ବି‌ଜେପିର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଆରମ୍ଭ

ପରୀ ପରିବାରକୁ ଭେଟିଲେ ବିଜେପି ନେତା ସମ୍ବିତ୍‌ ପାତ୍ର
ସିବିଆଇ ତଦନ୍ତ, ମନ୍ତ୍ରୀ ଅରୁଣଙ୍କ ଇସ୍ତଫା ଦାବି

ନୟାଗଡ଼ : ପରୀ ହତ୍ୟାକାଣ୍ଡ ମାମଲାକୁ ନେଇ ନୟାଗଡ଼ର ଯଦୁପୁର ଗ୍ରାମକୁ ରାଜନେତାଙ୍କ ସୁଅ ଛୁଟିଛି। ଆଜି ଅପରାହ୍ଣରେ ରାଜ୍ୟ କଂଗ୍ରେସ ଟିମ୍‌ ପରୀ ପରିବାରକୁ ଭେଟି ଫେରିବା ବେଳକୁ ବିଜେପି ଟିମ୍‌ ଯଦୁପୁର ଗ୍ରାମରେ ପହଞ୍ଚିଥିଲା।

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଓ ସ୍ଥାନୀୟ ନେତା ପରୀ ବାପା-ମା’ଙ୍କୁ ଭେଟି ଆଲୋଚନା କରିଥିଲେ। ପରୀ ମା’ ସୌଦାମିନୀ ସାହୁ ତଦନ୍ତ ପ୍ରକ୍ରିୟାରେ ପୁଲିସ ନିଷ୍କ୍ରିୟତା, ସେମାନଙ୍କୁ ଦୁର୍ବ୍ୟବହାର ସମ୍ପର୍କରେ କହିବା ବେ‌ଳେ କାନ୍ଦି ପକାଇଥିଲେ। ସମ୍ବିତ ପାତ୍ର ସମସ୍ତ କଥା ଶୁଣିବା ପରେ ଅଭିଯୁକ୍ତକୁ ନୟାଗଡ଼ ବିଧାୟକ ଡ. ଅରୁଣ ସାହୁ ଘଣ୍ଟ ଘୋଡ଼ାଇଥିବାରୁ ତାଙ୍କର ଇସ୍ତଫା ଦାବି କରିଛନ୍ତି। ଏକ କୁନି ଝିଅର ମାମଲା ନେଇ ରାଜନୀତି ଉଚିତ ନୁହେଁ, ଦୋଷୀ ଯେଉଁ ଦଳ ସହ ସଂପୃକ୍ତ ଥାଉ, ସେ ଦଣ୍ଡିତ ହେବା ଦରକାର ବୋଲି କହିଥିଲେ। ପରୀର ବାପା-ମା’ ସହିତ ସମ୍ବିତ ପାତ୍ର ଯାଇ ଶବ ଉଦ୍ଧାର ‌ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ଏହା ପରେ ପରୀ ବଡ଼ବାପା ଘରକୁ ଯାଇ ପରୀର ବାପା-ମା’ ଓ ଅନ୍ୟ ସଦସ୍ୟଙ୍କ ସହିତ ଘଟଣା ବିଷୟରେ ଆଲୋଚନା କରିଥିଲେ। ଏହି ଲଢ଼େଇରେ ବିଜେପି ପରୀ ପରିବାର ସହିତ ଅଛି ବୋଲି ସମ୍ବିତ ସାନ୍ତ୍ବନା ଦେବା ସହିତ ଧୈର୍ଯ୍ୟ ଧରିବାକୁ ବୁଝାଇଥିଲେ। ନୟାଗଡ଼ ପୁଲିସର ନିଷ୍କ୍ରିୟତା ନେଇ ଉଚିତ ଜବାବ ଦିଆଯିବ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ପରୀ ମାମଲାର ସିବିଆଇ ତଦନ୍ତ ଦାବିରେ ଜିଲ୍ଲା ବିଜେପି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଆରମ୍ଭ କରିଛି।

ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଦୁର୍ଗା ପୂଜା ମଣ୍ତପ ପଡ଼ିଆରେ ଏହ‌ି ଧାରଣା ଦିଆ‌ଯାଇଛି। ଯେଉଁ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି, ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ବିଜେପି କହିଛି। ପରୀ ପରିବାରକୁ ଭେଟି ସାରିବା ପରେ, ଶ୍ରୀ ପାତ୍ର, ଶ୍ରୀମତୀ ସାମନ୍ତସିଂହାର ଆସି ଏହି ଧାରଣାରେ ସାମିଲ ହୋଇଥିଲେ। ବିଜେପି ଟିମ୍‌ ସହିତ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ଲାଲା ମନୋଜ ରାୟ, ଇରାନୀ ରାୟ, ସନ୍ତୋଷ ପ୍ରଧାନ, ପୂର୍ବତନ ମନ୍ତ୍ରୀ ସୁରମା‌ ପା‌ଢ଼ୀ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ସିଦ୍ଧାର୍ଥ ଶେଖର ସିଂହ ପ୍ରମୁଖ ପରୀ ପରିବାରକୁ ଭେଟିଥିଲେ।

ସମ୍ବନ୍ଧିତ ଖବର