ଜୟପୁର: ଏନକେଟି ରୋଡ ଓ ନୀଳକଣ୍ଠସାଗର ପାର୍ଶ୍ବରୁ ଜବରଦଖଲ ଉଛେଦ ପାଇଁ ପୌରପାଳିକା ପକ୍ଷରୁ ମାଇକ ଯୋଗେ ଘୋଷଣା କରାଯାଇଥିଲା। ତେବେ ଏନକେଟି ରୋଡରେ ବସିଥିବା ଉଠାଦୋକାନୀଙ୍କ ଉଚ୍ଛେଦକୁ ନେଇ ନଗରବିଜେପି ପକ୍ଷରୁ ବିରୋଧ କରାଯାଇଛି। ଆଜି ରାଜ୍ୟ ପରିଷଦ ସଭ୍ୟ ଗୌତମ ସାମନ୍ତରାୟ, ନଗର ସଭାପତି ରାଧାଶ୍ୟାମ ପରିଡ଼ାଙ୍କ ନେତୃତ୍ବରେ ନଳିନୀ ଦାଶ, ଲିଟି ପଟ୍ଟନାୟକ, ଜଗଦୀଶ ପୁଜାରୀ, ରାମ ବେହେରା ପ୍ରମୁଖ ବିଜେପି ନେତା ଶତାଧିକ ଉଠାଦୋକାନୀଙ୍କୁ ନେଇ ପୌରପାଳିକା ଘେରାଉ କରିଥିଲେ।
ପୌରପାଳିକା ପ୍ରଥମେ ସହରର ବିଭିନ୍ନ ରାସ୍ତା ସହ ଛକ ଗୁଡିକରେ କେତେ ପରିମାଣର ଜମି ରହିଛି ତାହା ଚିହ୍ନଟ କରୁ ବୋଲି ଏମାନେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ଉଠା ଦୋକାନୀଙ୍କୁ ଉଠାଇବା ପୂର୍ବରୁ ଏମାନଙ୍କୁ ଥଇଥାନ କରିବା ପାଇଁ ସ୍ଥାନ ନିରୁପଣ କରିବାକୁ ବିଜେପି ନେତା ମାନେ ନିର୍ବାହୀ ଅଧିକାରୀଙ୍କୁ କହିଥିଲେ। ସମଗ୍ର ସହରର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଏକା ସହ ଏମାନଙ୍କୁ ଥଇଥାନ କରାଯାଉ ବୋଲି ଏମାନେ କହିଥିଲେ। ସହରରେ ବଡ଼ ବଡ଼ ମଲ୍ ଖୋଲିବା ପରେ ଶିକ୍ଷିତ ବେକାର ଯୁବକ ଓ ଯୁବତୀ ମାନେ ନିଜର ପେଟ ପାଟଣା ତଥା ପରିବାରର ପ୍ରତିପୋଷଣ ପାଇଁ ଉଠା ଦୋକାନ କରୁଛନ୍ତି। ଏମାନଙ୍କୁ ଉଛେଦ କରିବା ଅନ୍ୟାୟ ବୋଲି କହିଛନ୍ତି ବିଜେପି ରାଜ୍ୟ ସ୍ଥାୟୀ ପରିଷଦ ସଭ୍ୟ ଗୌତମ ସାମନ୍ତରାୟ। ଉଛେଦ କରାଗଲେ ବିଜେପି ପକ୍ଷରୁ ବିରୋଧ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।