ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ୪ରୁ ୪ ଲୋକସଭା ଆସନ ଏବଂ ୨୮ଟି ବିଧାନସଭା ଆସନରୁ ୯୦ ପ୍ରତିଶତ ଆସନରେ ବାଜିମାତ୍ କରିବାକୁ ଯାଉଛି। ଏକଥା ଜାଣିଲା ପରେ ଓଡ଼ିଶା ବିଜେପି ନେତା ବିଚଳିତ ଆଉ ବିବ୍ରତ ହୋଇ ପଡ଼ିଛନ୍ତି। ବ୍ୟତିବ୍ୟସ୍ତ ହୋଇ ହତୋତ୍ସାହିତ କର୍ମୀଙ୍କ ମନୋବଳ ବଢାଇବାକୁ ୫ ନେତା ଏକାଠି ସାମ୍ବାଦିକ ସମ୍ମିଳନୀ କରିଥିଲେ। ହେଲେ ସେମାନଙ୍କର ମୁହଁ ଶୁଖିଯାଇଥିଲା। ଏଥିରୁ ଜଣାପଡୁଥିଲା ତାଙ୍କର ମନୋବଳ କେତେ ତଳେ ରହିଛି। ବିଜେପିର ସାମ୍ବାଦିକ ସମ୍ମିଳନୀର ଜବାବ ଏମିତି ଢଙ୍ଗରେ ରଖିଛନ୍ତି ବିଜେଡିର ନେତାମାନେ।
ପରିକ୍ରମା ପ୍ରକଳ୍ପରେ ଦୋମୁହାଁ ଚରିତ୍ର ଦେଖି ରାଜ୍ୟବାସୀ ହସୁଛନ୍ତି
ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଟିପ୍ପଣୀର ଜବାବ ଦେବେ ଓଡ଼ିଶାବାସୀ
ଶଙ୍ଖ ଭବନରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏକାମ୍ର ପ୍ରକଳ୍ପକୁ ବନ୍ଦ କରିବା ପାଇଁ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ସାମ୍ନାରେ ଯେଉଁ ଡ୍ରାମା ଉଭୟ ଅପରାଜିତା ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ କରିଥିଲେ, ସେକଥା କେହି ଭୁଲିନାହାନ୍ତି। ଉଭୟେ
ପ୍ରକଳ୍ପକୁ ସବୁ ସ୍ତରରେ ବିରୋଧ କରିଥିଲେ। ଏଏସ୍ଆଇ, ଏନ୍ଏମ୍ଏ ପାଖରେ କାମକୁ ଅଟକାଇବା ପାଇଁ ସମସ୍ତ ପ୍ରକାରର ଚକ୍ରାନ୍ତ ଓ ଷଡ଼ଯନ୍ତ୍ର କରିଥିଲେ। ପରବର୍ତ୍ତୀ ସମୟରେ ନିଜର କିଛି ଅନୁଗତଙ୍କ ଜରିଆରେ ମାମଲାକୁ ସୁପ୍ରିମକୋର୍ଟ ନେଇଥିଲେ। ହେଲେ ସବୁ ବାଧାବିଘ୍ନ ପରେ ବି ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ିଥିଲା। ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ସେ ଏହି ପ୍ରକଳ୍ପକୁ ବିରୋଧ କରୁଥିଲେ। ପ୍ରକଳ୍ପ କାର୍ଯ୍ୟ କରିବାର ନଥିଲା ବୋଲି ସେ ସ୍ପଷ୍ଟ ମତ ରଖିଥିଲେ। ବିଜେଡି ଯେତେବେଳେ ଆହ୍ୱାନ ଦେଲା, ନିର୍ବାଚନ ଇସ୍ତାହାରରେ ରଖନ୍ତୁ ଯେ ସେମାନେ ପରିକ୍ରମା ପ୍ରକଳ୍ପ ବନ୍ଦ କରିଦେବେ, ତାପରେ ଓଡ଼ିଶା ବିଜେପିର ନେତା କଥା ବଦଳାଇବା ଆରମ୍ଭ କରିଛନ୍ତି। ଏବେ ସାମ୍ବାଦିକ ସମ୍ମିଳନୀ କରି କହୁଛନ୍ତି, ସେମାନେ ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରୁଥିଲେ। ଏଭଳି ଦୋମୁହାଁ ଚରିତ୍ର ଦେଖି ଓଡ଼ିଶାବାସୀ ହସିବା ଆରମ୍ଭ କଲେଣି। ପରିକ୍ରମା ପ୍ରକଳ୍ପ ପାଇଁ ଯେଉଁଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରି ଫେରୁଥିଲେ, ସେଦିନ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଣ୍ଡାମାଡ଼ କରାଇଥିଲେ। ଏହାର ଜବାବ ଓଡ଼ିଶାବାସୀ ଭୋଟ୍ରେ ଦେଇଥିଲେ। ୩୦ରୁ ୩୦ ଜିଲ୍ଲା ପରିଷଦରେ ବିଜେଡିକୁ ଜିତାଇଥିଲେ। ସେହିଭଳି ୨୦୧୮ରେ ବିଜେପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ମାଡ଼ କରାଇଥିଲେ ଧର୍ମେନ୍ଦ୍ର ପ୍ରଧାନ। ଜନତା ମଧ୍ୟ ଏହାର ଉଚିତ ଜବାବ ନିର୍ବାଚନରେ ଦେଇଥିଲେ। ଚଳିତ ନିର୍ବାଚନରେ ମଧ୍ୟ ଅନେକ ଅଶାଳୀନ ଟିପ୍ପଣୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଓଡ଼ିଶା ବିଜେପି ନେତାଏ ଖାସ୍ କରି ଧର୍ମେନ୍ଦ୍ର ପ୍ରଧାନ କରୁଛନ୍ତି । ଯାହାକୁ ନେଇ ଓଡ଼ିଶାବାସୀ ପ୍ରତିକ୍ରିୟାଶୀଳ ହେଲେଣି। ଚଳିତ ନିର୍ବାଚନରେ ପୁଣି ବୁଦ୍ଧି ଶିଖାଇବାକୁ ନିଷ୍ପତ୍ତି ନେଇସାରିଲେଣି।
ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ, କେବଳ ଗୋଟିଏ ରାଜ୍ୟସଭା ସିଟ୍ ପାଇଁ ମହାନଦୀକୁ ମାରିବା ନିମନ୍ତେ ଛତିଶଗଡ ସହ ହାତ ମିଳାଇ ଷଡ଼ଯନ୍ତ୍ର କରିଥିଲେ ଧର୍ମେନ୍ଦ୍ର। ଏକଥା କାହାକୁ ଅଛପା ନାହିଁ। ଏବେ ଛତିଶଗଡ଼ର ୪୦ରୁ ୫୦ ନେତାଙ୍କୁ ଆଣି ପ୍ରଚାର କାର୍ଯ୍ୟରେ ଲଗାଉଛନ୍ତି ଶ୍ରୀ ପ୍ରଧାନ। ଏହା କ’ଣ ମିଛ କି? ସାମ୍ବାଦିକ ସମ୍ମିଳନୀରେ ସୁଲତା ଦେଓ କହିଥିଲେ, ଆମେ ଶୁଣିବାକୁ ପାଉଥିଲୁ ଓଡ଼ିଶା ବିଜେପି ତାଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ। ହେଲେ ଏହାପରେ ସେମାନଙ୍କର ଆଶାୟୀଙ୍କ ମଧ୍ୟରେ ଏତେ ଯୁକ୍ତିତର୍କ ଓ ଗଣ୍ଡଗୋଳ ଘଟିଲା ଯେ ସେମାନେ ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରିଲେ ନାହିଁ । ସେମାନେ ଭଲ ଭାବେ ଜାଣିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ଦଳ ଚାରି ଭାଗ ହୋଇଯିବ। ସ୍ୱୟଂପ୍ରକାଶ ମହାପାତ୍ର କହିଥିଲେ, ଓଡ଼ିଶା ବିଜେପିର ସାମ୍ବାଦିକ ସମ୍ମିଳନୀରେ ବୈଜୟନ୍ତ ପଣ୍ଡାଙ୍କ ବକ୍ତବ୍ୟ ଶୁଣି ଲାଗୁଥିଲା ସେ ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ତାଙ୍କର ଆଖି ସିନା ଅପରେସନ୍ ହୋଇଛି, ହେଲେ ଲାଗୁଛି ତାଙ୍କର ମୁଣ୍ଡରେ କିଛି ଗୋଳମାଳ ହୋଇଯାଇଛି। ସେଥିପାଇଁ ଅବାସ୍ତବ ଓ ଅବାନ୍ତର କଥା ଗପିଚାଲୁଥିଲେ। ଆମେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛୁ ।