କିର୍ମିରାରେ ବିଜେପିର ବିଶାଳ ମହିଳା ସମାବେଶ

ଝାରସୁଗୁଡ଼ା: ମୋଦି ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ଝାରସୁଗୁଡ଼ା ଜିଲ୍ଲା କିର୍ମିରାରେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ନେଇ ବିଜେପି ପକ୍ଷରୁ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ମହିଳାମାନଙ୍କ ପାଇଁ ମୋଦୀ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ କଲ୍ୟାଣକାରୀ ଯୋଜନାଗୁଡିକ ବିଷୟରେ ସମାବେଶରେ ଆଲୋଚନା ହୋଇଥିଲା। ସୁକନ୍ୟା ଯୋଜନାଠୁ ଆରମ୍ଭ କରି ଉଜ୍ବଳା ଯୋଜନା ପର୍ଯ୍ୟନ୍ତ ମହିଳାଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା କରିଛନ୍ତି। ସମାବେଶରେ ରାଜ୍ୟ ସରକାରଙ୍କ ଦ୍ଵାରା ମହିଳା ସଶକ୍ତୀକରଣର ବିଫଳତା ଓ ମହିଳାଙ୍କ ପ୍ରତି ଅସମ୍ମାନ ବିଷୟରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ।

ରାଜ୍ୟ ସରକାରଙ୍କ ଅନେକ ବିଫଳ ଯୋଜନା, ବିଗତ ଦିନରେ ମହିଳାଙ୍କ ପ୍ରତି ଅତ୍ୟାଚାର ଓ ପ୍ରକୃତ ଦୋଷୀଙ୍କୁ ଦଣ୍ଡ ମିଳୁ ନଥିବା, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ନେତାମାନେ ମହିଳାଙ୍କ ପ୍ରତି ଅତ୍ୟାଚାରରେ ସଂଶ୍ଳୀଷ୍ଟ ଥିବା ଅଭିଯୋଗ କରି ଶ୍ରୀମତୀ ସାମନ୍ତସିଂହାର ବର୍ଷିଥିଲେ। ସେହିପରି ମୋଦୀ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟରେ ରାଜ୍ୟ ସରକାର ବାଧା ସୃଷ୍ଟି କରିଛନ୍ତି। ମାତୃ ଶକ୍ତିକୁ ପ୍ରକୃତ ସମ୍ମାନ ବିଜେପି ହିଁ ଦେଇଛି ବୋଲି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ କହିଥିଲେ।

ଝାରସୁଗୁଡ଼ା ଜିଲ୍ଲାରେ ବିକାଶ ନାମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଲୋକଙ୍କୁ ମୂର୍ଖ ବନାଉଥିବା ଶ୍ରୀ ତ୍ରିପାଠୀ ଅଭିଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ, ଜିଲ୍ଲା ମହିଳା ମୋର୍ଚ୍ଚା ପ୍ରଭାରୀ କଳ୍ପନା ଲେଙ୍କା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମସେନ ରାୟ, ବିମଳେନ୍ଦୁ ଭୋଳ, ସୋନୁ ଥିରାଣୀ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ରୀନା ପଟେଲ, ନୱଲ ଅଗ୍ରୱାଲ, ବିଜୟ ଶର୍ମା, ଯଜ୍ଞାସିନୀ ପଟେଲ, ବିଭିନ୍ନ ବ୍ଲକ୍‌ର ଜିଲ୍ଲା ପରିଷଦ ପ୍ରାର୍ଥୀ ଜ୍ୟୋତ୍ସ୍ନା ବିଶ୍ଵାଳ, ସଂଯୁକ୍ତା ଓରାମ, ପଦ୍ମିନୀ ପଟେଲ, ବଳରାମ ପାଣ୍ଡେ, ଝସକେତନ ପ୍ରଧାନଙ୍କ ସହ କର୍ମୀ ଏବଂ ବହୁ ସଂଖ୍ୟାରେ ମହିଳା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର