୨ରୁ ପୁରୀରେ ବିଜେପି ଏସ୍‌ଟି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧିବେଶନ

ପୁରୀ : ଆସନ୍ତା ୨ ତାରିଖରେ ପୁରୀର ତାଳବଣିଆ ସ୍ପୋର୍ଟସ୍‌ କଂପ୍ଲେକ୍ସରେ ବିଜେପି ଜନଜାତି (ଏସ୍‌ଟି) ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧିବେଶନ ଆରମ୍ଭ ହେବ। ଏହି ଦୁଇଦିନିଆ ଅଧିବେଶନରେ ଦେଶର ବିଭିନ୍ନ ପ୍ରାନ୍ତରରୁ ଜନଜାତି ସଂପ୍ରଦାୟର ନିର୍ବାଚିତ ପ୍ରତିନିଧି, ମନ୍ତ୍ରୀ, ବିଧାୟକଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ୨ ତାରିଖ ପୂର୍ବାହ୍ନ ୧୧ଟାରୁ ଅଧିବେଶନ ଆରମ୍ଭ ହୋଇ ୩ ତାରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ। ୩ ତାରିଖ ଅପରାହ୍ନରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହି ଅଧିବେଶନରେ ଆଦିବାସୀଙ୍କ କଲ୍ୟାଣ ସଂପର୍କିତ ଯୋଜନା ଓ ଆଦିବାସୀମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କ’ଣ ସବୁ ସୁବିଧା ଦିଆଯାଇଛି ସେ ସଂପର୍କରେ ଆଲୋଚନା କରାଯିବ ବୋଲି ଆଜି ପୁରୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟ ପ୍ରଭାରୀ ଅରୁଣ ସିଂହ ୨୦୧୯ରେ ନରେନ୍ଦ୍ର ମୋଦୀ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହେବେ। ଏହାଛଡ଼ା ଓଡ଼ିଶାରେ ଶାହାଙ୍କ ୧୨୦ ମିଶନ୍‌ କଥାକୁ ଦୋହରାଇଥିଲେ। ସେ କହିଥିଲେ, ମୋଦୀଙ୍କ ବିରୋଧରେ ଠକମାନଙ୍କର ମେଣ୍ଟ ହୋଇଛି। ଏହି ମେଣ୍ଟ ‌‌କେବେ ବି ସଫଳ ହେବ ନାହିଁ। କଂଗ୍ରେସ ମିଛ କାରଖାନା, ରାହୁଲ ତାର ସିଇଓ ବୋଲି ଶ୍ରୀ ସିଂହ କଟାକ୍ଷ କରିଥିଲେ। ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର