ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରଙ୍କୁ ବର୍ଷେ ପୂର୍ତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବର୍ଷକ ମଧ୍ୟରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭଳି କାମ କରିଚାଲିଛନ୍ତି। ବାକି ୧୫ଜଣ ମନ୍ତ୍ରୀ ବି ସେମାନଙ୍କ ବିଭାଗରେ ବିନା ପ୍ରତିବନ୍ଧକରେ କାମ କରୁଛନ୍ତି। ବିଧାୟକମାନେ ସେମାନଙ୍କ ହାତ ପାଣ୍ଠି ଖର୍ଚ୍ଚ କରୁଛନ୍ତି, ଇଚ୍ଛା ମୁତାବକ ସେମାନଙ୍କ ଅଞ୍ଚଳରେ ସରକାରୀ ଅଧିକାରୀଙ୍କ ବଦଳି, ନିଯୁକ୍ତି କରିପାରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଭଳି ବିଜେପିର କେନ୍ଦ୍ରୀୟ ନେତା ଯେତେବେଳେ ଓଡ଼ିଶା ଗସ୍ତରେ ଆସୁଛନ୍ତି ତାଙ୍କୁ ସ୍ବାଗତ କରିବାକୁ ହଜାର ହଜାର କର୍ମୀ ଆସୁଛନ୍ତି। ହେଲେ ବର୍ଷକ ମଧ୍ୟରେ ଓଡ଼ିଶା ବିଜେପିର ଆଗଧାଡ଼ିର ନେତା ଯେତିକି ଖୁସି ଅଛନ୍ତି ସେହି ଖୁସି ଦ୍ବିତୀୟ ଧାଡ଼ିର ନେତା, କର୍ମୀଙ୍କ ପାଖରେ ଦେଖିବାକୁ ମିଳୁନାହିଁ। ଦଳ ସରକାରରେ ଥିଲେ ବି ସେମାନଙ୍କ ମଧ୍ୟରେ ଏକ ହତାଶା ଭାବ ଆସିଗଲାଣି ବୋଲି ଏବେ କହି ବୁଲୁଛନ୍ତି।
ବହୁ ବର୍ଷ ପରେ ବିଜେପି ଓଡ଼ିଶାରେ ଏକାକୀ ସରକାର ଗଠନ କରିଥିଲେ ବି ବର୍ଷକ ମଧ୍ୟରେ ନିର୍ବାଚନ ହାରି ଯାଇଥିବା, ନିର୍ବାଚନ ନ ଲଢ଼ି ବି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା, ଦଳର ସଂଗଠନକୁ ମଜଭୁତ କରିବାକୁ ବହୁବର୍ଷ ହେଲା କାର୍ଯ୍ୟ କରୁଥିବା କୌଣସି ନେତା, କାର୍ଯ୍ୟକର୍ତ୍ତାଙ୍କୁ ସରକାର କି ଦଳ ଏପର୍ଯ୍ୟନ୍ତ କୌଣସି ପଦପଦବି ଦେଇନଥିବାରୁ ସମସ୍ତଙ୍କ ମନରେ ଏହି ହତାଶାଭାବ ବଢ଼ିବାରେ ଲାଗିଛି। ଏପରିକି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ହତାଶାଭାବ ନିକଟରେ ହୋଇଥିବା ବିଜେପିର କେତୋଟି ବଡ଼ ସମାବେଶରୁ ଦେଖିବାକୁ ମିଳୁଛି। ବିଜେପିର ସମ୍ବିଧାନ କହୁଛି ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପ୍ରତି ତିନି ମାସରେ ଥରେ ବସିବା କଥା। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ଗତ ବର୍ଷକ ମଧ୍ୟରେ ମାତ୍ର ଥରେ ବସିଛି। ତାହା ପୁଣି ଦଳ କ୍ଷମତାକୁ ଆସିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ସମସ୍ତ ସାଂସଦ, ବିଧାୟକମାନଙ୍କୁ ସମ୍ବୋଧନ କରିବାକୁ ଆଗ୍ରହ ଦେଖାଇବାରୁ ଜୁଲାଇ ୧୯ରେ ପୁରୀରେ ବସିଥିଲା। ହେଲେ ଏହାର ୧୧ମାସ ପରେ ବି ଆଉ ଥରଟିଏ ବସିପାରିଲାନି। ଯେତେବେଳେ କି ନିୟମ କହୁଛି ଏହି ସମୟ ମଧ୍ୟରେ ଆଉ ୩ଥର ବସିବା କଥା।
କେବଳ ରାଜ୍ୟ କାର୍ଯ୍ୟକାରିଣୀ ନୁହେଁ, ଆଞ୍ଚଳିକ, ଜିଲ୍ଲା ଓ ମଣ୍ଡଳସ୍ତରୀୟ କମିଟି ବି ପ୍ରତି ୨ମାସରେ ଥରେ ବସିବା କଥା। ତାହା ବି ବସୁନି। ଫେବ୍ରୁଆରିରୁ ଦଳର ୩୭ଟିରୁ ୩୬ଟି ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ସରିଲାଣି। ଏହା ମଧ୍ୟରେ ୪ମାସ ବିତିଲାଣି। ନିୟମ କହୁଛି ଏହି ଅବଧିରେ ଜିଲ୍ଲା, ମଣ୍ଡଳସ୍ତରରେ ଅତି କମ୍ରେ ୨ଥର ଲେଖାଏଁ ବୈଠକ ବସିବା କଥା। କିନ୍ତୁ ତାହା ବି ହୋଇନି। ଏପରିକି କମିଟି ଗଠନ ହେବାର ୬ମାସରେ ଥରେ ବୈଠକ ନ ବସିଲେ ଏହାକୁ ଭାଙ୍ଗି ଆଉ ଏକ ଆଡହକ୍ କମିଟି ଗଠନ କରିବାର ନିୟମ ଅଛି। ମଣ୍ଡଳସ୍ତରୀୟ କମିଟିର ଏହି ୬ମାସ ବିତିଗଲାଣି। ହେଲେ ସବୁ ମଣ୍ଡଳସ୍ତରରେ କେମିତି ନିୟମିତ ବୈଠକ ହେବ, କ’ଣ ଆଲୋଚନା ହେବ ସେନେଇ ଦଳ ତରଫରୁ କିଛି ନିର୍ଦ୍ଦେଶନାମା ଯାଉନି।
ରାଜ୍ୟ କାର୍ଯ୍ୟକାରିଣୀ, କୋର୍ କମିଟି ବୈଠକ ବସିପାରୁନି
୬ମାସ ହେଲା ମଣ୍ଡଳ କମିଟି ବୈଠକ ବି ବସୁନି
ଅସନ୍ତୋଷକୁ ଡର ନା ଅନ୍ୟ କାରଣ
ଦଳର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ରାଜ୍ୟ ସଭାପତି ଏବଂ ସାଧାରଣ ସମ୍ପାଦକ (ସଂଗଠନ) ବଦଳିବେ କି ସେମାନଙ୍କ କାର୍ଯ୍ୟକାଳ ପୁଣି ବଢ଼ିବ ସେନେଇ ଦଳର ଶୀର୍ଷ ସ୍ତରରେ କିଛି ନିଷ୍ପତ୍ତି ହୋଇପାରୁନି। ତେଣୁ ସେମାନେ ବି କୌଣସି ବୈଠକ କେବେ ହେଲା କି ନହେଲା ସେନେଇ ତାଗିଦ୍ କରୁନାହାନ୍ତି। ଏହାବାଦ୍ ଯେଉଁମାନେ ପଦାଧିକାରୀ ଅଛନ୍ତି ସେମାନଙ୍କର ବି ଅଦଳବଦଳ ହେବାକୁ ଥିବାରୁ କେହି ସାଙ୍ଗଠନିକ କାର୍ଯ୍ୟକୁ ଏବେ ଗୁରୁତ୍ବ ଦେଉନାହାନ୍ତି। ଅପରପକ୍ଷରେ ଦଳ ତରଫରୁ ଏପର୍ଯ୍ୟନ୍ତ ବୋର୍ଡ, ନିଗମର ଅଧ୍ୟକ୍ଷ ଓ ସଭାପତି ପଦବି, ଉପଦେଷ୍ଟା, ବିଭିନ୍ନ କମିସନ୍, ସରକାରୀ ଓକିଲ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବିରେ କୌଣସି ନିଯୁକ୍ତି ଦିଆଯାଉନି। ସରକାର ୫ବର୍ଷ ପାଇଁ ଆସିଥିବାବେଳେ ବର୍ଷେ ଭିତରେ କୌଣସି ନୂଆ ନିଯୁକ୍ତି ଦିଆଗଲାନି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ କିପରି ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବାକୁ କାମ କରିବେ ସେନେଇ ଯାହା ନିର୍ଦ୍ଦେଶ ଦେଲେ ବି ଠିକ୍ ଭାବେ କାର୍ଯ୍ୟକାରୀ ହେଉନି।
ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଏବେ ପ୍ରାୟ ୩୧୨ଜଣ ସଦସ୍ୟ ଅଛନ୍ତି। ଏଥିରେ ସମସ୍ତ ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକ, ଜିଲ୍ଲା ସଭାପତି, ପୂର୍ବତନ ଜିଲ୍ଲା ସଭାପତି, ମୁଖପାତ୍ର, ବିଭିନ୍ନ ଜିଲ୍ଲାର ଏକାଧିକ ପ୍ରଭାବୀ ନେତା ଏହି କାର୍ଯ୍ୟକାରିଣୀର ସଦସ୍ୟ ରୁହନ୍ତି। ହେଲେ ଏବେ ଦଳର ବିଭିନ୍ନ ବର୍ଗର ନେତାମାନଙ୍କୁ କୌଣସି ପଦପଦବି ଦେଇ ଥଇଥାନ କରାଯାଉ ନ ଥିବାରୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିଲେ ସେମାନେ ଖୋଲାଖୋଲି ଅସନ୍ତୋଷ ପ୍ରକଟ କରିବା ସହ ବିଦ୍ରୋହ କରିପାରନ୍ତି। ତେଣୁ ଏହି ଭୟରେ ୧୧ମାସ ହେଲା କାର୍ଯ୍ୟକାରିଣୀ ବୈଠକ ବସୁନି ବୋଲି କୁହାଯାଉଛି।
ଏହାବାଦ୍ ଦଳ ଏବେ କ୍ଷମତାକୁ ଆସିଥିଲେ ବି ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଅଡ଼ୁଆରେ ପକାଉଛି। ଦଳର ସଂଗଠନ ଓ ସରକାରଙ୍କ ମଧ୍ୟରେ ସମନ୍ବୟ ରହୁନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବାରମ୍ବାର ବୈଠକ ବସିଲାଣି। ହେଲେ କୋର୍ କମିଟି ବୈଠକ ବସିପାରୁନି। ଏଥିରେ ଦଳର ସମସ୍ତ ଶୀର୍ଷସ୍ତରୀୟ ନେତା ଥିବାେବଳେ ସେମାନେ ଏକାଠି ହୋଇ ରଣନୀତି ପ୍ରସ୍ତୁତ କଲେ ଦଳରେ ଫାଟ ଥିବା ନେଇ ଯେଉଁ ବାର୍ତ୍ତା ଯାଉଛି ସେଥିରେ ଭଟ୍ଟା ପଡ଼ନ୍ତା। ୬ଟି ମନ୍ତ୍ରୀ ପଦ ଖାଲି ପଡ଼ଥିବାବେଳେ ଏହାକୁ ପୂରଣ କରାଯାଇପାରନ୍ତା। ହେଲେ ନିର୍ବାଚନ ଜିତିବା ପରେ ଆଜି ପର୍ଯ୍ୟନ୍ତ ଥରଟିଏ ବି କୋର୍ କମିଟି ବୈଠକ ବସିପାରୁନି।