ଆଜିଠୁ ବିଜେପିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର, ଓଡ଼ିଶାର ରାଷ୍ଟ୍ରୀୟ ନେତା ଯୋଗଦେବେ

ଭୁବନେଶ୍ବର : ମିସନ୍‌-୨୦୨୪ ନେଇ ବିଜେପି ରଣନୀତି ପ୍ରସ୍ତୁତ କରିଥିବାବେଳେ କେନ୍ଦ୍ର ମନ୍ତ୍ରୀମାନେ ବିଭିନ୍ନ ସଂସଦୀୟ କ୍ଷେତ୍ରକୁ ଆସି ସଂଗଠନ ସଜାଡ଼ୁଛନ୍ତି। ରାଜ୍ୟ ସରକାର ବିରୋଧରେ ଜନମତ ସୃଷ୍ଟି କରିବାକୁ ତୃଣମୂଳ ସ୍ତରରେ କାମ ଆରମ୍ଭ କରିଦେଇଛନ୍ତି। ହେଲେ ରାଜ୍ୟ ବିଜେପିର ତୃଣମୂଳ ସ୍ତରର ସଂଗଠନରେ ଫାଟ ଥିବାରୁ ଏହାକୁ ସଜାଡ଼ିବା ସହ ୨୦୨୪ରେ ସମସ୍ତଙ୍କୁ ଏକାଠି ଧରି ଚାଲିବାକୁ ମଙ୍ଗଳବାର ଠାରୁ ପୁରୀରେ ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ।

ହୋଟେଲ ବ୍ଲୁ ଲିଲି ରିସୋର୍ଟରେ ଏହି ଶିବିର ହେବାକୁ ଥିବାବେଳେ ଏହାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିବେ। ଏହି ବୈଠକରେ ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ, ରାଜ୍ୟ ଓ ଜିଲ୍ଲା ପଦାଧିକାରୀ ଯୋଗଦେବେ। ବିଜେପି ଓ ଆର୍‌ଏସ୍‌ଏସ୍‌ର ବରିଷ୍ଠ ସଂଗଠକମାନେ ଏହି ବୈଠକରେ ଯୋଗଦେଇ କ୍ଷେତ୍ର ସ୍ତରୀୟ ନେତାଙ୍କୁ ସଂଗଠନ ସୁଦୃଢ କରିବାର ମନ୍ତ୍ର ଦେବେ। ଓଡ଼ିଶାର ରାଷ୍ଟ୍ରୀୟସ୍ତରର ନେତାମାନେ ବି ଦଳକୁ ‌ଓଡ଼ିଶାରେ ଆଗେଇ ନେବା ପାଇଁ ସେମାନଙ୍କର କ’ଣ ଯୋଜନା ଅଛି ତାହା ସମସ୍ତଙ୍କ ଆଗରେ ଉପସ୍ଥାପନ କରିବେ। ଏପରିକି ଦଳକୁ ମଜବୁତ୍‌ କରିବାକୁ ତୃଣମୂଳ ସ୍ତରରେ ସେମାନେ କିପ୍ରକାରର ‌ସହଯୋଗ ଆଶା କରୁଛନ୍ତି ତାହା କହିବେ।

ପ୍ରଶିକ୍ଷଣ ଆଳରେ ସଂଗଠନ ସଜଡ଼ାଯିବ
ଯୋ‌ଗଦେବେ ଧର୍ମେନ୍ଦ୍ର, ଅଶ୍ବିନୀ, ସମ୍ବିତ୍, ବି.ଏଲ୍‌. ସନ୍ତୋଷ

ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବିଶେଶ୍ବର ଟୁଡୁ, ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ, ବିଜୟ ପାଲ ସିଂହ ତୋମାର, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ସମେତ ଅନ୍ୟ ନେତୃବର୍ଗ ରାଜ୍ୟ ଓ ଜିଲ୍ଲା ପଦାଧିକାରୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ବୈଠକ ପୂର୍ବରୁ ରାଜ୍ୟ ସଭାପତି ଓ ସଙ୍ଗଠନ ସମ୍ପାଦକ ସମ୍ବଲପୁର, ବଲାଙ୍ଗୀର, ଅନୁଗୁଳ ଓ ଜୟପୁର ଗସ୍ତ କରି ୩୦ଟି ଜିଲ୍ଲାର ସାଙ୍ଗଠନିକ ରିପୋର୍ଟ ସଂଗ୍ରହ କରିଥିବାବେଳେ ଏହାକୁ ବୈଠକରେ ଉପସ୍ଥାପନ କରିବେ। ଗତ ସାଧାରଣ ନିର୍ବାଚନ, ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳର ସ୍ଥିତି କ’ଣ ଥିଲା, କେଉଁଠି କ’ଣ ସମସ୍ୟା ରହିଲା ସେନେଇ ମଧ୍ୟ ରିପୋର୍ଟ ଉପସ୍ଥାପନ କରିବେ ବୋଲି ଜଣାପଡ଼ଇଛି।

ଏହାପରେ ଶେଷ ଦିନ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ୍‌ ସନ୍ତୋ‌ଷ ଯୋଗଦେଇ ରାଜ୍ୟ ନେତୃତ୍ବଙ୍କୁ ସମ୍ବୋଧନ କରିବେ। ୨୦୨୪ରେ ବିଜେପି ଯେପରି ଓଡ଼ିଶାରେ ସମସ୍ତ ସଂସଦୀୟ କ୍ଷେତ୍ରରେ ବିଜୟ ହାସଲ କରିବ ସେନେଇ ଦଳ ପକ୍ଷରୁ ପ୍ରସ୍ତୁତ ହୋଇଥିବା ରଣନୀତି ବିଷୟରେ ଅବଗତ କରାଇବେ। ବୁଥ୍‌ ସ୍ତରରୁ ସଂଗଠନକୁ ମଜବୁତ୍ କରିବା ଠାରୁ ଆରମ୍ଭ କରି ବିଭିନ୍ନ କେନ୍ଦ୍ରୀୟ ଯୋଜନାର ପ୍ରଚାର ପ୍ରସାର କିଭଳି ହେବା ଦରକାର ସେ ବାଟ ବତାଇବେ। ଏହାସହ ୨୦୧୪, ୨୦୧୯ରେ ଯେପରି ମୋଦୀଙ୍କ ହାୱା ସୃଷ୍ଟି କରାଯାଇଥିଲା, ସେହିଭଳି ୨୦୨୪ରେ ସୃଷ୍ଟି କରିବା ପାଇଁ ଏବେଠୁ ତୃଣମୂଳସ୍ତରରେ କ’ଣ କ’ଣ ପ୍ରସ୍ତୁତି କରାଯିବା ଦରକାର ‌ସେ ନେଇ ମଧ୍ୟ ମାର୍ଗଦର୍ଶନ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର