‘ମମିତାକୁ ନ୍ୟାୟ’ ପ୍ରସଙ୍ଗରେ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ: ‘ମମିତା ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ହେଉନାହିଁ’

ଭୁବନେଶ୍ୱର : ମମିତା ହତ୍ୟାକାଣ୍ଡ ଘଟଣାର ତଦନ୍ତ ଠିକ୍ ଭାବେ ହେଉନାହିଁ । ଯେଉଁଥିପାଇଁ ଏପର୍ଯ୍ୟନ୍ତ ଘଟଣାଟି ରହସ୍ୟମୟ ହୋଇରହିଛି। ଏହି ଘଟଣାରେ କେବଳ ଗୋବିନ୍ଦ ସାହୁ ଏବଂ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିବାବେଳେ ବହୁ ପ୍ରଭାବଶାଳୀ ଅଭିଯୁକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ। ଯାହା ପ୍ରମାଣିତ କରୁଛି ଯେ, ମମିତା ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ହେଉନି। ବିଜେପି ପକ୍ଷରୁ ଆୟୋଜିତ ‘ମମିତାକୁ ନ୍ୟାୟ’ ଶୀର୍ଷକ ବୁଦ୍ଧିଜୀବୀ ସମ୍ମିଳନୀରେ ଏହି ମତ ପ୍ରକାଶ ପାଇଛି।

ପୂର୍ବତନ ପୁଲିସ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର ଏଥିରେ ଯୋଗଦେଇ କହିଛନ୍ତି ଯେ, ମମିତା ହତ୍ୟାକାଣ୍ଡ ଘଟଣାର କ୍ରାଇମ ସିନ୍ ରିକ୍ରିଏସନକୁ ଗଣମାଧ୍ୟମରେ ପ୍ରକାଶ କରାଯାଇ ତଦନ୍ତ ପ୍ରକ୍ରିୟାର ଗୋପନୀୟତାକୁ ରକ୍ଷା କରାଯାଇନାହିଁ। ଘଟଣାକୁ ମାସେରୁ ଅଧିକ ସମୟ ବିତିଯାଇଥିଲେ ହେଁ ବର୍ତମାନ ସୁଦ୍ଧା ଘଟଣା ଘଟିବାର କାରଣକୁ ପୁଲିସ ସ୍ପଷ୍ଟ କରିନାହିଁ। ମମିତା ପାଖରେ ଥିବା ପେନ ଡ୍ରାଇଭ / ସିଡିକୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ। ଅଭିଯୁକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସେହି ସ୍କୁଲକୁ କାହିଁକି ଯାଉଥିଲେ? ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପର୍କର ନିବିଡତା କେତେ? ମନ୍ତ୍ରୀଙ୍କ ରାୟପୁର ବାସଭବନରେ ବୈଠକ ହୋଇଥିଲା ନା ନାହିଁ? ଏଭଳି ଏକ ବୃହତ ଅପରାଧରେ ବହୁ ଜଣଙ୍କ ସଂପୃକ୍ତି ରହିଛି ଏବଂ ଏହାର ଠିକ ତଦନ୍ତ ହେବା ନିହାତି ଆବଶ୍ୟକ। ଏପରିସ୍ଥଳେ ଘଟଣା ଘଟିବାର ମାସେ ପର୍ଯ୍ୟନ୍ତ ନିରବ ଥିବା ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯାଇ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସହ ମଞ୍ଚରେ ବସିବା କାରଣରୁ ତଦନ୍ତ କରୁଥିବା ପୁଲିିସ ଉପରେ ନିଶ୍ଚିତ ଭାବେ ଚାପ ପଡ଼ିବ। ତେଣୁ ଏଭଳି ଏକ ସମ୍ବେଦନଶୀଳ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରାଯାଇ ତଦନ୍ତର ଦାୟିତ୍ୱ ସିବିଆଇକୁ ଦିଆଯାଉ ବୋଲି ପୂର୍ବତନ ପୋଲିସ ମହାନିଦ୍ଦେର୍ଶକ ଶ୍ରୀ ପ୍ରକାଶ ମିଶ୍ର କହିଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାରେ ଚୁପ୍ ରହିଲେ ଭବିଷ୍ୟତରେ ମମିତା ହତ୍ୟାକାଣ୍ଡ ଭଳି ଘଟଣା ଆହୁରି ଘଟିବ ବୋଲି ଶ୍ରୀ ମିଶ୍ର ଆଶଙ୍କା ପ୍ରକାଶ କରିଛନ୍ତି ।

ବିଜେପି ରାଜ୍ୟ ମୁଖପାତ୍ର ତଥା ଆଇନଜୀବୀ ପିତା‌ମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ୭୦ ଦଶକରେ ନର ହତ୍ୟାକାରୀ ଉଗାଣ୍ଡା ଶାସକଙ୍କ ଶାସନ ବ୍ୟବସ୍ଥା ଭଳି ଓଡିଶା ସରକାରଙ୍କ ଶାସନ ବ୍ୟବସ୍ଥା ଚାଲିଛି। ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡରେ ବର୍ତମାନ ସୁଦ୍ଧା ସଂଗ୍ରହ କରାଯାଇଥିବା ସମସ୍ତ ତଥ୍ୟ ଓ ପ୍ରମାଣ କୋର୍ଟରେ ଗ୍ରହଣୀୟ ନୁହେଁ। ମମିତା ହତ୍ୟାକାଣ୍ଡକୁ ଚାରି ଚାରିଟି ଥାନା ଅଧିନକୁ ଆଣି ପ୍ରଥମରୁ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରାଯାଇଛି । ପରିବାରବର୍ଗଙ୍କ ନିଖୋଜ ମମିତାର ଏତଲାକୁ କାହିଁକି ଗ୍ରହଣ କରାଗଲା ନାହିଁ ? ଗୋବିନ୍ଦ ସାହୁଙ୍କ ତତ୍ୱାବଧାନରେ ଲେଖା ଯାଇଥିବା ଏତଲାକୁ ପୁଲିସ କାହିଁକି ଗ୍ରହଣ କରିଥିଲା? ନିଜର ଅସୁସ୍ଥ ଗୋଡ ସତ୍ୱେ ଗୋବିନ୍ଦ ସାହୁ ୧୨-୧୪ ଫୁଟ ଉଚ୍ଚ ପାଚେରୀ ଡେଇଁ ପୁଲିସ ବାରାକ୍‌ରୁ ଚମ୍ପଟ ମାରିଲା କେମିତି? ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ଅନୁପସ୍ଥିତିରେ ପୁଲିସ ମହାଲିଙ୍ଗ ଷ୍ଟାଡିୟମକୁ ଯାଇ ମୃତ ମମିତାର ଖଣ୍ଡ ଖଣ୍ଡ ଗଳିତ ଓ ପୋଡା ଶରୀରାଂଶ ପାଇଲା କେମିତି? ଉଦ୍ଧାର ହୋଇଥିବା ବ୍ୟାଗ, ପାଉଁଜିକୁ କାହିଁକି ପରିବାରବର୍ଗକୁ ହସ୍ତାନ୍ତର କରାଗଲା? ମୁଖ୍ୟ ଷଡଯନ୍ତ୍ରକାରୀ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଢୁଆଳରେ ରଖାଯାଇ ସୁଚିନ୍ତିତ ଭାବେ ଗୋଟିଏ କାହାଣୀ ଲେଖାଯାଇଛି, ଯାହାକି କେବଳ ମନ୍ତ୍ରୀଙ୍କୁ ନୁହେଁ ବରଂ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମଧ୍ୟ ଦୋଷୀ ବୋଲି ସାବ୍ୟସ୍ତ କରିପାରିବ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ମମିତା ହତ୍ୟାକାଣ୍ଡର ତଦନ୍ତ କରୁଥିବା ପୁଲିସ ସହ ମୁଖ୍ୟ ଷଡଯନ୍ତ୍ରକାରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏକାଠି ବୁଲି ମୁଖ୍ୟମନ୍ତ୍ରୀଙ୍କ ସଭା ଆୟୋଜନ କରିବା ନିହାତି ଭାବେ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିଛି। ପୁଲିସ ଉପରେ ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ୱାସ ଯେପରି ବଜାୟ ରହିବ ମୁଖ୍ୟମନ୍ତ୍ରୀ ସେହିଭଳି କାର୍ଯ୍ୟ କରନ୍ତୁ। ନହେଲେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସାଂଘାତିକ ହେବ। ଏହି ଆଲୋଚନାଚକ୍ରକୁ ସଜ୍ଜନ ଶର୍ମା ପରିଚାଳନା କରିଥିଲେ। ଏଥିରେ ରାଜ୍ୟର ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର