ପୁରୀ/ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ଏନ୍ଏସି ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ଉପାଧ୍ୟକ୍ଷ ସନ୍ତୋଷ କୁମାର ଦାଶ ଓ ୭ ଜଣ କାଉନସିଲର୍ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳଙ୍କଠାରେ ବିଧିବଦ୍ଧ ଲିଖିତ ଅଭିଯୋଗ ହୋଇଛି। ୧୧ ୱାର୍ଡ ବିଶିଷ୍ଟ ନିମାପଡ଼ା ଏନ୍ଏସି ଏବେ ବିଜେଡି ଦଖଲରେ ରହିଛି। ସେ ସମୟରେ ସମୀର ଦାଶ ଏଠାରେ ବିଜେଡି ବିଧାୟକ ଥିଲେ। ଚଳିତ ନିର୍ବାଚନରେ ବିଜେପି ସରକାର ଗଢ଼ିଛି ଓ ନିମାପଡ଼ାରେ ପ୍ରଭାତୀ ପରିଡ଼ା ବିଜେପି ବିଧାୟକ ହୋଇଛନ୍ତି। ଶ୍ରୀମତୀ ପରିଡ଼ା ଏବେ ଉପମୁଖ୍ୟମନ୍ତ୍ରୀ ଥିବାବେଳେ ସମୀର ଦାଶ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇସାରିଛନ୍ତି। ଏଣୁ ବିଜେଡି ଦଖଲରେ ଥିବା ଏହି ଆସନକୁ ବିଜେପି ନିଜ ଦଖଲକୁ ନେବା ଲାଗି ଗୋଟି ଚଳାଇଥିବା କୁହାଯାଉଛି।
ଆଜି ପୂର୍ବାହ୍ଣ ୧୦ଟାରେ ନିମାପଡ଼ା ଏନ୍ଏସି ଉପାଧ୍ୟକ୍ଷ ଶ୍ରୀ ଦାଶଙ୍କ ପୌରୋହିତ୍ୟରେ ଏକ ବୈଠକ ବସିଥିଲା। ଯେଉଁଥିରେ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ, ୨୦୨୨ ମାର୍ଚ୍ଚ ୩୦ରେ ସସ୍ମିତା ସାହୁ ଅଧ୍ୟକ୍ଷା ନିର୍ବାଚିତ ହୋଇଥିଲେ। ତାଙ୍କ ଅଧ୍ୟକ୍ଷତାରେ ଅଦ୍ୟାବଧି ମାତ୍ର ୭ଟି ସାଧାରଣ ପରିଷଦ ବୈଠକ ବସିଛି। ପୌରପାଳିକା ଆଇନ ଅନୁଯାୟୀ, ପ୍ରତିମାସରେ ଏକ ସାଧାରଣ ପରିଷଦ ବୈଠକ ବସିବା କଥା। କୌଣସି କାରଣରୁ ବୈଠକ ନ ହୋଇ ପାରିଲେ, ୯୦ ଦିନ ଭିତରେ ସାଧାରଣ ପରିଷଦ ବୈଠକ ବସିବା କଥା। କିନ୍ତୁ ଏଥିରେ ବାରମ୍ବାର ବ୍ୟତିକ୍ରମ ଦେଖାଦେଇଛି। ଅଧ୍ୟକ୍ଷାଙ୍କ ବେପରୁଆ ମନୋଭାବ ବଢ଼ିଚାଲିଛି। ପରିଷଦର ସଭ୍ୟସଭ୍ୟାଙ୍କ ସହ ବିଚାରବିମର୍ଶ ନ କରି ଅଧ୍ୟକ୍ଷା ମନମୁଖି କାର୍ଯ୍ୟ କରୁଛନ୍ତି। ଯଦ୍ବାରା ନିମାପଡ଼ା ଏନ୍ଏସିର ଜନସାଧାରଣଙ୍କ ସମସ୍ୟା ସମାଧାନ ହୋଇପାରୁନି।
ଅଭିଯୋଗପତ୍ରରେ ଉପାଧ୍ୟକ୍ଷ ଶ୍ରୀ ଦାଶଙ୍କ ସମେତ ୧ ନମ୍ବର ୱାର୍ଡ କାଉନସିଲର କବିତା ପ୍ରଧାନ, ୨ ନମ୍ବର ୱାର୍ଡ କାଉନ୍ସିଲର ନିରଞ୍ଜନ ନାୟକ, ୫ ନମ୍ବର ୱାର୍ଡ କାଉନସିଲର କବିତା ତରେଇ, ୭ ନମ୍ବର ୱାର୍ଡ କାଉନସିଲର ରାଜକିଶୋର ସାହୁ, ୮ ନମ୍ବର ୱାର୍ଡ କାଉନସିଲର ନିବେଦିତା ପଟ୍ଟନାୟକ, ୧୦ ନମ୍ବର ୱାର୍ଡ କାଉନସିଲର ରଂଜିତା ପାତ୍ର ଓ ୧୧ ନମ୍ବର ୱାର୍ଡ କାଉନ୍ସିଲର ଅନୁସୂୟା ପାଣି ଦସ୍ତଖତ କରିଛନ୍ତି। ସୂଚନାଯୋଗ୍ୟ, ନିମାପଡ଼ା ଏନ୍ଏସିର ୧୧ ପରିଷଦ ସଭ୍ୟ ମଧ୍ୟରୁ ୭ ଜଣ ବିଜେଡି, ୩ ଜଣ ବିଜେପି ସମର୍ଥିତ ଓ ଜଣେ ସ୍ବାଧୀନ ଥିଲେ। ଗତ ସାଧାରଣ ନିର୍ବାଚନ ସମୟରେ ଅନେକ ଦଳ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ୨ ଜଣ ବିଜେଡି, ୮ ଜଣ ବିଜେପି ସମର୍ଥିତ ସଦସ୍ୟ ଓ ଜଣେ ସ୍ବାଧୀନ ସଦସ୍ୟ ରହିଛନ୍ତି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ପ୍ରଥମେ ଅଭିଯୋଗ ଓ ସ୍ବାକ୍ଷରପତ୍ରର ବିଧିବଦ୍ଧ ଯାଞ୍ଚ ହେବ। ଯଦି ଅଭିଯୋଗପତ୍ର ଓ ସ୍ବାକ୍ଷର ଠିକ୍ ଥାଏ, ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ।