ବିଜେଡିକୁ ମୁକାବିଲା ପାଇଁ ବିଜେପିର ନୂଆ ରଣନୀତି: ‘କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁନି’

୨୦୨୪ ପାଇଁ ଫର୍ମୁଲା ପ୍ରସ୍ତୁତ କରୁଛି ଦଳ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ଏବେଠାରୁ ଓଡ଼ିଶା ଦଖଲ ରଣନୀତି ପ୍ରସ୍ତୁତ କଲାଣି। ଦଳର ତୁଙ୍ଗ ନେତାମାନେ ଆଦୌ ସକ୍ରିୟ ନଥାଇ ବି ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ଭୋଟର ଯେଉଁ ମତ ଦେଲେ, ତାହା ବିଜେପିର କେନ୍ଦ୍ରୀୟ ନେତାଙ୍କୁ ବିସ୍ମିତ କରିଛି। ଓଡ଼ିଶାରେ ଯେ ସରକାର ବିରୋଧରେ ଗୋଟିଏ ବାତାବରଣ ଅଛି, ଏକଥା ହୃଦୟଙ୍ଗମ କରି ବିଜେପିର କେନ୍ଦ୍ରରେ ଥିବା ଶୀର୍ଷ ନେତୃତ୍ବ ଓଲଟା ଗଣିତ କଷା ଆରମ୍ଭ କରିଛନ୍ତି। ତୃଣମୂଳସ୍ତରରେ ସରକାରୀ ବିରୋଧୀ ହାଵା ତୀବ୍ର କରିବା ସହିତ କେନ୍ଦ୍ର ସପକ୍ଷରେ ମତ ସୃଷ୍ଟି ଲାଗି ଗତ ସପ୍ତାହରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର ସାଂସଦମାନଙ୍କୁ ଯେଉଁ ମନ୍ତ୍ର ଦେଇଥିଲେ, ତାହାର କାର୍ଯ୍ୟାନ୍ବୟନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଆକାଂକ୍ଷୀ ଜିଲ୍ଲା ସ୍ଥିତି ଅନୁଧ୍ୟାନ କରିବା ଲାଗି ୧୦ କେନ୍ଦ୍ର ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଏବଂ ସରକାର ବିରୋଧୀ ମନ୍ତବ୍ୟରୁ ଏଭଳି ଆଭାସ ମିଳୁଛି। କେବଳ ସେତିକି ନୁହେଁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇନଶୃଙ୍ଖଳାକୁ ପ୍ରସଙ୍ଗ କରି ସରକାରଙ୍କ ବିରୋଧରେ ଟ୍ବିଟ୍ କରିବା ପରେ ଏବେ ଖୋଲାଖୋଲି ସମାଲୋଚନା କରିବା ଆରମ୍ଭ କରିଦେଲେଣି। ଆଜି କେନ୍ଦ୍ରମନ୍ତ୍ରୀ ବିବାଦୀୟ ପଛୁଆ ବର୍ଗ ପ୍ରସଙ୍ଗକୁ ପୁଣି ଥରେ ଉଠାଇଛନ୍ତି।

ଏଠାରେ ସ୍ମରଣଥାଉକି, ୨୦୧୫ରୁ ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ଯୁଦ୍ଧ ଦେହିଂ ଡାକରା ଦେଇଥିଲା। ହେଲେ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କର ରଣନୀତି ବଦଳିଗଲା। ଦିଲ୍ଲୀ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିତ୍ର ସେ ସମୟରେ ଜାତୀୟ ରାଜନୀତିରେ ବି ଚର୍ଚ୍ଚାର ବିଷୟ ହୋଇଥିଲା। ଏହାପରଠାରୁ ବିଜେପିର କେନ୍ଦ୍ରୀୟ ନେତା, ମନ୍ତ୍ରୀ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ
ସମେତ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ପ୍ରଶଂସା କରିଆସୁଥିଲେ। ନିଜେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସଂସଦରେ ପ୍ରଶଂସା କରିବାର ନଜିର ରହିଛି। ପରିସ୍ଥିତି ଏମିତି ହୋଇଥିଲା ଯେ ରାଜ୍ୟ ସରକାରଙ୍କୁ ବିଜେପିର ସ୍ଥାନୀୟ ନେତାଙ୍କ ଶତବିରୋଧ ପ୍ରଭାବହୀନ ହୋଇପଡୁଥିଲା।

ସଂପ୍ରତି ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, କେନ୍ଦ୍ର ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାର ଲାଭ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ। ବିଜେଡି ସରକାର ପ୍ରଶାସନିକ କଳକୁ ଲଗାଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ମାଗଣା ଖାଦ୍ୟଶସ୍ୟ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଜଳ ଜୀବନ ମିସନରେ ପ୍ରତି ଘରକୁ ପାଇପରେ ବିଶୁଦ୍ଧ ଜଳ, ପିଏମ୍‌ କିଷାନ, ଜନଧନରେ ବ୍ୟାଙ୍କ୍ ଖାତାକୁ ସିଧା ଟଙ୍କା ଓ ଅନ୍ୟାନ୍ୟ ଯୋଜନା ବିଷୟରେ କେନ୍ଦ୍ରମନ୍ତ୍ରୀ ଉଦାହରଣ ରଖିବା ସହିତ ଏସବୁ କ୍ଷେତ୍ରରେ ‌ଯୋଗ୍ୟ ହିତାଧିକାରୀ କିଭଳି କେନ୍ଦ୍ର ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଛନ୍ତି, ତାହାର ଉଦାହରଣ ଦେଇଥିଲେ। ଧର୍ମେନ୍ଦ୍ରଙ୍କ ସଙ୍କେତରୁ ଗୋଟିଏ କଥା ଅବଶ୍ୟ ଜଣାପଡୁଛି ଯେ କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କ ପାଇଁ ପୁଳାପୁଳା ଯୋଜନା କରୁଥିବାବେଳେ ରାଜ୍ୟ ସରକାର ଏହାକୁ ଲୋକଙ୍କ ପାଖରେ ପହଞ୍ଚାଉନାହାନ୍ତି। ଯେତିକି ପହଞ୍ଚାଉଛନ୍ତି ସେଥିରେ ନିଜ ଶ୍ରେୟ ନେଉଛନ୍ତି। ଏହି କଥାକୁ ବିଜେପି ଶ୍ରେୟ କରି ଏବେ ବିଜେଡି ଓ ରାଜ୍ୟ ସରକାରଙ୍କୁ ଘେରିବ। ନିଜେ କେନ୍ଦ୍ରମନ୍ତ୍ରୀ ଏଭଳି ମନ୍ତ୍ର ଫୁଙ୍କି ଦଳକୁ ଏହି ରାସ୍ତାରେ ଆଗକୁ ଯିବାକୁ ପ୍ରବର୍ତ୍ତାଇଛନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ଓଡ଼ିଶାର ୧୦ ଆକାଂକ୍ଷୀ ଜିଲ୍ଲାକୁ ୧୦ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଯୋଜନା କରିବା, ପୌର ଓ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାକୁ ଆସିନଥିବା କି କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିନଥିବା ଧର୍ମେନ୍ଦ୍ର ଚାରିଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରୀୟ ଯୋଜନାକୁ ଢାଲ କରି ବିଜେଡି ସରକାରକୁ ଟାର୍ଗେଟ କରିବା ଘଟଣାକୁ ହାଲକା ଭାବେ ନେଇହେବନାହିଁ। ଇତିମଧ୍ୟରେ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ କେନ୍ଦ୍ରୀୟ ଯୋଜନା ଓଡ଼ିଶାରେ ଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବା କହିସାରିଲେଣି। ଅନ୍ୟପଟେ ବିଜେପି ଯୁବମୋର୍ଚ୍ଚା ସ୍ଥିର କରିଛି ଯେ ୧୮ରୁ ୨୦ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ କରି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ବାଟବଣା କରୁଥିବା ନେଇ ପ୍ରଚାର କରିବ।

ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ରାଜ୍ୟରେ ଏବେ ଯେତିକି ଯୋଜନା କାର୍ଯ୍ୟକାରୀ ହେଉଛି ସେଥିରୁ ଅଧାରୁ ଅଧିକ ଯୋଜନା କେନ୍ଦ୍ର ସରକାରଙ୍କର। ବହୁ ପ୍ରକଳ୍ପ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଅନୁଦାନରେ ହେଉଥିବାବେଳେ କେନ୍ଦ୍ର ସିଂହଭାଗ ଅର୍ଥ ଦେଉଛି। ହେଲେ ରାଜ୍ୟ ସରକାର ହିତାଧିକାରୀଙ୍କ ପାଖରେ ପହଞ୍ଚିଲାବେଳକୁ ଏହା ରାଜ୍ୟ ସରକାରଙ୍କର ଯୋଜନା ବୋଲି ପ୍ରଚାର କରୁଛନ୍ତି। ଏପରିକି କେନ୍ଦ୍ର ଅବହେଳା କରୁଥିବାବେଳେ ବିଜେଡି ସରକାର ସବୁ ସୁବିଧା ଯୋଗାଉଛି ବୋଲି ସରକାରୀ ଅଧିକାରୀଙ୍କ ମାଧ୍ୟମରେ ଲୋକଙ୍କୁ କହୁଛନ୍ତି। ତେଣୁ ଆମେ ଆମ ଯୋଜନା ବିଷୟରେ ଲୋକଙ୍କୁ ଜଣାଇବୁ। ଲୋକ ସତ ଜାଣିବା ଦରକାର। ଏବେ ୧୦ କେନ୍ଦ୍ର ମନ୍ତ୍ରୀ ଆସିବାକୁ ଥିବାବେଳେ ଏହାପରେ ନିୟମିତ ବ୍ୟବଧାନରେ କେନ୍ଦ୍ରମନ୍ତ୍ରୀମାନେ ଆସି ସେମାନଙ୍କ ବିଭାଗର ପ୍ରକଳ୍ପଗୁଡ଼ିକ ସମୀକ୍ଷା କରିବେ। ରାଜ୍ୟ ସରକାର ଯେତେ ଲୁଚିଲେ ବି ଲୋକଙ୍କ ଆଗରେ ଉତ୍ତର ରଖିବାକୁ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର