବସିଥିବା ବୈଠକରେ ଜିଲ୍ଲା ସଭାପତିମାନଙ୍କୁ କୁହାଯାଇଛି, ଜିଲ୍ଲା ସ୍ତରରେ ସଂଠନକୁ ସୁଦୃଢ କର। ବିଜେଡି‌େର ଯେଉଁମାନେ ଅସନ୍ତୁଷ୍ଟ ଅଛନ୍ତି, ହାରିଥିବା ନେତା ଅଛନ୍ତି ବା ଦଳରେ କୋଣଠେସା ହୋଇ ପଡ଼ିଛନ୍ତି ସେମାନଙ୍କୁ ଦଳରେ ମିଶାଇ ସରକାରୀ ବିରୋଧୀ ପ୍ରଚାରକୁ ଦୃଢ କର। ହେଲେ ଜିଲ୍ଲା ସଭାପତିମାନେ ଅସନ୍ତେ‌ାଷ ଝାଡ଼ିଛନ୍ତି। ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ଶୋଚନୀୟ ପ୍ରଦର୍ଶନ ପରେ ଏହାର ଯେମିତି ସମୀକ୍ଷା ହେବା କଥା କାହିଁକି ହେଉନି ବୋଲି ପ୍ରଶ୍ନ କରିଥିଲେ? ଏପରିକି ଦଳର ବଡ଼ନେତା ରାଜ୍ୟ ସରକାରଙ୍କୁ ସବୁ କଥାରେ ପ୍ରଶଂସା କରୁଥିବାରୁ ଆମେ ତୃଣମୂଳ ସ୍ତରରେ ବହୁତ ହଇରାଣ ହେଉଛୁ ବୋଲି କହିଛନ୍ତି। ୨୦୨୪ରେ କେଉଁମାନଙ୍କୁ ପ୍ରାର୍ଥୀ କରାଯିବ ସେନେଇ ଏବେଠୁ ପ୍ରାଥମିକ ତାଲିକା ପ୍ରସ୍ତୁତ କରି ନଆଗେଇଲେ ୨୦୧୯ ନିର୍ବାଚନଠୁ ବି ଫଳାଫଳ ଖରାପ ହୋଇପାରେ ବୋଲି ଚେତାଇ ଦେଇଛନ୍ତି। ହେଲେ ଦଳର ତୁଙ୍ଗନେତା ଅନୁପସ୍ଥିତ ଥିବାରୁ ସଭାପତି କି ରାଜ୍ୟ ପ୍ରଭାରୀ ଏନେଇ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।

ଅପରପକ୍ଷେ ଆଜି ଦଳର ୭ଟି ମୋର୍ଚ୍ଚାକୁ ନେଇ ବସିଥିବା ବୈଠକରେ ରାଜ୍ୟ ସଭାପତି ଓ ପ୍ରଭାରୀ ପରାମର୍ଶ ଦେଇଛନ୍ତି ଯେ, ବିଭିନ୍ନ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ତୀବ୍ର ହେବା ଦରକାର। ବିଶେଷ କରି ମହିଳା, ଯୁବ, କୃଷକ ମୋର୍ଚ୍ଚା ପ୍ରମୁଖ ଭୂମିକା ନେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର