ଭଦ୍ରକ: ବିଜେଡ଼ି ଓ ବିଜେପିର ମଧୁର ସମ୍ପର୍କକୁ ନେଇ ଆଜି ଭଦ୍ରକ କଂଗ୍ରେସ ପକ୍ଷରୁ ଏକ ବିବାହ ଉତ୍ସବ କରାଯାଇଥିଲା। କ୍ଷମତା ଲାଳସାରେ ବିଜେଡ଼ି ପ୍ରଥମରୁ ବିଜେପି ସହ ସମ୍ପର୍କ ରଖି ଦୁଇ ଦୁଇଥର ଭାଗିଦାରୀ ଶାସନ କଲା ପରେ ପରବର୍ତ୍ତୀ ସମୟରେ ଉଭୟ ବିଜେଡ଼ି ଓ ବିଜେପି ମଧ୍ୟରେ ଭଲ ସମ୍ପର୍କ ରଖି ରାଜନୀତିରେ ଓଡ଼ିଶାର ବିକାଶ ନାଁରେ ନିଜ ନିଜର ଅଭିଳାଷକୁ ଚରିତାର୍ଥ କରୁଥିବା ନେଇ ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି। ରାଜ୍ୟ ରାଜନୀତିରେ ଉଭୟ ଦଳ ପରସ୍ପରକୁ ବିରୋଧ କରୁଥିଲେ ମଧ୍ୟ କେନ୍ଦ୍ର ଶାସନାଧୀନ ବିଜେପିର ସମସ୍ତ ବିଲକୁ ବିଜେଡ଼ିର ଆଖି ବୁଜା ସମର୍ଥନ ଭୋଟରଙ୍କୁ ସନ୍ଦିହାନ କରିଛି।
ଓଡ଼ିଶାରେ ଉଭୟ ଦଳର କର୍ମୀ ସଂଗଠକ ଏବଂ ରାଜନେତା ରାଜ୍ୟର ବିକାଶ ମୂଳକ ପ୍ରସଙ୍ଗ ଉପରେ ସର୍ବଦା ତୁ ତୁ ମେଁ ମେଁ ହେଉଥିଲା ବେଳେ ସମ୍ପ୍ରତି ରାଜ୍ୟସଭା ନିର୍ବାଚନରେ ବିଜେପିର ରାଜ୍ୟସଭା ପ୍ରାର୍ଥୀ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ପୁନରାୟ ବିଜେଡ଼ି ସମର୍ଥନ କରିବା ଘଟଣା ଉଭୟ ଦଳର ପାରସ୍ପରିକ ସମ୍ପର୍କକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଓଡ଼ିଶାରେ ଦୀର୍ଘ ପଚିଶି ବର୍ଷ ଧରି ମିଳିତ ଭାବରେ ଲୁଟ କରୁଥିବା ଏହି ଦୁଇ ଦଳର ସଂପର୍କରେ ସୁଧାର ଆଣି ଏମାନଙ୍କ ସମ୍ପର୍କକୁ ସାମାଜିକ ବୈଧତା ଦେବା ଉଦ୍ଦେଶ୍ୟରେ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଦୁଇ ଦଳକୁ ବିବାହ ବନ୍ଧନରେ ଆବଦ୍ଧ କରାଇ ସାଧାରଣ ଜନତାଙ୍କୁ ଏମାନଙ୍କ ସଂପର୍କ ନେଇ ସଚେତନତା କରିଛନ୍ତି। ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତି କ୍ରମେ ଓଡ଼ିଶା ପିସିସି ପକ୍ଷରୁ ପ୍ରତି ବ୍ଲକ ସ୍ତରରେ ଜନସାଧାରଣଙ୍କ ଠାରେ ବିଜେପି ଓ ବିଜେଡ଼ିର ଏହି ସମ୍ପର୍କକୁ ନେଇ କଂଗ୍ରେସ ସଚେତନତା କରାଇବା ଲକ୍ଷ୍ୟରେ ଉଭୟ ଦଳକୁ ବିବାହ କରାଉଥିବା ଦେଖିବାକୁ ମିଳିଛି। ଆଜି ଏହି କ୍ରମରେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ଵରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବରଯାତ୍ରୀ ବାହାରି ବାଇପାସ୍ ଛକ ହୋଇ ଶନିମନ୍ଦିର ଛକରେ ବିବାହ ଉତ୍ସବ ପାଳନ କରିଥିଲେ। ହିନ୍ଦୁ ରୀତିନୀତି ଅନୁଯାୟୀ ବିଜେପି ବର ସହିତ ବିଜେଡ଼ି କନିଆର ବିବାହ ହୋଇଥିଲା।
ଏହି ବିବାହ ଉତ୍ସବରେ ଟାଉନ କଂଗ୍ରେସ ସଭାପତି ଅବଦୁଲ ମୁକିତ୍ ଖାଁ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଜିଲ୍ଲା ସଭାପତି ପ୍ରଦୁ୍ୟମ୍ନ କୁମାର ଦାସ, ଓବିସି ସେଲ ସଭାପତି ପୀତବାସ ଧଳ, ରାଜନ ଲାହା, ଜିଲ୍ଳା ଯୁବ କଂଗ୍ରେସ ସଭାପତି ହେମନ୍ତ ମହାପାତ୍ର, ଜିଲ୍ଲା ଛାତ୍ରକଂଗ୍ରେସ ସଭାପତି ସେକ୍ ସାହିଲ କାଦ୍ରୀ, ଏସ୍ସି ସେଲ୍ ସଭାପତି ରଞ୍ଜନ ଜେନା, ଅସ୍ରପ୍ ଅଲୀ ଖାନ୍, ବିଜୟ ବାରିକ, ସମିତି ସଦସ୍ୟ ଗୟାଧର ସେଠୀ, କାଉନ୍ସିଲର ଏନାମୁଲ ହକ୍, ସତ୍ୟ ପୁହାଣ, ଶଶିକାନ୍ତ ଜେନା, ମନୋଜ ମଲ୍ଲିକ, ଟୋନି ଅଲୀ ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/WhatsApp-Image-2024-02-17-at-7.38.21-PM.jpeg)